Categories: Home Leftଖେଳ

ୟୁଏସ୍‌ଏର ଏମ୍‌ଏଲବିରେ ଖେଳିବେ ଭାରତୀୟ ବଂଶୋଦ୍ଭବ କ୍ରିକେଟର

ନୂଆଦିଲ୍ଲୀ,୨୧।୬- ଦୀର୍ଘ ୩୫ ପୂର୍ବେ ୧୬ ବର୍ଷୀୟ କୁଲଦୀପ ପଟେଲ ଉତ୍ତର କାରୋଲିନାରୁ ମାମୁଙ୍କ ରେସ୍ତୋରଁା ଚଳାଇବାରେ ସାହାଯ୍ୟ କରିବାକୁ ମୁମ୍ବାଇ ଆସିଥିଲେ। ଆମେରିକାରେ ରହୁଥିବା ଭାରତୀୟ ବଂଶୋଦ୍ଭବ ଦେଶର ସବୁଠୁ ଲୋକପ୍ରିୟ ଖେଳ ବେସବଲରେ କ୍ୟାରିୟର କରିବାକୁ ଇଚ୍ଛୁକ ନ ଥିଲେ। ହେଲେ ସେ ଜଣେ ଆମେରିକାର ଅନ୍ତର୍ଜାତୀୟ କ୍ରିକେଟର ଭାବେ କ୍ୟାରିୟରର ଅନ୍ତ କରିଥିଲେ। ସେ ଏବେ ହଷ୍ଟନଠାରେ ହୋଟେଲ ବ୍ୟବସାୟୀ କରୁଛନ୍ତି। ତାଙ୍କର ୨୨ ବର୍ଷୀୟ ପୁଅ କରନ ପଟେଲ ଆମେରିକାର ମେଜର ଲିଗ୍‌ ବେସବଲ (ଏମ୍‌ବିଏଲ)ରେ ଖେଳିବାକୁ ଯାଉଛନ୍ତି। ଏପର୍ଯ୍ୟନ୍ତ ଏହି ଲୋକପ୍ରିୟ ବେସବଲ ଲିଗ୍‌ରେ କୌଣସି ଭାରତୀୟ କଦାପି ସ୍ଥାନ ପାଇ ନାହାନ୍ତି। କରନ ପ୍ରଥମ ଭାରତୀୟ ବଂଶୋଦ୍ଭବ ଭାବେ ଏହି ସମ୍ମାନଜନକ ଲିଗ୍‌ରେ ଖେଳିବାକୁ ସୁଯୋଗ ପାଇଛନ୍ତି। ତାଙ୍କୁ ଦୁଇ ସପ୍ତାହ ତଳେ ସିକାଗୋ ହ୍ବାଇଟ୍‌ ସକ୍ସ ଦଳରେ ନେଇଛି। ଭାରତୀୟ ସମୁଦାୟ ପାଇଁ ଏହା ସ୍ବତନ୍ତ୍ର ବୋଲି କରନ କହିଛନ୍ତି। ସାଧାରଣତଃ ଏଠାରେ ଭାରତୀୟ ମାବାପା ପିଲାଙ୍କୁ ଏକଡେମିକି କ୍ୟାରିୟର କିମ୍ବା କେବଳ କ୍ରିକେଟ ଖେଳିବା ପାଇଁ ଅନୁମତି ଦିଅନ୍ତି। ସୂଚନାଥାଉ କି, କରନ କ୍ରିକେଟରେ ମଧ୍ୟ ଜଣେ ଦକ୍ଷ ଖେଳାଳି। ସେ ୨୦୧୫ରେ ୧୯ ବର୍ଷରୁ କମ୍‌ ଆମେରିକା ଦଳ ପାଇଁ ଖେଳିଥିଲେ। ପରେ ପେସ୍‌ ଅଲରାଉଣ୍ଡର ବେସବଲରେ କ୍ୟାରିୟର କରିବାକୁ ନିଷ୍ପତ୍ତି ନେଇଥିଲେ। ଉଲ୍ଲେଖଥାଉ କି, ୨୦୦୮ରେ ରିଙ୍କୁ ସିଂ ଓ ଦୀନେଶ ପଟେଲ ପ୍ରଥମ ଭାରତୀୟ ଖେଳାଳି ଭାବେ ଏମ୍‌ଏଲବି ସହ ଜଡ଼ିତ ହୋଇଥିଲେ। ସେମାନେ ଏକ ଟ୍ୟାଲେଣ୍ଟ ହଣ୍ଟ ପ୍ରୋଗ୍ରାମ ଜରିଆରେ ଏମ୍‌ଏଲବି ଲିଗ୍‌ ସହ ଟ୍ରେନିଂ କରିବାକୁ ସୁଯୋଗ ପାଇଥିଲେ। କିନ୍ତୁ ଦୁଇ ଜଣ ବେସବଲରେ କ୍ୟାରିୟର କରିପାରି ନ ଥିଲେ। ରିଙ୍କୁ ଏବେ ଓ୍ବାଲର୍‌ଡ ରେସଲିଂ ଏଣ୍ଟରଟେନମେଣ୍ଟ (ଡବ୍ଲ୍ୟୁଡବ୍ଲ୍ୟୁଇ)ରେ ପେସାଦାର ରେସଲର ଭାବେ କାର୍ଯ୍ୟରତ।