Categories: Home Leftଖେଳ

୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ୍‌ ‘ହକି ଭଳି ଫିଫା ବିଶ୍ୱକପ୍‌ ବୃହତ୍‌ ସଫଳତା ପାଇବ’

ଭୁବନେଶ୍ୱର, ୩୦।୧୧ (ସ୍ପୋଟର୍‌ସ ବ୍ୟୁରୋ)- ଆସନ୍ତା ବର୍ଷ ଭାରତରେ ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ୍‌ ଅନୁଷ୍ଠିତ ହେବ। ବିଶ୍ୱସ୍ତରୀୟ ଏହି ସମ୍ମାନଜନକ ଟୁର୍ନାମେଣ୍ଟ ଆୟୋଜନ ଲାଗି ଫୁଟ୍‌ବଲର ସର୍ବୋଚ୍ଚ ସଂସ୍ଥା ଫିଫା ପକ୍ଷରୁ ପୂର୍ବରୁ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ପ୍ରୋଭିଜିନାଲ ଭେନ୍ୟୁର ଅନୁମୋଦନ ଲାଭ କରିସାରିଛି। ଏହି ଅବସରରେ ଫିଫାର ଏକ ଟିମ୍‌ ଶୁକ୍ରବାର କଳିଙ୍ଗ ଷ୍ଟାଡିୟମ ପ୍ରସ୍ତୁତି ନିରୀକ୍ଷଣ କରିଛନ୍ତି। ବିଶ୍ୱକପ୍‌ ପାଇଁ ଷ୍ଟାଡିୟମ ପ୍ରସ୍ତୁତି ନିରୀକ୍ଷଣ କରିବା ପରେ ଫିଫା ଟୁର୍ନାମେଣ୍ଟ ଓ ଇଭେଣ୍ଟ ଡିଭିଜନ ମୁଖ୍ୟ ଓଲିଭର ଭୋଗତ୍‌ ସନ୍ତୋଷ ଜାହରି କରିବା ସହିତ ଏଠାରେ ଟୁର୍ନାମେଣ୍ଟ ଅନୁଷ୍ଠିତ ହେଲେ ବୃହତ୍‌ ସଫଳତା ଲାଭ କରିବ ବୋଲି ସେ କହିଛନ୍ତି।
ହେଉଛି ଏପରି ଏକ ସହର ଯେଉଁଠାରେ ଖେଳକୁ ନେଇ ପ୍ରବଳ ଉତ୍ସାହ ରହିଛି। ତେଣୁ ଏଠାକୁ ଆସି ଆମେ ବହୁତ ଖୁସି ଅଛୁ। ହକି ବିଶ୍ୱକପ୍‌ ଏକବର୍ଷ ପୂର୍ବେ ଏଠାରେ ସଫଳତାର ସହ ଆୟୋଜିତ ହୋଇସାରିଛି। ଏବେ ଏହା ଫୁଟ୍‌ବଲକୁ ସ୍ଥାନାନ୍ତରିତ କରିବାର ସମୟ ଆସିଛି। ଭୁବନେଶ୍ୱର ଯଦି ଆୟୋଜନ ସହର ଅଧିକାର ଲାଭ କରେ ତେବେ ମୋର ପୁରା ବିଶ୍ୱାସ ରହିଛି କି, ହକି ବିଶ୍ୱକପ୍‌ ଭଳି ୧୭ ବର୍ଷରୁ କମ୍‌ ମହିଳା ବିଶ୍ୱକପ୍‌ ମଧ୍ୟ ବୃହତ୍‌ ସଫଳତା ଲାଭ କରିବ’ ବୋଲି ଶୁକ୍ରବାର କଳିଙ୍ଗ ଷ୍ଟାଡିୟମ ପରିସରରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଓଲିଭର ଏହା କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ପକ୍ଷରୁ ଯେଉଁଭଳି ଭାବେ ବିଶ୍ୱକପ୍‌ ଆୟୋଜନ ଲାଗି ଷ୍ଟାଡିୟମର ପ୍ରସ୍ତୁତି ଚାଲିଛି ଏହା ୪ଟି ସହର ମଧ୍ୟରୁ ଗୋଟିଏ ଭେନ୍ୟୁର ମାନ୍ୟତା ପାଇବ ବୋଲି ଦୃଢ଼ ବିଶ୍ୱାସ ରହିଛି। ଲୋକାଲ୍‌ ଅର୍ଗାନାଇଜିଂ କମିଟି (ଏଲ୍‌ଓସି) ଟୁର୍ନାମେଣ୍ଟ ନିର୍ଦ୍ଦେଶିକା ରୋମା ଖାନ୍ନା ମଧ୍ୟ ଉପସ୍ଥିତ ରହିବା ସହିତ ଷ୍ଟାଡିୟମ ପ୍ରସ୍ତୁତି ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଯେଉଁ ତତ୍ପରତା ଦେଖାଦେଇଛି ସେଥିରେ ଖୁସି ଜାହିର କରିଛନ୍ତି।
ମାର୍ଚ୍ଚ ୨୬ରେ ଭାରତ-କାତାର ମ୍ୟାଚ୍‌:
‘୧୭ ବର୍ଷରୁ କମ୍‌ ଫିଫା ମହିଳା ବିଶ୍ୱକପ୍‌ ଆୟୋଜନ ଲାଗି ଓଡ଼ିଶା ସରକାର ପ୍ରତିଶ୍ରୁତିବଦ୍ଧ। ୨୦୨୦ ଫେବ୍ରୁୟାରୀ ସୁଦ୍ଧା କଳିଙ୍ଗ ଷ୍ଟାଡିୟମର ପ୍ରସ୍ତୁତି ଓ ନିର୍ମାଣ କାର୍ଯ୍ୟ ସମାପ୍ତ କରିବାକୁ ଆମେ ଲକ୍ଷ୍ୟ ରଖିଛୁ। ପୂର୍ବରୁ ଏସିଆନ୍‌ ଆଥ୍‌ଲେଟିକ୍ସ ଚାମ୍ପିୟନଶିପ୍‌ ଓ ପୁରୁଷ ହକି ବିଶ୍ୱକପ୍‌ ଏଠାରେ ସଫଳତାର ସହ ଆୟୋଜନ କରିଛୁ। ତେଣୁ ଏଥର ମଧ୍ୟ ପୂର୍ଣ୍ଣ ବିଶ୍ୱାସ ରହିଛି କି, ୧୭ ବର୍ଷରୁ କମ୍‌ ଫିଫା ମହିଳା ବିଶ୍ୱକପ୍‌କୁ ମଧ୍ୟ ସଫଳତାର ସହ ଆୟୋଜନ କରିବୁ’ ବୋଲି ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ସଚିବ ବିଶାଲ ଦେବ କହିଛନ୍ତି। ସେହିଭଳି ଆସନ୍ତା ବର୍ଷ ମାର୍ଚ୍ଚ ୨୬ରେ କଳିଙ୍ଗ ଷ୍ଟାଡିୟମରେ ଭାରତ ଓ କାତାର ମଧ୍ୟରେ ୨୦୨୨ ଫିଫା ପୁରୁଷ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ ଖେଳାଯିବ ବୋଲି ସେ ଖବରଦାତା ସମ୍ମିଳନୀ ଅବସରରେ ଘୋଷଣା କରିଛନ୍ତି। ଉଲ୍ଳେଖଯୋଗ୍ୟ, ଗତ ୧୯ରେ ଯୋଗ୍ୟତା ପର୍ଯ୍ୟାୟର ଏକ ମ୍ୟାଚ୍‌ରେ ଓମାନଠାରୁ ୧-୦ ଗୋଲରେ ହାରି ଭାରତ ୨୦୨୨ ଫିଫା ବିଶ୍ୱକପ୍‌କୁ ଯୋଗ୍ୟତା ଅର୍ଜନ କରିବାରୁ ଏକପ୍ରକାର ବଞ୍ଚତ୍ତ ହୋଇଛି। ତେଣୁ ମାର୍ଚ୍ଚ ୨୬ରେ ଏଠାରେ କାତାର ବିପକ୍ଷରେ ଖେଳାଯିବାକୁ ଥିବା ମ୍ୟାଚ୍‌ ଭାରତ ପାଇଁ ଔପଚାରିକ ସଦୃଶ ହେବ।
ଡିସେମ୍ବର ୨୭ରେ ଘରୋଇ ଗ୍ରାଉଣ୍ଡରେ ପ୍ରଥମ ମ୍ୟାଚ୍‌ ଖେଳିବ ଓଡ଼ିଶା ଏଫ୍‌ସି
ଇଣ୍ଡିଆନ ସୁପର୍‌ ଲିଗ୍‌ (ଆଇଏସ୍‌ଏଲ୍‌)ରେ ଚଳିତ ବର୍ଷ ପଦାର୍ପଣ କରିଥିବା ଓଡ଼ିଶା ଏଫ୍‌ସି ଟିମ୍‌ ଆସନ୍ତା ଡିସେମ୍ବର ୨୭ରେ ଘରୋଇ ଗ୍ରାଉଣ୍ଡ କଳିଙ୍ଗ ଷ୍ଟାଡିୟମରେ ଏହାର ପ୍ରଥମ ମ୍ୟାଚ୍‌ ଖେଳିବ ବୋଲି ଜଣାପଡ଼ିଛି। ଏହିଦିନ ଜାମସେଦପୁର ଏଫ୍‌ସି ବିପକ୍ଷରେ ଖେଳି ଘରୋଇ ଭେନ୍ୟୁରେ ଓଡ଼ିଶା ଦଳ ଏହାର ଅଭିଯାନ ଆରମ୍ଭ କରିବ। ପୂର୍ବରୁ ନଭେମ୍ବର ୨୪ରେ ଏଟିକେ ବିପକ୍ଷରେ ଓଡ଼ିଶା ଏଫ୍‌ସି ଏହାର ପ୍ରଥମ ମ୍ୟାଚ୍‌ ଖେଳିବ ବୋଲି କାର୍ଯ୍ୟସୂଚୀ ରହିଥିଲା। କିନ୍ତୁ ୧୭ ବର୍ଷରୁ କମ୍‌ ଫିଫା ମହିଳା ବିଶ୍ୱକପ୍‌ ଲାଗି କଳିଙ୍ଗ ଷ୍ଟାଡିୟମ ପ୍ରସ୍ତୁତି କାମ ଚାଲିଥିବାରୁ ଓଡ଼ିଶା ଏଫ୍‌ସି ଏହାର ଘରୋଇ ମ୍ୟାଚ୍‌ ଖେଳିବାରେ ବିଳମ୍ବ ହୋଇଥିଲା।