ଗୁଣୁପୁର,୧୩।୧ (ସଂକେତ ପାତ୍ର): ରାୟଗଡା ଜିଲା ପୁଟାସିଂ ଥାନା ସିନ୍ଦୁବା ଘାଟିରେ ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ଅଟୋ । ଅଟୋରେ ପ୍ରାୟ ୧୦ ଜଣ ବସିଥିଲେ। ସେଥିରୁ ୪ ଜଣ ସ୍ବଳ୍ପ ଆହତ ହୋଇଥିବା ବେଳେ ଜଣେ ବୃଦ୍ଧା ଗୁରୁତର ଆହତ ହୋଇଥିବା ଜଣାପଡିଛି । ମଙ୍ଗଳବାର ସକାଳ ୯ଟା ସମୟରେ ଅଟୋଟି ଯାତ୍ରୀଙ୍କୁ ନେଇ ଗଜପତି ଜିଲା ନୂଆଗଡ଼ ହାଟକୁ ଯାଉଥିଲା । ଘାଟି ରାସ୍ତାରେ ଅଧିକ ଯାତ୍ରୀ ସହ ଜିନିଷର ଓଜନ ଅଧିକ ହୋଇଯିବାରୁ ଅଟୋଟି ଭାରସାମ୍ୟ ହରାଇ ଖାଲରେ ଓଲଟିପଡିଛି । ଗୁରୁତର ଥିବା ବୃଦ୍ଧା ଜଣଙ୍କ ଘର ଆବାଡା ନିକଟ କୁଲୁସିଂ ଗାଁର ବୋଲି ଜଣାପଡ଼ିଛି । ଗୁରୁତର ଓ ଆହତ ଥିବା ସମସ୍ତେ ନୂଆଗଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଘଟଣାସ୍ଥଳରେ ପୁଟାସିଂ ପୋଲିସ ଅଟୋକୁ ଜବତ କରିବା ସହ ତଦନ୍ତ କରୁଛି।