୧୯୪୭ରେ ମୁସଲମାନଙ୍କୁ ପାକ୍‌ ପଠାଇଦେବା ଉଚିତ ଥିଲା

ପାଟନା, ୨୨ା୨: ଦେଶ ସ୍ବାଧୀନତା ବେଳେ ସମସ୍ତ ମୁସଲମାନଙ୍କୁ ପାକିସ୍ତାନ ପଠାଇଦେବା ଉଚିତ ଥିଲା ବୋଲି କେନ୍ଦ୍ରମନ୍ତ୍ରୀ ତଥା ଭାଜପାର ଫାୟାର୍‌ବ୍ରାଣ୍ଡ ନେତା ଗିରିରାଜ ସିଂ କହିଛନ୍ତି। ଏଭଳି ନ କରି ଆମ ପୂର୍ବ ପୁରୁଷମାନେ ଭୁଲ୍‌ କରିଛନ୍ତି । ସେତେବେଳେ ଏହି କାମ କରାଯାଇଥିଲେ ଦେଶକୁ ଆଉ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ି ନ ଥାନ୍ତା ବୋଲି ସେ ପ୍ରକାଶ କରିଛନ୍ତି। ବିହାରର ପୂର୍ଣ୍ଣିଆ ଓ ମଧୁବଣୀଠାରେ ଜନସଭାକୁ ଉଦ୍‌ବୋଧନ ଦେଇ ସେ ଏଭଳି ବିବାଦୀୟ ବକ୍ତବ୍ୟ ଦେଇଛନ୍ତି। ଏଆଇଏମ୍‌ଆଇଏମ୍‌ ମୁଖ୍ୟ ଅସାଦୁଦ୍ଦିନ ଓଓ୍ବାଇସିଙ୍କ ସଭାମଞ୍ଚରେ ‘ପାକିସ୍ତାନ ଜିନ୍ଦାବାଦ’ ସ୍ଲୋଗାନ ଦିଆଯିବା ଏବଂ ଏଆଇଏମ୍‌ଆଇଏମ୍‌ ମୁଖପାତ୍ର ଓ୍ବାରିସ୍‌ ପଠାନଙ୍କ ‘୧୦୦ କୋଟି ହିନ୍ଦୁଙ୍କ ଉପରେ ୧୫ କୋଟି ମୁସଲମାନ ଭାରି ପଡ଼ିବେ’ ମନ୍ତବ୍ୟକୁ ଗିରିରାଜ କଟୁ ସମାଲୋଚନା କରିଛନ୍ତି। ସିଏଏକୁ ବିରୋଧ ନାମରେ ଭାରତ ବିରୋଧୀ କାର୍ଯ୍ୟସୂଚୀ ଚାଲିଛି। କଂଗ୍ରେସ, ଜେଡିୟୁ ଓ କମ୍ୟୁନିଷ୍ଟମାନେ ପାକିସ୍ତାନର ଭାଷା କହି ଭାରତକୁ ବଦ୍‌ନାମ କରିବାକୁ ଚେଷ୍ଟା କରୁଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।