ଲାଞ୍ଜିଗଡ଼,୧୫ା୧୦(ରମେଶ ଚନ୍ଦ୍ର ନାୟକ) : କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ଥାନା ଅନ୍ତର୍ଗତ ବଳଭଦ୍ରପୁର ଗ୍ରାମର ଜଣେ ଯୁବକଙ୍କୁ ସାମାନ୍ୟ ବଚସାକୁ ନେଇ ମଙ୍ଗଳବାର ରାତିରେ ହତ୍ୟା କରାଯାଇଛି। ହତ୍ୟାର ଶିକାର ହୋଇଥିବା ଯୁବକ ହେଲେ ଦିଲ୍ଲୀପ ଲୋହରା (୨୮)। ସୂଚନାନୁସାରେ ବଳଭଦ୍ରପୁର ଗ୍ରାମର ୪ ଯୁବକ କୁନିଲ ଲୋହାରା, ଲଳିତ ମାଝୀ, ଦିଲୀପ ଲୋହାରା, କୁଣୁଯା ମାଝୀ ଗତମାସ ୧୪ ତାରିଖରେ ରାୟଗଡା ଜିଲା ବିଷମକଟକ ବ୍ଲକ ଭାଟଗୁଡା ଗ୍ରାମରେ ମେଗା ପାନୀୟ ଜଳ ପ୍ରକଳ୍ପର ପାଣି ଟାଙ୍କି ନିର୍ମାଣ କାମରେ ଶ୍ରମିକ ଭାବେ ନିୟୋଜିତ ଥିଲେ। ଏପରିସ୍ଥଳେ ମଙ୍ଗଳବାର ରାତିରେ କୌଣସି କାରଣକୁ ନେଇ ସେମାନଙ୍କ ମଧ୍ୟରେ ବଚସା ହୋଇ ଗଣ୍ଡଗୋଳ ଆରମ୍ଭ ହୋଇଯାଇଥିଲା। ଏହି ସମୟରେ କୁନିଲ ଏକ ଟାଙ୍ଗିଆରେ ଆକ୍ରମଣ କରିବାରୁ ଦିଲ୍ଲୀପଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଆକ୍ରମଣରେ ଲଲିତ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ଖବରପାଇ ବିଷମକଟକ ପୋଲିସ ପୋଲିସ ପହଞ୍ଚତ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ହତ୍ୟାକାରୀ କୁନିଲଙ୍କୁ ପୋଲିସ ଅଟକ ରଖି ଅଧିକ ତଦନ୍ତ ଚଳାଇଛି। ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ବୁଧବାର ସାରେ ବଳଭଦ୍ରପୁର ଗ୍ରାମରେ ଶୋକାକୁଳ ପରିବେଶରେ ଶବଦାହ କରାଯାଇଛି।