New York: Venus Williams, of the US, waves to the crowd after defeating Zheng Saisai, of China, during the first round of the US Open tennis tournament Monday, Aug. 26, 2019, in New York. AP/PTI(AP8_27_2019_000014B)
ନ୍ୟୁୟର୍କ, ୨୮।୮(ଏଏଫ୍ପି)- ବର୍ଷର ଚତୁର୍ଥ ତଥା ଅନ୍ତିମ ଗ୍ରାଣ୍ଡସ୍ଲାମ୍ ଟୁର୍ନାମେଣ୍ଟ ୟୁଏସ୍ ଓପନ୍ର ପୁରୁଷ ଓ ମହିଳା ସିଙ୍ଗଲ୍ସ ଇଭେଣ୍ଟରେ ସିଡେଡ ଖେଳାଳିମାନେ ଅଭିଯାନ ଆରମ୍ଭ କରିଛନ୍ତି। ସୋମବାର ଟପ୍ ସିଡ୍ ନୋଭାକ ଜୋକୋଭିଚ୍, ଫ୍ରେଞ୍ଚ୍ ଓପନ ଚାମ୍ପିୟନ ଆଶେଲେ ବାର୍ଟି, ତୃତୀୟ ସିଡ୍ କାରୋଲିନା ପ୍ଲିସ୍କୋଭା ପ୍ରଥମ ରାଉଣ୍ଡରେ ବିଜୟୀ ହୋଇ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି।
ପୁରୁଷ ସିଙ୍ଗଲ୍ସରେ ଗତଥରର ଚାମ୍ପିୟନ ସର୍ବିୟାର ଜୋକୋଭିଚ୍ ସ୍ପେନ୍ର ୭୬ତମ ର଼୍ୟାଙ୍କ୍ର ଖେଳାଳି ରୋବେର୍ଟୋ କାରବାଲେସ ବାଏନାଙ୍କୁ ୬-୪, ୬-୧, ୬-୪ ସେଟରେ ହରାଇ ଦ୍ୱିତୀୟ ରାଉଣ୍ଡକୁ ଉଠିଛନ୍ତି। ସେହିପରି ସୁଇଜରଲାଣ୍ଡର ଷ୍ଟାନିସଲାସ ଓ୍ବାରିଙ୍କା ୬-୩, ୭-୬, ୪-୬, ୬-୩ ସେଟରେ ଇଟାଲୀର ଜାନିକ ସିନରଙ୍କୁ ହରାଇ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ବେଲଜିୟମର ଡେଭିଡ ଗଫିନ୍ ୬-୩, ୩-୬, ୬-୪, ୬-୦ ସେଟ୍ରେ ଫ୍ରାନ୍ସର କରେଣ୍ଟିନ୍ ମୌଟେଟଙ୍କୁ ହରାଇ ଦ୍ୱିତୀୟ ରାଉଣ୍ଡକୁ ଉଠିଛନ୍ତି। ସେହିପରି ବିଶ୍ୱର ୫ ନମ୍ବର ଖେଳାଳି ରୁଷିଆର ଡାନିଲି ମେଡଭେଡେଭ ଭାରତର ପ୍ରଜନେଶ ଗୁଣେଶ୍ୱରନଙ୍କୁ ୬-୪, ୬-୧, ୬-୨ ସେଟରେ ହରାଇ ଅଗ୍ରଗତି କରିଛନ୍ତି। ସେହିପରି ସପ୍ତମ ସିଡ୍ ମାନ୍ୟତା ପାଇଥିବା ଜାପାନ ତାରକା କେଇ ନିଶିକୋରୀ ମଧ୍ୟ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ପ୍ରତିପକ୍ଷ ଖେଳାଳି ତଥା କ୍ୱାଲିଫାୟର ମାର୍କୋ ଟ୍ରୁଙ୍ଗେଲିଟି ଇଞ୍ଜୁରି କାରଣରୁ ଓହରିଯିବାରୁ ନିଶିକୋରୀ ଅଗ୍ରଗତି କରିଛନ୍ତି। ତେବେ ସେତେବେଳକୁ ସେ ୬-୧, ୪-୧ରେ ଅଗ୍ରଣୀ ରହିଥିଲେ। ସେହିପରି ଗ୍ରିଗର ଡିମିଟ୍ରୋଭ, ବର୍ନାଡ କୋରିକ୍, ଡେଭିଡ୍ ଗଫିନ୍, ଲୁକାଶ ପାଓଲି, ଫେଲିସିଆନୋ ଲୋପେଜ ସେମାନଙ୍କ ପ୍ରଥମ ରାଉଣ୍ଡ ମ୍ୟାଚ୍ ଜିତି ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି।
ଅପରପକ୍ଷରେ ମହିଳା ସିଙ୍ଗଲ୍ସରେ ଦ୍ୱିତୀୟ ସିଡ ଅଷ୍ଟ୍ରେଲିଆର ବାର୍ଟି ୧-୬, ୬-୩, ୬-୨ ସେଟରେ ୮୦ତମ ର଼୍ୟାଙ୍କର କାଜାଖସ୍ତାନର ଜରିନା ଡିୟାସଙ୍କୁ ହରାଇ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ବିଜୟୀ ହେବା ପାଇଁ ବାର୍ଟିଙ୍କୁ ସଂଘର୍ଷ କରିବାକୁ ପଡିଥିଲା। ସେହିପରି ୨୦୧୬ ୟୁଏସ୍ ଓପନ ରନର୍ସଅପ୍ ଚେକ୍ ଗଣରାଜ୍ୟର କାରୋଲିନା ପ୍ଲିସ୍କୋଭା ନିଜ ଦେଶର ତେରେଜା ମାର୍ଟିନକୋଭାଙ୍କୁ ୭-୬, ୭-୬ ସେଟରେ ହରାଇ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଅଷ୍ଟମ ସିଡ୍ ଅଭିଜ୍ଞ ଆମେରିକୀୟ ତାରକା ସେରେନା ଓ୍ବିଲିୟମ୍ସ ରୁଷିଆର ମାରିଆ ସାରାପୋଭାଙ୍କୁ ୬-୧, ୬-୧ ସେଟ୍ରେ ଅତି ସହଜରେ ହରାଇ ବିଜୟ ଅଭିଯାନ ଆରମ୍ଭ କରିଛନ୍ତି। ସେହିପରି ଭେନସ ଓ୍ବିଲିୟମ୍ସ ୬-୧, ୬-୦ ସେଟ୍ରେ ଚାଇନାର ଝେଙ୍ଗ୍ ସାଇସାଇଙ୍କୁ ୬୬ ମିନିଟରେ ହରାଇ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି।