ୟେଦୁରପ୍ପା ସରକାରଙ୍କୁ ସମର୍ଥନ ଦେବ କି ଜେଡିଏସ୍‌

ବେଙ୍ଗାଲୁରୁ,୨୭।୭: କର୍ନାଟକ ରାଜନୀତିରେ ବହୁ ସମୟ ଧରି ଲାଗି ରହିଥିବା ନାଟକ ପରେ ଶେଷରେ ଭାଜପା ନେତା ବିଏସ୍‌ ୟେଦୁରପ୍ପା ଶୁକ୍ରବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ହେଲେ ଗୋଟିଏ ସପ୍ତାହ ମଧ୍ୟରେ ୟେଦୁରପ୍ପା ତାଙ୍କ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ ବୋଲି କହିଛନ୍ତି। ତେବେ ୧୦୫ ଭୋଟ ପାଇଥିବା ଭାଜପା ଏବେ ଏହାକୁ ନେଇ ଚିନ୍ତିତ ଥିବା କୁହାଯାଉଛି। ଅନ୍ୟପଟେ ଏଚ୍‌ଡି କୁମାରସ୍ବାମୀଙ୍କ ଜନତା ଦଳ ସେକ୍ୟୁଲାର(ଜେଡିଏସ୍‌) ବାହାରୁ ଭାଜପାକୁ ସମର୍ଥନ ଦେବ ବୋଲି କୁହାଯାଉଛି। ଏହାକୁ ନେଇ ଶୁକ୍ରବାର ଏକ ବୈଠକର ଆୟୋଜନ କରାଯାଇଥିବା ବେଳେ ଶେଷ ନିଷ୍ପତ୍ତି କିନ୍ତୁ କୁମାରସ୍ବାମୀ ନେବେ ବୋଲି କୁହାଯାଉଛି। ଜେଡିଏସ୍‌ ନେତା ତଥା ପୂର୍ବତନ ମନ୍ତ୍ରୀ ଜିଟି ଦେବେଗୌଡ କହିଛନ୍ତି ଶୁକ୍ରବାର ହୋଇଥିବା ବୈଠକରେ ଅଧିକାଂଶ ନେତା ୟେଦୁରପ୍ପାଙ୍କୁ ସମର୍ଥନ ଦେବାକୁ ରାଜି ହୋଇଥିବା ବେଳେ ଆଉ କେତେଜଣ ବିରୋଧି ଭାବେ ରହିବାକୁ ମତ ରଖିଛନ୍ତି। ସୂଚନାଯୋଗ୍ୟ, ୩ ବିଧାୟକ ଆଯୋଗ୍ୟ ଘୋଷିତ ହେବା ପରେ ଏବେ ଗୃହରେ ସଦସ୍ୟଙ୍କ ସଂଖ୍ୟା ରହିଛି ୨୨୨। ଏପଟେ ୟେଦୁରପ୍ପାଙ୍କୁ ବହୁମତ ପାଇଁ ୧୧୨ ବିଧାୟକଙ୍କର ଆବଶ୍ୟକତା ରହିଛି। ତେଣୁ ଏହି ସମୟରେ ବିଦ୍ରୋହୀ ବିଧାୟକଙ୍କ ଖୁବ୍‌ ମହତ୍ୱ ରହିଥିବା ଆଲୋଚନା ହେଉଛି।