Categories: Home Leftଖେଳ

୩ ନୂଆ ଭେନ୍ୟୁରେ ହୋଇପାରେ ଆଇପିଏଲ୍‌ ୨୦୨୦

ନୂଆଦିଲ୍ଲୀ,୯।୧୧- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ନୂଆ ଦଳ ସାମିଲ ହେବା ପାଇଁ ୨୦୨୧ ସିଜନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। କିନ୍ତୁ ୨୦୨୦ ସଂସ୍କରଣ ୩ ନୂଆ ଭେନ୍ୟୁରେ ଖେଳାଯାଇପାରେ। ୮ ଫ୍ରାଞ୍ଚାଇଜର ମାଲିକମାନେ ବିସିସିଆଇର ନବନିଯୁକ୍ତ କର୍ମକର୍ତ୍ତାଙ୍କୁ ମୁମ୍ବାଇଠାରେ ଭେଟିଥିଲେ। ଏହି ବୈଠକରେ ବିଭିନ୍ନ ପ୍ରାଞ୍ଚାଇଜ ଭେନ୍ୟୁ ପରିବର୍ତ୍ତନ ଲାଗି ଅନୁରୋଧ କରିବା ସହ ୩ ଭେନ୍ୟୁ ଯଥା ଲକ୍ଷ୍ନୌ, ଗୁଆହାଟୀ ଓ ଥିରୁଭାନନ୍ତପୁରମର ଭେନ୍ୟୁକୁ ବ୍ୟବହାର ପାଇଁ ପ୍ରସ୍ତାବ ଦେଇଛନ୍ତି। ବିସିସିଆଇ ଅଫିସିଆଲ କହିଛନ୍ତି, କିଙ୍ଗ୍ସ ଏକାଦଶ ପଞ୍ଜାବ ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌଠାରେ ଦ୍ୱିତୀୟ ହୋମ ଭେନ୍ୟୁ ଚାହୁଁଥିବାବେଳେ ରାଜସ୍ଥାନ ରୟାଲ୍ସ ତା’ର ଭେନ୍ୟୁ ଅହମ୍ମଦାବାଦରୁ ଗୁଆହାଟୀକୁ ସ୍ଥାନାନ୍ତର କରିବାକୁ ଇଚ୍ଛା ପ୍ରକାଶ କରିଛି। ଥିରୁଭାନନ୍ତପୁରମର ଘରୋଇ ଦଳ ସମ୍ପର୍କରେ ନିଷ୍ପତ୍ତି ନିଆଯାଇ ନାହିଁ। ହେଲେ ଏଠାକୁ ୩ୟ ଭେନ୍ୟୁ କରାଯାଇପାରେ। କାରଣ ଏଠାକର ଗ୍ରାଉଣ୍ଡରେ ସମସ୍ତ ଆବଶ୍ୟକ ସୁବିଧା ରହିଛି ଓ ବହୁ ସଂଖ୍ୟାରେ କ୍ରିକେଟ ପ୍ରଶଂସକ ରହିଛନ୍ତି। ଅହମ୍ମଦାବାଦ ବଦଳରେ ଗୁଆହାଟୀକୁ ହୋମ ଭେନ୍ୟୁ କରିବାକୁ ଚାହୁଁଥିବା ରାଜସ୍ଥାନ ଫ୍ରାଞ୍ଚାଇଜ ପ୍ରସ୍ତାବରେ ଗଭର୍ନିଂ କାଉନ୍ସିଲର କୌଣସି ଅସୁବିଧା ନାହିଁ। ଆଇଏମ୍‌ଜି ବର୍ଷାପାରା କ୍ରିକେଟ ଷ୍ଟାଡିୟମରେ ଯାଞ୍ଚ କରିବା ପରେ ଗ୍ରୀନ୍‌ ସିଗ୍‌ନାଲ ମିଳିବ। ସେହିଭଳି ଲକ୍ଷ୍ନୌ ଗ୍ରାଉଣ୍ଡ ଲାଗି ପଞ୍ଜାବ ଫ୍ରାଞ୍ଚାଇଜ ଗତ ସଂସ୍କରଣଠାରୁ ଅନୁରୋଧ କରୁଛି। ନିକଟରେ ସେଠାରେ ଭାରତ- ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରୁ ରିଭ୍ୟୁ ସିଷ୍ଟମ ବଦଳି ଥିବା ଜଣାପଡ଼ିଛି। ଏଣୁ ଏହି ଗ୍ରାଉଣ୍ଡରେ ପ୍ରଞ୍ଜାବ ଦଳର ଦ୍ୱିତୀୟ ହୋମ ଭେନ୍ୟୁ ହେବା ନେଇ ବିଶେଷ ସମ୍ଭାବନା ରହିଛି। ପୂର୍ବରୁ ଏହି ଦଳ ମୋହାଲି ଓ ହୋଲକାର ଷ୍ଟାଡିୟମରେ ତା’ର ସମସ୍ତ ହୋମ ମ୍ୟାଚ୍‌ ଖେଳୁଥିଲା। ମିଳିଥିବା ସୂଚନା ମୁତାବକ ମୁମ୍ବାଇ ଇଣ୍ଡିଆନ୍ସ, ସନରାଇଜର୍ସ ହାଇଦ୍ରାବାଦ, କୋଲକାତା ନାଇଟ୍‌ ରାଇଡର୍ସ, ଦିଲ୍ଲୀ କ୍ୟାପିଟାଲ୍ସ ଓ ଏପରି କି ରାଜସ୍ତାନ ମଧ୍ୟ ସିଜନ ଆରମ୍ଭରୁ ଆଇପିଏଲ୍‌ ଦଳ ବିଦେଶରେ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ ଖେଳିବାକୁ ଇଚ୍ଛା ପ୍ରକାଶ କରିଛନ୍ତି।