୨୨ ଗ୍ରାମ ବ୍ରାଉନସୁଗାର ଜବତ: ବାଲେଶ୍ୱରର ଶେଖ୍‌ ମୁସ୍ତାକିନ୍‌ ଗିରଫ

ଭୁବନେଶ୍ୱର,୩୧।୧(ବ୍ୟୁରୋ): ରାଜ୍ୟରେ ବ୍ରାଉନସୁଗାର କାରବାର ବଢିଚାଲିଥିବାବେଳେ ଏହା ଉପରେ ରୋକ ଲଗାଇବା ପାଇଁ କ୍ରାଇମବ୍ରାଞ୍ଚର ଏସ୍‌ଟିଏଫ୍‌ (ସ୍ପେଶାଲ ଟାସ୍କ ଫୋର୍ସ) ବିଭିନ୍ନ ସ୍ଥାନରେ ମାରାଥନ ଚଢାଉ ଜାରି ରଖିଛି। ବୁଧବାର ଖଣ୍ଡଗିରି ଥାନା ଅଧୀନ ବରମୁଣ୍ଡା ଅଞ୍ଚଳରେ ଏସ୍‌ଟିଏଫ ଚଢାଉ କରି ୨୨ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହ ଜଣେ ବ୍ୟବସାୟୀଙ୍କୁ ଗିରଫ କରିଛି। ସେ ହେଲେ ବାଲେଶ୍ୱର ଜିଲା ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଅରଡବଜାର ଅଞ୍ଚଳର ଶେଖ ମୁସ୍ତାକିନ(୨୭)।
ସୂଚନା ମୁତାବକ, ଅଭିଯୁକ୍ତ ମୁସ୍ତାକିନ ରାଜଧାନୀ ଓ ଉପକଣ୍ଠ ଅଞ୍ଚଳରେ ବ୍ରାଉନସୁଗାର କାରବାର ଚଳାଇଥିବା ନେଇ ଏସ୍‌ଟିଏଫ୍‌ ଖବର ପାଇଥିଲା। ଏହାପରେ ଅଭିଯୁକ୍ତଙ୍କୁ ଧରିବା ପାଇଁ ଜାଲ ବିଛାଯାଇଥିଲା। ବୁଧବାର ସନ୍ଧ୍ୟାରେ ବରମୁଣ୍ଡା ବସଷ୍ଟାଣ୍ଡ ଅଞ୍ଚଳରେ ମୁସ୍ତାକିନ ବ୍ରାଉନସୁଗାର ଡିଲ କରୁଥିବାବେଳେ ଏସ୍‌ଟିଏଫ ଚଢାଉ କରି ତାଙ୍କ ନିକଟରୁ ୨୨ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ତାଙ୍କୁ ଗିରଫ କରିଥିଲା। ଏ ନେଇ ଏନଡିପିଏସ୍‌ ୨୦ ବି ଦଫା ଅନୁଯାୟୀ ଏକ କେସ୍‌ (ନଂ. ୧୧/୨୦) ରୁଜୁ କରାଯାଇ ଅଭିଯୁକ୍ତଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯାଇଛି। ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ପ୍ରକାଶ ଥାଉକି, ଏସଟିଏଫ ଗତ ୨୨ଦିନ ମଧ୍ୟରେ ପୁରୀ, ବାଲେଶ୍ୱର, ଅନୁଗୁଳ, ଖୋର୍ଦ୍ଧା, ପିପିଲି, ଢେଙ୍କାନାଳ, ଭୁବନେଶ୍ୱର ଏବଂ ଭଦ୍ରକ ଅଞ୍ଚଳରେ ଚଢାଉ କରି ୨୦ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ୮୪୦ ଗ୍ରାମ ବ୍ରାଉନସୁଗାର, ୩୨୬.୪୫ ଗ୍ରାମ ଅଫିମ, ୧୩ ଲକ୍ଷ ୨୧ ହଜାର ଟଙ୍କା, ଗୋଟିଏ ମାରୁତି କାର, ୮ଟି ବାଇକ ଓ ବ୍ୟାଙ୍କ ଆକାଉଣ୍ଟ ସମେତ ଅନେକ ଆପତ୍ତିଜନକ ସାମଗ୍ରୀ ଜବତ କରାଯାଇଛି। ଏ ନେଇ ମୋଟ ୯ଟି ମାମଲା ରୁଜୁ ହୋଇଛି।