୫ ରାଷ୍ଟ୍ରକୁ ଚିଦାମ୍ବରମଙ୍କ କମ୍ପାନୀର ବିବରଣୀ ମାଗିଲା ସିବିଆଇ

ନୂଆଦିଲ୍ଲୀ,୨୪।୮: ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ବରମ୍‌ ଓ ତାଙ୍କ ପୁଅ କାର୍ତ୍ତି ଚିଦାମ୍ବରମ୍‌ ମାଲିକାନାରେ ଥିବା ବିଭିନ୍ନ ସେଲ୍‌ କମ୍ପାନୀ ଓ ବ୍ୟାଙ୍କ ଆକାଉଣ୍ଟ ସମ୍ପର୍କିତ ବିବରଣୀ ଦେବାକୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ୫ଟି ଦେଶକୁ ଅନୁରୋଧ କରିଛି। ସିବିଆଇ ଏଥିପାଇଁ ବ୍ରିଟେନ, ସ୍ବିଜରଲାଣ୍ଡ, ବରମୁଡା, ମରିସସ୍‌ ଏବଂ ସିଙ୍ଗାପୁରକୁ ପତ୍ର ଲେଖିଥିବା ଜଣାପଡିଛି। ଆଇଏନ୍‌ଏକ୍ସ ମିଡିଆରେ ୩୦୫ କୋଟି ଟଙ୍କା ବିଦେଶୀ ପୁଞ୍ଜିନିବେଶକୁ ମଞ୍ଜୁରୀ ଦେବାରେ ଅନିୟମିତତାକୁ ନେଇ ତତ୍କାଳୀନ ଅର୍ଥମନ୍ତ୍ରୀ ଚିଦାମ୍ବରମଙ୍କୁ ବୁଧବାର ରାତିରେ ସିବିଆଇ ଗିରଫ କରିଥିଲା। ଏହି ମାମଲାରେ ମନିଲଣ୍ଡରିଂକୁ ନେଇ ତାଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମଧ୍ୟ ତଦନ୍ତ ଜାରି ରଖିଛି।