୧୨ ବର୍ଷ ବୟସରେ ପିତାଙ୍କୁ ହରାଇଥିଲେ, ଟେଷ୍ଟରେ ପ୍ରଥମ ଶତକ ଲଗାଇବା ପରେ ପଡ଼ିଆରେ ଭାବୁକ ହେଲେ ହନୁମା

କିଙ୍ଗଷ୍ଟନ,୧।୯:ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚରେ ଭାରତ ତା’ର ଦୃଢ ସ୍ଥିତିରେ ରହିଛି। ଏହି ମ୍ୟାଚ୍‌ରେ ଯୁବ ମିଡଲଅର୍ଡର ବ୍ୟାଟ୍ସମ୍ୟାନ ହନୁମା ବିହାରୀ ୨୨୫ଟି ବଲର ସମ୍ମୁଖୀନ ହୋଇ ୧୬ ଚୌକା ସହ ୧୧୧ ରନର ଲଢ଼ୁଆ ଶତକୀୟ ପାଳି ଖେଳିଥିଲେ। ଟେଷ୍ଟରେ ପ୍ରଥମ ଶତକ ହାସଲ କଲାପରେ ପଡ଼ିଆରେ ଭାବୁକ ହୋଇପଡିଥିଲେ ହନୁମା। ନିଜ ପ୍ରଥମ ଶତକ ସ୍ବର୍ଗତ ପିତାଙ୍କୁ ସେ ସମର୍ପିତ କରିଛନ୍ତି। ମାତ୍ର ୧୨ ବର୍ଷ ହୋଇଥିବାବେଳେ ତାଙ୍କ ପିତାଙ୍କ ମୃତ୍ୟୁ ହୋଇଯାଇଥିଲା। ସେବେଠୁ ଜଣେ କ୍ରିକେଟର ହେବାର ସ୍ବପ୍ନ ଦେଖିଥିଲେ ହନୁମା। ଏହାକୁ ପୂରଣ କରିବା ପାଇଁ ଲାଗିପଡିଥିଲେ। ତାଙ୍କ ମା’ ପିଲାଙ୍କୁ ମଣିଷ କରିବା ପାଇଁ କଡ଼ା ସଂଘର୍ଷ କରିବାକୁ ପଡିଥିଲା। ଶତକ ହାସଲ ପରେ ହନୁମା କହିଛନ୍ତି, ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନ ୪୨ରନ୍‌ କରି ଅପରାଜିତ ରହିବା ପରେ, ସେଦିନ ରାତିରେ ମୋତେ ଆଉ ନିଦ ହୋଇ ନ ଥିଲା। ଏହି ପାଳିକୁ ବଡ଼ ସ୍କୋରରେ ପରିଣତ କରିବା କଥା ଭାବୁଥିଲେ। ଯାହା ଏବେ ପୂରଣ ହୋଇଛି।