୧୮୬୧ ପଏଣ୍ଟ ବଢିଲା ସେନ୍‌ସେକ୍ସ

ମୁମ୍ବାଇ,୨୬। ୩: ଭାରତୀୟ ପୁଞ୍ଜି ବଜାରର ସେନ୍‌ସେକ୍ସ ଏବଂ ନିଫ୍ଟି କାରବାରରେ ବୁଧବାର ଉଲ୍ଲେଖନୀୟ ଅଭିବୃଦ୍ଧି ପରିଲକ୍ଷିତ ହୋଇଛି। ଏହି ସମୟରେ ସେନ୍‌ସେକ୍ସ ସର୍ବାଧିକ ଦୈନିକ ଅଭିବୃଦ୍ଧି ହାସଲ କରିବାକୁ ସକ୍ଷମ ହୋଇଛି। ବିଶ୍ୱ ଶେୟାର ବଜାରରେ କିଛିଟା ଉନ୍ନତି ଏବଂ ସରକାରଙ୍କ ସହାୟତା ପ୍ୟାକେଜ ଆଶାରେ ଶେୟାର ବଜାରରେ ଏଭଳି ଉନ୍ନତି ପରିଲକ୍ଷିତ ହୋଇଛି। ବୁଧବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜ ୧୮୬୧.୭୫ ପଏଣ୍ଟ (୬.୯୮%) ବୃଦ୍ଧି ଘଟିବା ସହ ୨୮,୫୩୫.୭୮ ପଏଣ୍ଟ ସ୍ତରରେ ବନ୍ଦ ହୋଇଛି। ସେହିଳି ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ(ଏନ୍‌ଏସ୍‌ଇ)ର ସୂଚକାଙ୍କ ୫୧୬.୮୦ ପଏଣ୍ଟ ବା ୬.୬୨% ବଢିବା ଯୋଗୁ ଏହା ୮୩୧୭.୮୫ ସ୍ତରରେ କାରବାର ବନ୍ଦ ହୋଇଛି। ଆମେରିକା ଅର୍ଥ ବ୍ୟବସ୍ଥାକୁ ୨ ଲକ୍ଷ କୋଟି ଡଲାର ସହାୟତା ପ୍ୟାକେଜ ପ୍ରଦାନ କରିବା ନେଇ ସେଠାକାର ସିନେଟ ଏବଂ ହ୍ବାଇଟ ହାଉସ ମଞ୍ଜୁରୀ ପ୍ରଦାନ କରିଛି। କରୋନା ପ୍ରଭାବକୁ କମ୍‌ କରିବା ଲାଗି ସରକାର ଦୃଢ ପଦକ୍ଷେପ ଗ୍ରହଣ କରିବେ ବୋଲି ବଜାରର ନିବେଶକମାନେ ଆଶାବାଦୀ ରହିଛନ୍ତି। ଏହି ସମୟରେ ସାଂଘାଇ, ହଂକଂ, ଟୋକିଓ ଏବଂ ସିଓଲର ଶେୟାର ବଜାରରେ କାରବାର ପ୍ରାୟ ୮% ବଢିଛି। ସେହିଭଳି ୟୁରୋପର ଶେୟାର କାରବାର ଏହି ସମୟରେ ୪% ବୃଦ୍ଧି ଘଟିଥିବା ନଜରକୁ ଆସିଛି। ଅନ୍ତର୍ଜାତୀୟ ଅଶୋଧିତ ତୈଳ ବଜାରରେ ବ୍ରେଣ୍ଟ ଫିଚର ୦.୦୦୭ ବୃଦ୍ଧି ଘଟି ବ୍ୟାରେଲ ପିଛା ୨୭.୧୭ ଡଲାର ରହିଛି।

Share