Players and coaches posing with trophy during the final of the Hero U17 Women’s Championship between the Lionesses and the Tigresses held at the Kalyani Stadium, Kaylani, West Bengal, India on the 17th November 2019. Photo by: Saikat Das / SPORTZPICS for ISL
କଲ୍ୟାଣୀ, ୧୮।୧୧- ଏଠାରେ ଅନୁଷ୍ଠିତ ୧୭ ବର୍ଷରୁ କମ୍ ମହିଳା ଫୁଟବଲ ଚାମ୍ପିୟନଶିପ୍ରେ ଲାୟନ୍ସେସ ଚାମ୍ପିୟନ ହୋଇଛି। ରବିବାର ଅନୁଷ୍ଠିତ ଫାଇନାଲରେ ଏହି ଦଳ ଟାଇଗ୍ରେସେସକୁ ୭-୨ ଗୋଲରେ ପରାସ୍ତ କରିଛି। ବିଜୟୀ ଦଳ ପକ୍ଷରୁ ଲିଣ୍ଡା କୋମ୍ ସେର୍ତୋ (୧୭ ଓ ୫୦ତମ ମିନିଟ), ସୁମତି କୁମାରୀ(୩୭ ଓ ୫୪) ୨ଟି ଲେଖାଏ ଏବଂ ପ୍ରିୟଙ୍କା ସୁଜେଶ(୧୮), ପ୍ରିୟଙ୍କା ଦେବୀ ନାରୋଇମ୍(୩୪) ଓ ସାଇ ଶାଙ୍ଖେ (୬୯) ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ପ୍ରତିପକ୍ଷ ଦଳର ନିଶା ୭୬ ଓ କରେନ ଇଷ୍ଟ୍ରୋସିଓ ୮୧ତମ ମିନିଟରେ ଗୋଟିଏ ଲେଖାଏ ଗୋଲ ପରିଶୋଧ କରିଥିଲେ।
ପ୍ରତିଯୋଗିତାର ଲିଗ୍ ପର୍ଯ୍ୟାୟରେ ମଧ୍ୟ ଟାଇଗ୍ରେସେସ ବିପକ୍ଷରେ ଭାରୀ ପଡ଼ିଥିଲା ଲାୟନ୍ସେସ। ସେତେବେଳେ ୪-୧ ଗୋଲରେ ବିଜୟୀ ହୋଇଥିବାବେଳେ ଫାଇନାଲରେ ପୂର୍ବ ଅପେକ୍ଷା ଉନ୍ନତ ପ୍ରଦର୍ଶନ କରିଥିଲା। ଲିଣ୍ଡା କୋମ୍ ଗୋଲ ସ୍କୋରିଂ ପ୍ରକ୍ରିୟା ଆରମ୍ଭ କରିଥିବାବେଳେ ପ୍ରଥମାର୍ଦ୍ଧ ଶେଷସୁଦ୍ଧା ଲାୟନ୍ସେସ ୪-୦ ଗୋଲରେ ଅଗ୍ରଣୀ ରହି ପ୍ରତିପକ୍ଷ ଦଳ ଉପରେ ଚାପ ପ୍ରୟୋଗ କରିଥିଲା। ପ୍ରିୟା ପି.ଭି.ଙ୍କ ପ୍ରଶିକ୍ଷଣପ୍ରାପ୍ତ ଟାଇଗ୍ରେସେସ ଶେଷଭାଗରେ କେତେକ ଗୋଲ ସ୍କୋରିଂ ସୁଯୋଗ ସୃଷ୍ଟି କରିଥିଲେ ହେଁ ସେତେବେଳକୁ ବହୁ ବିଳମ୍ବ ହୋଇ ଯାଇଥିଲା। ଅନ୍ୟପକ୍ଷରେ ଆଲେକ୍ସ ଆମ୍ବ୍ରୋସଙ୍କ ମାଷ୍ଟରମାଇଣ୍ଡ ଆଉ ଏକ ଟାଇଟଲ ବିଜୟରେ ସହାୟକ ହୋଇଛି। ତାଙ୍କ ପ୍ରଶିକ୍ଷଣରେ ଭାରତୀୟ ଦଳ ଗତ ଅକ୍ଟୋବରରେ ୧୫ ବର୍ଷରୁ କମ୍ ମହିଳା ଫୁଟବଲ ଚାମ୍ପିୟନଶିପ୍ରେ ଟାଇଟଲ ବିଜୟୀ ହୋଇଥିଲା। ୨୦୨୦ ୧୭ ବର୍ଷରୁ କମ୍ ମହିଳା ଫିଫା ବିଶ୍ୱକପ ଭାରତରେ ଅନୁଷ୍ଠିତ ହେବ। ସେହି ଟୁର୍ନାମେଣ୍ଟ ପାଇଁ ପ୍ରତିଭା ଅନୁସନ୍ଧାନ କରିବା ଲକ୍ଷ୍ୟରେ ୧୭ ବର୍ଷରୁ କମ୍ ମହିଳା ଫୁଟବଲ ଚାମ୍ପିୟନଶିପ୍ ଆୟୋଜନ କରାଯାଇଥିଲା। ଏହି ପ୍ରତିଯୋଗିତା ସଫଳତାର ସହ ଶେଷ ହୋଇଥିବାବେଳେ ଅନେକ ପ୍ରତିଭା ସମ୍ପନ୍ନ ଖେଳାଳିଙ୍କୁ ଠାବ କରାଯାଇ ପାରିଛି। ଚାମ୍ପିୟନ ଲାୟନ୍ସେସ ଦଳର ଷ୍ଟ୍ରାଇକର ଲିଣ୍ଡା କୋମ୍ ୬ଟି ଗୋଲ ଦେଇ ଟପ୍ ସ୍କୋରର ବିବେଚିତ ହୋଇଛନ୍ତି।