Categories: Home Leftଖେଳ

୪ ତାରିଖରେ ଜଣାପଡ଼ିପାରେ ଧୋନୀଙ୍କ ଭାଗ୍ୟ

ନୂଆଦିଲ୍ଲୀ,୨୮।୮: ମହେନ୍ଦ୍ର ସିଂ ଧୋନୀ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇ ନାହାନ୍ତି। କିନ୍ତୁ ଦକ୍ଷିଣ ଆଫ୍ରିକା ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ ଲାଗି ଭାରତୀୟ ଦଳରେ ତାଙ୍କ ସ୍ଥାନ ପାଇବାର ବିଶେଷ ସମ୍ଭାବନା ନାହିଁ। ଆସନ୍ତା ୧୫ ତାରିଖରୁ ଆରମ୍ଭ ହେବାକୁ ଥିବା ସିରିଜ୍‌ ଲାଗି ୪ ତାରିଖରେ ଦଳ ଘୋଷଣା କରାଯିବା ନେଇ ଆଶା କରାଯାଉଛି। ପ୍ରଥମ ମ୍ୟାଚ୍‌ ଧର୍ମଶାଳାଠାରେ ଖେଳାଯିବା ପରେ ଦ୍ୱିତୀୟଟି ୧୮ରେ ମୋହାଲି ଓ ଅନ୍ତିମ ତଥା ୩ୟ ମ୍ୟାଚ୍‌ ୨୨ ତାରିଖରେ ବେଙ୍ଗାଲୁରୁଠାରେ ଖେଳାଯିବ। ଓ୍ବେଷ୍ଟଇଣ୍ଡିଜକୁ ୩-୦ ବ୍ୟବଧାନରେ ପରାସ୍ତ କରିଥିବା ଭାରତୀୟ ଦଳରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। କାରଣ ୨୦୨୦ରେ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ ପୂର୍ବରୁ ଦଳ ନିକଟରେ ୨୨ ଟି୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ ରହିଛି। ଏହାକୁ ଦୃଷ୍ଟିରେ ରଖି ଚୟନ କମିଟି ଆଗକୁ ବଢ଼ିବାର ନିଷ୍ପତ୍ତି ନେଇଛି ବୋଲି ସିନିୟର ବିସିସିଆଇ କର୍ମକର୍ତ୍ତା କହିଛନ୍ତି। ସେମାନେ ସୀମିତ ଓଭର କ୍ରିକେଟ ପାଇଁ ୩ ଜଣିଆ ଉଇକେଟକିପର ପୁଲ ରଖିବାକୁ ଯୋଜନା କରୁଛନ୍ତି। ଅବସର ବ୍ୟକ୍ତିଗତ ନିଷ୍ପତ୍ତି। ଜଣଙ୍କୁ ଅବସର ପାଇଁ ବାଧ୍ୟ କରିବାର ଅଧିକାର ଚୟନକର୍ତ୍ତା କିମ୍ବା କାହାରି ନାହିଁ। କିନ୍ତୁ ସେମାନଙ୍କ ନିକଟରେ ବିଶ୍ୱ ଟି୨୦ ପୂର୍ବରୁ ରୋଡ୍‌ମ୍ୟାପ ପ୍ରସ୍ତୁତ କରିବାର ଦାୟିତ୍ୱ ରହିଛି ବୋଲି ଉକ୍ତ ଅଫିସିଆଲ କହିଛନ୍ତି। ଏବେପର୍ଯ୍ୟନ୍ତ ଧୋନୀଙ୍କ ଯୋଜନା ସମ୍ପର୍କରେ ବିସିସିଆଇ ପ୍ରତିନିଧି କିମ୍ବା ଚୟନ କମିଟି କଥା ହୋଇନାହାନ୍ତି। ଓ୍ବେଷ୍ଟଇଣ୍ଡିଜ ଗସ୍ତ ପୂର୍ବରୁ ଧୋନୀଙ୍କ ସହ ଆଲୋଚନା ହୋଇଥିଲା। ସେତେବେଳେ ଧୋନୀ ୨ ମାସ ବିରତି ଚାହୁଁଥିବା କହିଥିଲେ। ମିଳିଥିବା ସୂଚନା ମୁତାବକ, ଚୟନ କମିଟି ଦ୍ୱିତୀୟ ଓ ତୃତୀୟ ବିକଳ୍ପ ଭାବେ ସଞ୍ଜୁ ସାମ୍‌ସନ ଓ ଈଶାନ କିଶାନଙ୍କ ଉପରେ ନଜର ରଖିଛି। ସାମ୍‌ସନଙ୍କ ପ୍ରଦର୍ଶନ ଦେଖିବା ପାଇଁ ଥିରୁଭାନନ୍ଥପୁରମଠାରେ ହେବାକୁ ଥିବା ଏ ସିରିଜ୍‌ରେ ଚୟନ କମିଟିର ସଦସ୍ୟ ଷ୍ଟାଡିୟମ୍‌ରେ ଉପସ୍ଥିତ ରହିବେ।