୫ ଡିସେମ୍ବରରେ ଆନ୍ଦୋଳନକୁ ଓହ୍ଲାଇବେ ଦେଢ଼ ଲକ୍ଷ ଶିକ୍ଷକ

ଭଞ୍ଜନଗର,୨।୧୨(ବାବୁଲା ପ୍ରଧାନ): ଦୁଇ ଦଫା ଦାବୀ ପୂରଣ ନହେଲେ ଆସନ୍ତା ଡିସେମ୍ବର ୫ ତାରିଖରେ ରାଜ୍ୟର ଦେଢ଼ ଲକ୍ଷରୁ ଅଧିକ ପ୍ରାଥମିକ ଶିକ୍ଷକ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

ମଙ୍ଗଳବାର ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଏନ୍.ପି.ଏସ୍. ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ (ଏ.ବି.ଇ.ଓ.) ସୂର୍ଯ୍ୟ ନାୟକଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଡ. ଏନ୍. ଥୁରୁମାଲା ନାୟକଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି।

୧. ମୂଳ ବେତନ ବୃଦ୍ଧି ଓ ପଦବୀ ଉନ୍ନୀତିକରଣ: ପ୍ରାଥମିକ ଶିକ୍ଷକମାନଙ୍କର ମୂଳ ପଦବୀକୁ ଅପଗ୍ରେଡ୍ କରି ଲେବୁଲ୍ – ୯ ଅନୁଯାୟୀ ମୂଳ ବେତନ ୩୫,୪୦୦/- ଟଙ୍କା ପ୍ରଦାନ କରାଯାଉ। ୨. ଠିକା ସମୟକୁ ମୂଳ ଚାକିରୀରେ ଗଣନା: ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରୁ ଠିକା ପ୍ରଥା ଉଚ୍ଛେଦ କରି ୨୦୦୧ ମସିହା ଠାରୁ କାର୍ଯ୍ୟରତ ସମସ୍ତ ଶିକ୍ଷକଙ୍କର ଠିକା କାର୍ଯ୍ୟକାଳକୁ ମୂଳ ଚାକିରୀରେ ଗଣନା କରାଯାଉ ଏବଂ ନ୍ୟାସନାଲ ଇନ୍‌କ୍ରିମେଣ୍ଟ ପ୍ରଦାନ କରାଯାଉ।

ସଂଘ ଦାବି କରିଛି ଯେ ଆସନ୍ତା ୫ ତାରିଖ ସୁଦ୍ଧା ରାଜ୍ୟ ସରକାର ଶିକ୍ଷକମାନଙ୍କ ସମସ୍ୟାର ସମାଧାନ କରନ୍ତୁ। ଦାବୀପତ୍ରରେ ଦର୍ଶାଯାଇଛି ଯେ ଦୀର୍ଘ ଦିନ ଧରି ଏହି ଦୁଇଟି ଦାବୀ ପୂରଣ ପାଇଁ ଶିକ୍ଷକମାନେ ଆନ୍ଦୋଳନ କରି ଆସୁଛନ୍ତି, କିନ୍ତୁ ସମାଧାନ ହୋଇପାରିନାହିଁ।

ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଅନୁରୋଧ କରାଯାଇଛି ଯେ, ବିରୋଧୀ ଦଳରେ ଥିବା ସମୟରେ ସେ ଏହି ଦାବୀକୁ ପୂର୍ଣ୍ଣ ସମର୍ଥନ କରିଥିଲେ ଏବଂ ସରକାରକୁ ଆସିଲେ ଦାବୀ ପୂରଣ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ବର୍ତ୍ତମାନ ସରକାର ବଦଳିଥିବାରୁ ମୁଖ୍ୟମନ୍ତ୍ରୀ ଏହି ଅନୁରୋଧକୁ ବିଚାରକୁ ନିଅନ୍ତୁ। ଯଦି ଦାବୀ ପୂରଣ ନହୁଏ, ତେବେ ବାଧ୍ୟ ହୋଇ ଶିକ୍ଷକମାନେ ରାଜ୍ୟ ସଂଘର ନିଷ୍ପତ୍ତି ଅନୁସାରେ ଆନ୍ଦୋଳନକୁ ଓହ୍ଲାଇବେ।