Categories: Home Leftଖେଳ

ହୋଇପାରିଥାନ୍ତେ ବଡ଼ ଖେଳାଳି, ଆହତ ସମସ୍ୟା ସବୁ ଛଡ଼ାଇନେଲା

ଅନ୍ତର୍ଜାତୀୟ କ୍ରିକେଟରେ ବଡ଼ ଖେଳାଳି ହେବାର ଯୋଗ୍ୟତା ଥିଲା। ହେଲେ ଆହତ ସମସ୍ୟା ପଲ ବାଲଥାଟିଙ୍କଠାରୁ ସବୁ କିଛି ଛଡ଼ାଇନେଲା। ୨୦୧୧ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ କିଙ୍ଗ୍ସ ଏକାଦଶ ପଞ୍ଜାବ ପାଇଁ ଖେଳୁଥିବା ବାଲଥାଟି ମୋହାଲିଠାରେ ୬୩ ବଲରେ ୧୨୦ ରନ୍‌ର ଇନିଂସ ଖେଳିଥିଲେ। ପରବର୍ତ୍ତୀ ମ୍ୟାଚ୍‌ରେ ୪୭ ବଲରୁ ୭୫ ରନ୍‌ର ଇନିଂସ ଖେଳି ଚର୍ଚ୍ଚାକୁ ଆସିଥିଲେ। ସେହି ସିଜନରେ ସେ ୧୩୭ ଷ୍ଟ୍ରାଇକରେଟ୍‌ରେ ୪୬୩ ରନ୍‌ କରିଥିଲେ। ମାତ୍ର ପରବର୍ତ୍ତୀ ଦୁଇ ବର୍ଷରେ ଆଣ୍ଠୁ ସମସ୍ୟା ଯୋଗୁ ମାତ୍ର ୬ ମ୍ୟାଚ୍‌ ଖେଳିଥିଲେ। ବିଫଳ ହେବାରୁ କିଙ୍ଗ୍ସ ଏକାଦଶ ଦଳରୁ ବିଦା କରିଥିଲା। ସେବେଠାରୁ ହଜି ଯାଇଛନ୍ତି ବାଲଥାଟି। ନ୍ୟୁଜିଲାଣ୍ଡଠାରେ ଅନୁଷ୍ଠିତ ୧୯ ବର୍ଷରୁ କମ୍‌ ୨୦୦୨ ବିଶ୍ୱକପ୍‌ର ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ତାଙ୍କ ଆଖିରେ ବଲ ବାଜିଥିଲା। ସମସ୍ୟା ଥିଲା ବହୁତ ଗମ୍ଭୀର। ଏହା ତାଙ୍କ କ୍ୟାରିୟରକୁ ବହୁମାତ୍ରାରେ ପ୍ରଭାବିତ କରିଥିଲା। ଏପରିକି କିଛି ବର୍ଷ ପର୍ଯ୍ୟନ୍ତ କ୍ରିକେଟରୁ ତାଙ୍କୁ ଦୂରେଇ ରହିବାକୁ ପଡ଼ିଥିଲା। ସେତେବେଳେ ଇର୍ଫାନ ପଠାନ, ଦୀନେଶ କାର୍ତ୍ତିକ, ପାର୍ଥିବ ପଟେଲଙ୍କ ଭଳି ଖେଳାଳି ୧୯ ବର୍ଷରୁ କମ୍‌ ଭାରତୀୟ ଦଳରେ ଥିଲେ। ୩୬ ବର୍ଷୀୟ ବାଲଥାଟି ଏବେ ସ୍ପୋଟର୍‌ସ କୋଟା ଜରିଆରେ ଏୟାର ଇଣ୍ଡିଆରେ କାର୍ଯ୍ୟ କରୁଛନ୍ତି। ପୂର୍ବତନ କ୍ରିକେଟର ବର୍ତ୍ତମାନ କମ୍ପାନୀ ପାଇଁ କ୍ରିକେଟ ଖେଳୁଛନ୍ତି। କିନ୍ତୁ ମୋହାଲିର ସେହି ରାତିକୁ ଭୁଲି ନାହାନ୍ତି।