Categories: Home Leftଖେଳ

୫୦୦ ହଜାର ଡଲାର ଦାନ କଲେ ଲୁଇସ ହାମିଲଟନ

ଲଣ୍ଡନ,୧୦।୧- ଅଷ୍ଟ୍ରେଲିଆର ଦକ୍ଷିଣାଞ୍ଚଳ ଜଙ୍ଗଲରେ ଲାଗିଥିବା ନିଆଁ ଦ୍ୱାରା ହୋଇଥିବା କ୍ଷୟକ୍ଷତି ଭରଣା କରିବା ପାଇଁ ଆଗେଇ ଆସିଛନ୍ତି ୬ ଥର ଫର୍ମୁଲା ଓ୍ବାନ୍‌ ବିଶ୍ୱ ଚାମ୍ପିୟନ ଲୁଇସ ହାମିଲଟନ। ସେ ଶୁକ୍ରବାର ୫୦୦ ହଜାର ଡଲାର ଅର୍ଥାତ ୩.୫ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଦାନ କରିଛନ୍ତି। ଏ ନେଇ ଟୁଇଟ୍‌ର ଜରିଆରେ ଏକ ଭିଡିଓ ଶେୟାର କରି ଘୋଷଣା କରିଛନ୍ତି। ଉକ୍ତ ଭିଡିଓରେ ଏକ କୋଆଲା ଜଙ୍ଗଲର ନିଆଁ ଓ ଧୂଆଁରେ ଘେରି ହୋଇ ରହିଯାଇଛି। ପରେ କୋଆଲାକୁ ସ୍ଥାନୀୟ ବସିନ୍ଦା ଉଦ୍ଧାର କରିଛନ୍ତି। ଏହାର କ୍ୟାପଶନରେ ଲେଖିଛନ୍ତି, ଅଷ୍ଟ୍ରେଲିଆ ଜଙ୍ଗଲରେ ଲାଗିଥିବା ନିଆଁ ଯୋଗୁ ଜନସାଧାରଣ ଓ ବନ୍ୟଜନ୍ତୁଙ୍କ ଜୀବନ ପ୍ରବଳମାତ୍ରାରେ ପ୍ରଭାବିତ ହୋଇଛି। ମୁଁ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ୫୦୦ ହଜାର ଡଲାର ଦାନ କରୁଛି। ୩୫ ବର୍ଷୀୟ ମର୍ସିଡିଜ ଡ୍ରାଇଭରଙ୍କ ଇନଷ୍ଟାଗ୍ରାମରେ ୧୪ ନିୟୁତ ଓ ଟୁଇଟରରେ ୫.୬ ନିୟୁତ ଫଲୋଅର୍ସ ଅଛନ୍ତି। ସେମାନଙ୍କୁ ସହାୟତା ପାଇଁ ଆଗେଇ ଆସିବାକୁ କହିଛନ୍ତି। ସେହିଭଳି ରେନଲ୍ଟର ଅଷ୍ଟ୍ରେଲିଆନ ଡ୍ରାଇଭର ଡାନିଏଲ ରିକିଆର୍ଡୋ ମଧ୍ୟ ସୋସିଆଲ ମିଡିଆରେ ଅନୁରୋଧ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଏପର୍ଯ୍ୟନ୍ତ ଜଙ୍ଗଲ ନିଆଁ ଯୋଗୁ ୨୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ କୋଟି କୋଟି ବନ୍ୟଜନ୍ତୁ ପ୍ରାଣ ହରାଇସାରିଛନ୍ତି।