୫ ହଜାର ସ୍କୁଲରେ ନାହାନ୍ତି ପିଲା, ବିନା ଛାତ୍ରୀଛାତ୍ରରେ ୧.୪୪ ଲକ୍ଷ ଶିକ୍ଷକ ନେଉଛନ୍ତି ଦରମା

ନୂଆଦିଲ୍ଲୀ,୧୮ା୧୨(ପି.ଟି.): ଭାରତର ୫,୦୦୦ରୁ ଅଧିକ ସ୍କୁଲରେ ଜଣେ ହେଲେ ପିଲା ନାହାନ୍ତି। ସେଥିରୁ ୭୦ ପ୍ରତିଶତ ବିଦ୍ୟାଳୟ କେବଳ ତେଲଙ୍ଗାନା ଓ ପଶ୍ଚିମବଙ୍ଗରେ ରହିଛି। ସେହିପରି ୧୦ ଜଣରୁ କମ୍‌ ଛାତ୍ରୀଛାତ୍ର ପଢ଼ୁଥିବା ସ୍କୁଲ ସଂଖ୍ୟା ଗତ ୨ ବର୍ଷ ମଧ୍ୟରେ ୨୪% ବୃଦ୍ଧି ପାଇ ୬୫,୦୫୪ରେ ପହଞ୍ଚତ୍ଛି। ଅନ୍ୟପକ୍ଷେ ନିମ୍ନ ଉପସ୍ଥାନ ରହୁଥିବା ସ୍କୁଲଗୁଡ଼ିକରେ ଏବେ ମଧ୍ୟ ୧.୪୪ ଲକ୍ଷ ଶିକ୍ଷୟିତ୍ରୀ ଶିକ୍ଷକ ନିୟୋଜିତ ରହିଥିବା ସରକାରୀ ସୂତ୍ରରୁ ପ୍ରକାଶ।
କେନ୍ଦ୍ର ସରକାରଙ୍କ ତଥ୍ୟକୁ ଆଧାରକରି ନ୍ୟୁଜ୍‌ ଏଜେନ୍ସି ପି.ଟି.ରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ  ୧୦.୧୩ ଲକ୍ଷ ସରକାରୀ ସ୍କୁଲ ରହିଛି। ସେଥିରୁ ୫,୧୪୯ ବିଦ୍ୟାଳୟରେ ଜଣେ ହେଲେ ଛାତ୍ରୀ କିମ୍ୱା ଛାତ୍ର ପାଠ ପଢ଼ୁନାହାନ୍ତି। ତେଲଙ୍ଗାନା ଓ ପଶ୍ଚିମବଙ୍ଗର ୭୦%ରୁ ଊର୍ଦ୍ଧ୍ୱ ସ୍କୁଲରେ ୨୦୨୪-୨୫ ଶିକ୍ଷାବର୍ଷରେ ପିଲାଙ୍କ ନାମଲେଖା ଶୂନ ରହିଛି। ତେଲଙ୍ଗାନାରେ ୨,୦୮୧ ଓ ପଶ୍ଚିମବଙ୍ଗରେ ୧,୫୭୧ ସ୍କୁଲରେ ଏଭଳି ସ୍ଥିତି ରହିଥିବା ଉକ୍ତ ରିପୋର୍ଟରେ ଦର୍ଶାଯାଇଛି। ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସଂସଦରେ ଉପସ୍ଥାପିତ ସଦ୍ୟ ତଥ୍ୟ ଅନୁସାରେ ୧୦ରୁ କମ୍‌ ଛାତ୍ରୀଛାତ୍ର ଥିବା ସ୍କୁଲ ସଂଖ୍ୟା ମାତ୍ରାଧିକ ବୃଦ୍ଧି ପାଇଛି। ଏଭଳି ସ୍କୁଲ ସଂଖ୍ୟା ୨୦୨୨-୨୩ରେ ୫୨,୩୦୯ ଥିବାବେଳେ ୨୦୨୪-୨୫ରେ ୬୫,୦୫୪କୁ ବୃଦ୍ଧି ପାଇଛି। ଏହି ସ୍କୁଲଗୁଡ଼ିକର ହାର ଦେଶର ସମସ୍ତ ସ୍କୁଲ ତୁଳନାରେ ୬.୪୨% ରହିଛି। ତେଲଙ୍ଗାନାର ନାଲଗୋଣ୍ଡା ଜିଲାରେ ସର୍ୱାଧିକ ୩୧୫ ସ୍କୁଲ ବିନା ଛାତ୍ରୀଛାତ୍ରରେ ଚାଲିଥିବାବେଳେ   ମହବୁବାବାଦ ଜିଲାରେ ଏଭଳି ସ୍କୁଲ ସଂଖ୍ୟା ୧୬୭ ରହିଛି। ସେହିପରି ପଶ୍ଚିମବଙ୍ଗର କୋଲକାତାରେ ଥିବା ୨୧୧ ସ୍କୁଲରେ
୫ ହଜାର ସ୍କୁଲରେ …
ମଧ୍ୟ ଜଣେ ହେଲେ ପିଲା ନାହାନ୍ତି। ମେଦିନିପୁରରେ ଜିରୋ ଏନ୍‌ରୋଲ୍‌ମେଣ୍ଟ ଥିବା ସ୍କୁଲ ସଂଖ୍ୟା ୧୭୭ ଥିବାବେଳେ ଦକ୍ଷିଣ ଦିନାଜପୁର ଜିଲାରେ ଏପରି ସ୍କୁଲ ସଂଖ୍ୟା ୧୪୭ ରହିଛି। ପିଲା ପାଠ ପଢ଼ିବାକୁ ଆଦୌ ନ ଆସିବା ସତ୍ତ୍ୱେ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ନିଯୁକ୍ତ କରି ସରକାର ଦରମା ଦେଉଛନ୍ତି। ବିନା ଛାତ୍ରୀଛାତ୍ରରେ ଚାଲିଥିବା ସ୍କୁଲଗୁଡ଼ିକରେ ଟିଚର୍ସଙ୍କ ସଂଖ୍ୟା ଦେଶରେ ୧.୪୪ ଲକ୍ଷ ବୋଲି କଂଗ୍ରେସ ଏମ୍‌ପି କାର୍ତ୍ତି ପି. ଚିଦାମ୍ୱରମ୍‌ ଏବଂ ଅମରିନ୍ଦର ସିଂ ରାଜା ଓ୍ୱାରିଂଙ୍କ  ପ୍ରଶ୍ନର ଲିଖିତ ଉତ୍ତରରେ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏହି ଉତ୍ତର ଦିଆଯାଇଛି। ତେବେ ସ୍କୁଲ ପରିଚାଳନା ଓ ଶିକ୍ଷକଙ୍କ ନିଯୁକ୍ତି ସମ୍ପୃକ୍ତ ରାଜ୍ୟ ସରକାରଙ୍କ ଅଧିକାର ପରିସରଭୁକ୍ତ ବୋଲି ମନ୍ତ୍ରଣାଳୟ ସୂଚନା ଦେଇଛି।

Share