ଗୋଖର ସାପକୁ କାମୁଡ଼ି ମାରିଦେଲା ଏକ ବର୍ଷର ଶିଶୁ

ବେଟିଆ,୨୭।୭: ବିହାରର ଏକ ଦୁର୍ଗମ ଗାଁରେ ଜଣେ ଏକ ବର୍ଷର ଶିଶୁ ଗୋଖର ସାପକୁ କାମୁଡ଼ି ମାରିଦେଇଥିବା ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଏହି ଆଶ୍ଚର୍ତ୍ୟଜନକ ଘଟଣା ପଶ୍ଚିମ ଚମ୍ପାରଣ ଜିଲାରେ ଘଟିଛି।

ଶିଶୁଟିକୁ ତା’ର ପରିବାର ଲୋକେ ବେଟିଆ ସହରର ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲକୁ ଆଣିଥିଲେ। ହସ୍ପିଟାଲ ସୁପରିଣ୍ଟେଣ୍ଡେଣ୍ଟ ଦୁବାକାନ୍ତ ମିଶ୍ରାଙ୍କ କହିବା ଅନୁଯାୟୀ, “ଗୋବିନ୍ଦ କୁମାର ନାମକ ଏହି ଶିଶୁଟିକୁ ଗତକାଲି ତା’ର ଗାଁ ନିକଟସ୍ଥ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଏଠାକୁ ରେଫର କରାଯାଇଥିଲା। ସେ ଏକ ଜୀବନ୍ତ ସାପକୁ କାମୁଡିବା ପରେ ମୂର୍ଚ୍ଛା ଯାଇଥିଲା।”

ମିଶ୍ରା ଆହୁରି କହିଛନ୍ତି, “ପରିବାର ଲୋକେ ଦାବି କରୁଛନ୍ତି ଯେ ମଝାଉଲିଆ ବ୍ଲକ ଅନ୍ତର୍ଗତ ମୋହଚ୍ଛି ବାଙ୍କଟୱା ଗାଁରେ ଥିବା ସେମାନଙ୍କ ଘରେ ଶିଶୁଟି ସାପଟିକୁ ଧରିଥିଲା। ତା’ର ଜେଜୀମା ତାକୁ ସାପ ସହ ଦେଖିଥିଲେ, କିନ୍ତୁ ସେ ହସ୍ତକ୍ଷେପ କରିବା ଆଗରୁ ଶିଶୁଟି ସାପକୁ କାମୁଡ଼ି ଦେଇଥିଲା। ସାପଟି ମୃତ ଅବସ୍ଥାରେ ଚଟାଣରେ ପଡ଼ିଥିଲା, ଏବଂ ଶିଶୁଟି ମଧ୍ୟ ମୂର୍ଚ୍ଛା ଯାଇଥିଲା।”

ଡାକ୍ତରମାନେ ଶିଶୁଟିକୁ ନିରୀକ୍ଷଣରେ ରଖିଛନ୍ତି ଏବଂ ଯଦି କୌଣସି ବିଷକ୍ରିୟାର ଲକ୍ଷଣ ଦେଖାଦିଏ, ତେବେ ଚିକିତ୍ସା ଆରମ୍ଭ କରାଯିବ ବୋଲି ମିଶ୍ରା କହିଛନ୍ତି।