Categories: ଅନୁଗୋଳ

୪.୭୩ ଲକ୍ଷ ପିଲା ଖାଇବେ କୃମି ନାଶକ ଔଷଧ

ଅନୁଗୋଳ ଅଫିସ, ୨୦।୭ – ଅଗଷ୍ଟ ୮ ଜାତୀୟ କୃମି ନାଶକ ଦିବସ ଅବସରରେ ଅଙ୍ଗନୱାଡ଼ି କେନ୍ଦ୍ର ଓ ବିଦ୍ୟାଳୟରେ ପଢ଼ୁଥିବା ପିଲାମାନଙ୍କୁ କିପରି କୃମି ନାଶକ ଔଷଧ ଖୁଆଯିବ ସେ ନେଇ ଜିଲାପାଳ ମନୋଜ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ସଫଳତାର ସହିତ କାର୍ଯ୍ୟକାରୀ କରିବା ଉପରେ ଜିଲାପାଳ ଗୁରୁତ୍ୱ ଦେଇଥିଲେ। ବିଦ୍ୟାଳୟ ଓ ଅଙ୍ଗନୱାଡ଼ି କେନ୍ଦ୍ର ଗୁଡ଼ିକରେ କୃମିନାଶକ ସିରପ ଓ ବଟିକା ପ୍ରଦାନ କରାଯାଇ ଏହି ଦିବସ ପାଳନ କରାଯିବ। ୧ରୁ ୫ ବର୍ଷ ପିଲାମାନଙ୍କୁ ଅଙ୍ଗନୱାଡ଼ି କେନ୍ଦ୍ରରେ ଓ ୬ରୁ ୧୯ ବର୍ଷ ପିଲାମାନଙ୍କୁ ବିଦ୍ୟାଳୟରେ ଔଷଧ ଖାଇବାକୁ ଦିଆଯିବ। ଜିଲାର ସମୁଦାୟ ୪ ଲକ୍ଷ ୭୩ ହଜାର ୩୨୪ ଜଣ ଛାତ୍ରୀଛାତ୍ରଙ୍କୁ ଏହି ଔଷଧ ଖୁଆଯିବାର ଲକ୍ଷ୍ୟ ରଖାଯାଇଛି। ୧ରୁ ୨ ବର୍ଷ ପିଲାଙ୍କୁ ୫ ମି.ଲି. ଆଲବେଣ୍ଡାଜଲ ସିରପ, ୩ରୁ ୫ ବର୍ଷ ପିଲାମାନଙ୍କୁ ୧୦ ମି.ଲି. ସିରପ ଓ ୬ରୁ ୧୯ ବର୍ଷର ପିଲାମାନଙ୍କୁ ଗୋଟିଏ ଲେଖାଏ ଆଲବେଣ୍ଡାଜଲ ଟାବଲେଟ୍‌ ଖାଇବାକୁ ଦିଆଯିବ। ଏହି ବୈଠକରେ ଜିଲାପାଳ ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରରେ ଆନୁଷଙ୍ଗିକ ବ୍ୟବସ୍ଥା ଓ ଚାଲିଥିବା ଗୃହ ନିର୍ମାଣ ତଥା ମରାମତି କାର୍ଯ୍ୟର ସମୀକ୍ଷା ସହ ନିର୍ଦ୍ଧାରିତ ସମୟ ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ବିଭାଗୀୟ କର୍ମକର୍ତ୍ତାଙ୍କୁ ପରାମର୍ଶ ଦେଇଥିଲେ। ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ପ୍ରତାପ କୁମାର ବେହେରା ବିଭିନ୍ନ ଯୋଜନା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଡାକ୍ତର ସୂର୍ଯ୍ୟପ୍ରତାପ ମହାମାନସିଂହ କୃମିନାଶକ ଦିବସ ପାଳନ ସମ୍ପର୍କରେ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏଡିଏମ୍‌ଓ (ମେଡିକାଲ) ଡାକ୍ତର ଲକ୍ଷ୍ମୀ ନାରାୟଣ ବିଶୋଇ, ଏଡିଏମ୍‌ଓ (ଜନସ୍ବାସ୍ଥ୍ୟ) ଡାକ୍ତର ରାକେଶ କୁମାର ସାହୁ, ଡିପିଏମ୍‌ଏନ୍‌ଏଚ୍‌ଏମ୍‌ ବିଶ୍ୱ ରଞ୍ଜନ ରଥଙ୍କ ସମେତ ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର, ସ୍ବାସ୍ଥ୍ୟକର୍ମୀ ଓ ଜିଲା ମୁଖ୍ୟ ଚିକିତ୍ସାଳୟର କର୍ମଚାରୀ, ଜିଲାସ୍ତରୀୟ ଅଧିକାରୀମାନେ ଯୋଗଦେଇଥିଲେ।