Patna: Migrants from Jaipur arrive by 'Shramik Special' train at Danapur junction, during the nationwide lockdown to curb the spread of coronavirus, in Patna, Saturday, May 02, 2020. (PTI Photo)(PTI02-05-2020_000082A)
ନୂଆଦିଲ୍ଲୀ,୧୭।୫(ପି.ଟି.): ଲକ୍ଡାଉନ ଯୋଗୁ ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ପ୍ରବାସୀ ଶ୍ରମିକମାନଙ୍କୁ ଫେରାଇ ନେବା ଲାଗି ରେଲଓ୍ବେ ମେ’ ୧ ତାରିଖରୁ ଶ୍ରମିକ ସ୍ପେଶିଆଲ ଟ୍ରେନ୍ ଚଳାଚଳ କରାଉଛନ୍ତି। ବର୍ତ୍ତମାନ ସୁଦ୍ଧା ୧,୦୭୪ଟି ସ୍ବତନ୍ତ୍ର ଟ୍ରେନ୍ ଯୋଗେ ୧୪ ଲକ୍ଷରୁ ଅଧିକ ପ୍ରବାସୀ ଶ୍ରମିକ ସେମାନଙ୍କ ରାଜ୍ୟକୁ ଫେରିଲେଣି। ଉତ୍ତରପ୍ରଦେଶ ଓ ବିହାରକୁ ସର୍ବାଧିକ ଶ୍ରମିକ ଫେରିଛନ୍ତି। ଅଧିକ ଟ୍ରେନ୍ ଚଳାଇବା ପାଇଁ ବିଭିନ୍ନ ରାଜ୍ୟ ପକ୍ଷରୁ ଅନୁମୋଦନ କରାଯାଇଛି। ଗତ ୩ ଦିନ ହେଲା ଦିନକୁ ୨ ଲକ୍ଷରୁ ଅଧିକ ଶ୍ରମିକଙ୍କୁ ପରିବହନ କରାଯାଉଛି। ଆଗାମୀ ଦିନରେ ଏହା ୩ ଲକ୍ଷକୁ ବୃଦ୍ଧି ପାଇବ ବୋଲି ରେଳମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି। ଉତ୍ତରପ୍ରଦେଶକୁ ସର୍ବାଧିକ ୩୮୭ ସ୍ବତନ୍ତ୍ର ଟ୍ରେନ୍ ଚାଲିଥିବାବେଳେ ବିହାରକୁ ୨୬୯ଟି ଓ ମଧ୍ୟପ୍ରଦେଶକୁ ୮୧ଟି ଟ୍ରେନ୍ ଯାଇଛି। ଝାଡ଼ଖଣ୍ଡକୁ ୫୦, ଓଡ଼ିଶାକୁ ୫୨, ରାଜସ୍ଥାନକୁ ୨୩ ଓ ପଶ୍ଚିିମବଙ୍ଗକୁ ୯ ଶ୍ରମିକ ସ୍ପେଶିଆଲ ଟ୍ରେନ୍ ଯାଇଥିବା ରେଲଓ୍ବେ ତଥ୍ୟରୁ ଜଣାପଡିଛି। ଭଡ଼ାର ୮୫ ପ୍ରତିଶତ ରେଲଓ୍ବେ ଭରଣା କରୁଥିବାବେଳେ ବାକି ୧୫ ପ୍ରତିଶତ ସମ୍ପୃକ୍ତ ରାଜ୍ୟ ସରକାର ପୈଠ କରିବାର ବ୍ୟବସ୍ଥା ହୋଇଛି। ଏହା ସତ୍ତ୍ୱେ ଶ୍ରମିକମାନେ ବିପଜ୍ଜନକ ଭାବେ ଟ୍ରକ୍ରେ ଫେରିବା ଯୋଗୁ ଶନିବାର ଦୁଇଟି ଦୁର୍ଘଟଣାରେ ୩୦ ଜଣଙ୍କ ମୃତ୍ୟୁ ଘଟିଛି। ତେଣୁ ସୀମିତ ଟ୍ରେନ୍, ବସ୍ ଓ ବିମାନ ଚଳାଚଳକୁ ଅନୁମତି ଦିଆଯିବା ଜରୁରୀ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି।