The Minister of State for Commerce & Industry (Independent Charge), Smt. Nirmala Sitharaman addressing at the inauguration of the 2nd Edition of the Global Exhibition on Services-2016 (GES), at India Expo Centre & Mart, Greater Noida, Uttar Pradesh on April 20, 2016.
ନୂଆଦିଲ୍ଲୀ,୨୨ା୭: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍ଙ୍କ ଅଧ୍ୟକ୍ଷତାରେ ଆସନ୍ତା ୨୫ରେ ଜିଏସ୍ଟି କାଉନସିଲ୍ର ୩୬ତମ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ଇଲେକ୍ଟ୍ରିକ୍ ଗାଡ଼ି(ଇ-ଯାନ) ଉପରେ ଆଦାୟ କରାଯାଉଥିବା ଟିକସ ହ୍ରାସ କରିବା ନେଇ ନିଷ୍ପତ୍ତି ନିଆଯିବ। ଭିଡ଼ିଓକନ୍ଫରେନ୍ସିଂ ମାଧ୍ୟମରେ ହେବାକୁ ଥିବା ଏହି ବୈଠକରେ ସୋଲାର ପାଓ୍ବାର ଜେନେରେଶନ ସିଷ୍ଟମ୍ସ ଏବଂ ଓ୍ବିଣ୍ଡ ଟର୍ବାଇନ୍ ପ୍ରକଳ୍ପ ପାଇଁ ଜିଏସ୍ଟି ହାର ନିର୍ଦ୍ଧାରଣ କରାଯିବାର ସମ୍ଭାବନା ରହିଛି। କାଉନସିଲ୍ର ୩୫ତମ ବୈଠକରେ ଇ-ଯାନ, ଇ-ଚାର୍ଜର ଓ ଇ-ଯାନ ଭଡ଼ା ଉପରେ ଜିଏସ୍ଟି ହାର ନିର୍ଦ୍ଧାରଣ ସଂକ୍ରାନ୍ତରେ ସୁପାରିସ୍ କରିବାକୁ ଅଫିସର୍ସ କମିଟି ଗଠନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। କମିଟିର ସୁପାରିସ୍କୁ ଏହି ବୈଠକରେ ଉପସ୍ଥାପନ କରାଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ ପ୍ରକାଶ କରିଛନ୍ତି। ଘରୋଇ ଇ-ଯାନ ନିର୍ମାତାଙ୍କୁ ଆଶ୍ୱସ୍ତ କରିବାକୁ ଯାଇ କେନ୍ଦ୍ର ସରକାର ଏହା ଉପରେ ୧୨ ବଦଳରେ ୫% ଜିଏସ୍ଟି ଆଦାୟ କରିବାକୁ ପ୍ରସ୍ତାବ ଦେଇଛନ୍ତି। ପେଟ୍ରୋଲ, ଡିଜେଲ କାର୍ ଓ ହାଇବ୍ରିଡ ଗାଡ଼ି ଉପରେ ସର୍ବାଧିକ ୨୮% ଜିଏସ୍ଟି ଆଦାୟ କରାଯାଉଛି। ସୋଲାର ପାଓ୍ବାର ଉଦ୍ୟୋଗରେ ନିଆଯାଉଥିବା ଜିଏସ୍ଟି ହ୍ରାସ ପାଇଁ କାଉନ୍ସିଲ ବିଚାର କରୁ ବୋଲି ଦିଲ୍ଲୀ ହାଇକୋର୍ଟ ଗତ ମେ’ରେ ନିର୍ଦ୍ଦେଶ ଦେଇଥିଲେ। ଏସଂକ୍ରାନ୍ତରେ ଉଦ୍ୟୋଗ ପକ୍ଷରୁ ଏକ ମାମଲା ଦାଏର କରାଯାଇଥିଲା। ଏହାକୁ ଦୃଷ୍ଟିରେ ରଖି କାଉନସିଲ ଆସନ୍ତା ବୈଠକରେ ଏହାକୁ ନେଇ ଆଲୋଚନା କରିବ ଓ ନିଷ୍ପତ୍ତି ନେବ ବୋଲି ଅଧିକାରୀ ପ୍ରକାଶ କରିଛନ୍ତି।