Categories: ମେଟ୍ରୋ

୩୬୦ ବିଦ୍ୟାର୍ଥୀଙ୍କୁ ଶୂନ ମାର୍କ

କଟକ ଅଫିସ,୭ା୧୧: ଖପୁରିଆସ୍ଥିତ ସରକାରୀ ଆଇଟିଆଇ କଲେଜର ୪ର୍ଥ ସେମିଷ୍ଟର ପରୀକ୍ଷା ଫଳରେ ବିଭ୍ରାଟ ଦେଖାଦେଇଛି। ୩୬୦ ଛାତ୍ରୀଛାତ୍ରଙ୍କୁ ଗୋଟିଏ ପରୀକ୍ଷାରେ ଶୂନ ମାର୍କ ମିଳିଛି। ଯାହାକୁ ନେଇ ବୁଧବାର କଲେଜ ପରିସରରେ ଉତ୍ତେଜନା ଦେଖାଦେଇଥିଲା। ପରୀକ୍ଷା ଖାତାର ପୁନଃ ମୂଲ୍ୟାୟନ ପାଇଁ ଛାତ୍ରୀଛାତ୍ରମାନେ ଦାବି କରିବା ସହ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପାଟିତୁଣ୍ଡ କରିଥିଲେ। ମିଳିଥିବା ସୂଚନା ଅନୁଯାୟୀ, କଲେଜର ଫିଟର, ଇଲେକ୍ଟ୍ରୋନିକ୍ସ ଓ ଏମ୍‌ଏମ୍‌ଭି ପାଠ୍ୟକ୍ରମର ଛାତ୍ରୀଛାତ୍ରମାନେ ଏଭଳି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଉକ୍ତ ୩ ପାଠ୍ୟକ୍ରମର ଇଞ୍ଜିନିୟରିଂ ଡ୍ରଇଂ ପରୀକ୍ଷାରେ ସମସ୍ତ ବିଦ୍ୟାର୍ଥୀ ଶୂନ ମାର୍କ ପାଇଛନ୍ତି। ଏ ନେଇ କଲେଜ ଅଧ୍ୟକ୍ଷ ଡ. ହୃଷୀକେଶ ମହାନ୍ତି କୁହନ୍ତି, ଦୁଇଦିନ ମଧ୍ୟରେ ଏହାର ସମାଧାନ କରାଯିବ। କାଉନସିଲ ସହ ଆଲୋଚନା ଶେଷ ହୋଇଛି। ଘଟଣାର ତଦନ୍ତ ପାଇଁ ଉଚ୍ଚସ୍ତରୀୟ ଅଧିକାରୀଙ୍କ ନିକଟକୁ ଚିଠି ପଠାଯାଇଛି। ଏ ସମ୍ପର୍କରେ ଜାଣିବା ପରେ ଛାତ୍ରୀଛାତ୍ରମାନେ ପାଟିତୁଣ୍ଡରୁ ନିବୃତ୍ତ ରହିଥିଲେ।