Categories: Homeକଟକ

୧୦ବର୍ଷ ପରେ ବି ସ୍ବାସ୍ଥ୍ୟକେନ୍ଦ୍ର ଅଧାପନ୍ତରିଆ

କଟକସଦର,୧୩ା୫(ଡି.ଏନ.ଏ): କରୋନା ପାଇଁ ସ୍ବାସ୍ଥ୍ୟ ବିଭାଗର ପାରାମେଡିକାଲ ଷ୍ଟାଫ ଗ୍ରାମାଞ୍ଚଳରେ ବେଶ ସକ୍ରିୟ ରହିଛନ୍ତି। ହେଲେ କଟକସଦର ବ୍ଳକ ଅନ୍ତର୍ଗତ କନ୍ଦରପୁର ପଞ୍ଚାୟତର ବମ୍ବୁରୀ ସ୍ବାସ୍ଥ୍ୟକେନ୍ଦ୍ର ଗୃହଟି ୧୦ବର୍ଷ ହେବ ଅଧାପନ୍ତରିଆ ଅବସ୍ଥାରେ ପଡିରହିଛି। ଯଦ୍ୱାରା ଏଠାକୁ ଆସୁଥିବା ସ୍ବାସ୍ଥ୍ୟକର୍ମୀମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସୂଚନାଯୋଗ୍ୟ, ୨୦୦୮-୦୯ ମସିହାରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ଅଞ୍ଚଳରେ ସ୍ବାସ୍ଥ୍ୟକେନ୍ଦ୍ର ନିର୍ମାଣ ପାଇଁ ପ୍ରସ୍ତାବ ରଖିଥିଲେ। ଏଥିପାଇଁ ୧୦ଲକ୍ଷ ୨୨ହଜାର ଟଙ୍କାର ମଞ୍ଜୁର କରିଥିଲେ। ତେବେ ୨୦୧୦ ମସିହାରୁ ସ୍ବାସ୍ଥ୍ୟକେନ୍ଦ୍ରର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲେ ହେଁ ଅଦ୍ୟାବଧି ସମ୍ପୂର୍ଣ୍ଣ କାର୍ଯ୍ୟ ସରିପାରି ନାହିଁ। ଏହି ୧୦ବର୍ଷ ମଧ୍ୟରେ ସ୍ବାସ୍ଥ୍ୟକେନ୍ଦ୍ର ପାଇଁ ୮ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ଜଣାପଡ଼ିଛି। ଏହି ଅର୍ଥ କଟକ ସଦର ବ୍ଲକ ଜରିଆରେ ଖର୍ଚ୍ଚ ହୋଇଛି। କାର୍ଯ୍ୟ ଅଧାରୁ ରହିଯାଇଥିବାରୁ ରୋଗୀ ସେବାରେ ବ୍ୟାହତ, ସ୍ବାସ୍ଥ୍ୟକର୍ମୀ ରହିବାରେ ଅସୁବିଧା ହେଉଥିବା ଦାୟିତ୍ୱରେ ଥିବା ମହିଳା ସ୍ବାସ୍ଥ୍ୟ କର୍ମୀ ଜଣକ କହିଛନ୍ତି। ଶୀଘ୍ର କାର୍ଯ୍ୟ ଶେଷ ନ ହେଲେ ବମ୍ବୁରୀ ଗ୍ରାମବାସୀ ଆାନ୍ଦୋଳନ କରିବେ ବୋଲି ଜିଲା ପ୍ରଶାସନକୁ ସତର୍କ କରାଇଛନ୍ତି। ଏ ସମ୍ପର୍କରେ ବିଡିଓ ରାଜୀବ ଲୋଚନ ପରିଡ଼ା କୁହନ୍ତି, ମୁଁ ଏଠାକୁ ନୂଆ କରି ଆସିଥିବାରୁ ଫାଇଲ ନ ଦେଖିବା ଯାଏ, କିଛି କହିହେବ ନାହିଁ ବୋଲି କହିଥିଲେ।

Share