ନୂଆଦିଲ୍ଲୀ,୨୮ା୧୧: ହ୍ୱାଇଟ୍ ହାଉସ୍ ନିକଟରେ ବୁଧବାର ଘଟିଥିବା “ଲକ୍ଷ୍ୟଭେଦୀ ଗୁଳିକାଣ୍ଡ”ରେ ଆହତ ହୋଇଥିବା ଦୁଇ ୱେଷ୍ଟ୍ ଭର୍ଜିନିଆ ନ୍ୟାସନାଲ୍ ଗାର୍ଡ ସଦସ୍ୟଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଛି। ଗୁରୁବାର ସନ୍ଧ୍ୟାରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଖବର ନିଶ୍ଚିତ କରିଛନ୍ତି।
ମୃତ ୨୦ ବର୍ଷୀୟା ସୈନିକା ହେଉଛନ୍ତି ୟୁଏସ୍ ଆର୍ମି ସ୍ପେସାଲିଷ୍ଟ୍ ସାରା ବେକଷ୍ଟ୍ରୋମ୍। ଥ୍ୟାଙ୍କସ୍ଗିଭିଂ ଅବସରରେ ସେନା କର୍ମଚାରୀଙ୍କ ସହ କଥା ହେଉଥିବାବେଳେ ଟ୍ରମ୍ପ୍ ତାଙ୍କୁ ଜଣେ “ବହୁ ସମ୍ମାନିତ, ଯୁବ, ଏବଂ ମହାନ ବ୍ୟକ୍ତି” ଭାବରେ ବର୍ଣ୍ଣନା କରିଛନ୍ତି। ଅନ୍ୟ ଆହତ ଗାର୍ଡ ସଦସ୍ୟ, ୨୪ ବର୍ଷୀୟ ଆଣ୍ଡ୍ରିୟୁ ୱୁଲ୍ଫ୍ ଏବେ ମଧ୍ୟ ସଙ୍କଟାପନ୍ନ ଅବସ୍ଥାରେ ଅଛନ୍ତି।
ମୃତ୍ୟୁ ପୂର୍ବରୁ ସାରାଙ୍କ ପିତା ଗ୍ୟାରୀ ବେକଷ୍ଟ୍ରୋମ୍ ଦି ନ୍ୟୁୟର୍କ ଟାଇମ୍ସକୁ କହିଥିଲେ ଯେ ତାଙ୍କ ଝିଅର ଆଘାତ ସାଙ୍ଘାତିକ ଥିଲା ଏବଂ ସେ ବଞ୍ଚିବା ଅସମ୍ଭବ।
ଏହି ଆକ୍ରମଣର ଅଭିଯୁକ୍ତ ହେଉଛି ୨୯ ବର୍ଷୀୟ ଆଫଗାନ ନାଗରିକ ରହମାନୁଲ୍ଲା ଲକନୱାଲ୍। ଆମେରିକୀୟ ଅଧିକାରୀମାନେ ନିଶ୍ଚିତ କରିଛନ୍ତି ଯେ ଲକନୱାଲ୍ ପୂର୍ବରୁ ଆଫଗାନିସ୍ତାନରେ CIA ଦ୍ୱାରା ସମର୍ଥିତ “ଜିରୋ ୟୁନିଟ୍”ରେ ବର୍ଷ ବର୍ଷ ଧରି କାର୍ଯ୍ୟ କରିଥିଲା। ଏହି ୟୁନିଟ୍ ତାଲିବାନ ବିରୋଧରେ ଲଢ଼ୁଥିଲା। ଲକନୱାଲ୍ ୨୦୨୧ ମସିହାରେ ‘ଅପରେସନ୍ ଆଲାଇସ୍ ୱେଲକମ୍’ କାର୍ଯ୍ୟକ୍ରମ ମାଧ୍ୟମରେ ଆମେରିକା ଆସିଥିଲା।
ଫେଡେରାଲ୍ ପ୍ରସିକ୍ୟୁଟରଙ୍କ ଅନୁଯାୟୀ, ଲକନୱାଲ୍ ୱାଶିଂଟନ୍ର ବେଲିଙ୍ଗହାମରୁ ୨,୫୦୦ ମାଇଲ୍ରୁ ଅଧିକ ଗାଡ଼ି ଚଳାଇ ୱାଶିଂଟନ୍ ଡିସି ଆସି ଏକ .୩୫୭ ସ୍ମିଥ୍ ଆଣ୍ଡ୍ ୱେସନ୍ ରିଭଲଭର ବ୍ୟବହାର କରି ଏହି “ ଘଟ ଲଗାଇ ଆକ୍ରମଣ” କରିଥିଲା।