୭୯ ବର୍ଷରେ ମାଟ୍ରିକ୍‌ ପାସ୍‌

ଉଦ୍ଧମ ସିଂ ନଗର(ଉତ୍ତରାଖଣ୍ଡ): ଦୃଢ ଇଚ୍ଛାଶକ୍ତି ପାଖରେ ବୟସ ବି ହାର୍‌ ମାନିଥାଏ। ଏହାର ପ୍ରମାଣ ଦେଇଛନ୍ତି ୭୯ ବର୍ଷୀୟ ଅବସରପ୍ରାପ୍ତ ସିଆର୍‌ପିଏଫ୍‌ ସୁବେଦାର-ମେଜର। ପାଠ ପଢିବା ଲାଗି କୌଣସି ବୟସ ନ ଥାଏ ବୋଲି ମଧ୍ୟ ସେ ଜଣାଇ ଦେଇଛନ୍ତି। ଉତ୍ତରାଖଣ୍ଡର ଖତିମା ସହରରେ ରହୁଥିବା ଦାନୀ ରାମ ସିଆର୍‌ପିଏଫ୍‌ ସୁବେଦାର-ମେଜର ଭାବେ କାମ କରି ଅବସର ନେଇଛନ୍ତି। ହେଲେ ତାଙ୍କର ଇଚ୍ଛାଥିଲା ସେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଭାବେ ଅବସର ନେବେ। କିନ୍ତୁ ତାଙ୍କର ଶିକ୍ଷାଗତ ଯୋଗ୍ୟତା ନ ହେବାରୁ ସେ ସିଆର୍‌ପିଏଫ୍‌ ସୁବେଦାର-ମେଜର ଭାବେ ଅବସର ନେଇଥିଲେ। ଏହାପରେ ସେ ଅତିକମ୍‌ରେ ମାଟ୍ରିକ ପାସ୍‌ କରିବାକୁ ନିଷ୍ପତ୍ତି ନେଇଥିଲେ। ଆଉ ୭୯ ବର୍ଷରେ ସେ ଏହା କରିଦେଖାଇଥିବାରୁ ଖୁବ୍‌ ଖୁସି ପ୍ରକାଶ କରିଛନ୍ତି। ତାଙ୍କ ଝିଅ ଶିକ୍ଷକତା କରୁଥିବା ବେଳେ ଏଥିପାଇଁ ସେ ଦାନୀ ରାମଙ୍କୁ ପ୍ରେରଣା ଦେଇଥିବା କହିଛନ୍ତି। ତେଣୁ ଜୀବନରେ ସମସ୍ତେ ଉଚ୍ଚ ଶିକ୍ଷିତ ହେବା ଭଲ ବୋଲି ଦାନୀ କହିଛନ୍ତି।