ହୀରାକୁଦ ଏବେ ବଡ଼ ବିପଦ

ତତ୍ତ୍ୱ ଓ ତର୍କ/ ବିମଳ ପ୍ରସାଦ ପାଣ୍ଡିଆ
ବନ୍ୟା ହିଁ ପୃଥିବୀରେ ସବୁଠାରୁ ଅଧିକ ବଧ୍ୱଂସୀ ବିପତ୍ତି ଆଣିଛି। ୧୯୩୧ ମସିହାରେ ଚାଇନାରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟାରେ ୪୦ ଲକ୍ଷ ଲୋକ ମରିଥିବାର କୁହାଯାଇଛି। ପ୍ରଯୁକ୍ତିର ପ୍ରଗତି ସହ ବନ୍ୟାକୁ ବାନ୍ଧିବାର ଚେଷ୍ଟା ହୋଇଛି। କିନ୍ତୁ ଏପରି କିଛି ଚେଷ୍ଟା କେବଳ ବିଫଳ ହୋଇନାହିଁ, ବନ୍ୟାର ଅତିରିକ୍ତ ତାଣ୍ଡବ ଖେଳାଇଛି। ୨୦୦୪ ମସିହାରେ ଭାରତ ମହାସାଗରର ଅନେକ ଦେଶରେ ହୋଇଥିବା ସୁନାମିରେ ପ୍ରାୟ ୨.୨ ଲକ୍ଷ ଲୋକ ମୃତ୍ୟୁବରଣ କରିଥିବା ବେଳେ ତହିଁରୁ ଅଧିକ ଲୋକ ୧୯୭୬ ମସିହାରେ ମରିଥିଲେ ଚାଇନାରେ ଗୋଟିଏ ବେନକ୍ୟୁଓ ଡ୍ୟାମ୍‌ ଭୁଶୁଡିବା କାରଣରୁ। ବର୍ଷା ଋତୁ ଆସିଲେ ଓଡ଼ିଶାକୁ ବନ୍ୟା ଚିନ୍ତା ଘାରେ। ଓଡ଼ିଶାରେ ଚାଇନା ଭଳି ବିପତ୍ତି ଏଯାଏ ହୋଇନାହିଁ। କିନ୍ତୁ ସେଭଳି ବିପତ୍ତି ହେବାର କ୍ଷେତ୍ର ପ୍ରସ୍ତୁତ ହୋଇରହିଛି। ଗତ ବର୍ଷ ଓ ଚଳିତ ବର୍ଷର ଗୋଟିଏ ଗୋଟିଏ ଦିନର ବର୍ଷାର ଭୀତିପ୍ରଦ ଉଦାହରଣ ତଥା ହୀରାକୁଦ ବନ୍ଧର ଉପର ମୁଣ୍ଡରେ ବନ୍ଧା ଯାଇଥିବା ଅନେକ ନଦୀବନ୍ଧ କାରଣରୁ ଓଡ଼ିଶାର ବନ୍ୟାପ୍ରବଣତା ଖୁବ୍‌ ଜଟିଳ ହୋଇସାରିଛି।
କ୍ରମାଗତ ଭାବେ ଦୁଇବର୍ଷ ଧରି ଓଡ଼ିଶାରେ ଏମିତି ଗୋଟିଏ ଗୋଟିଏ ଦିନ ଆସିଛି ଯେଉଁ ଦିନ ବର୍ଷା ଅତର୍ଚ୍ଛା ବରଷିଛି। ୨୨ା୦୭ା୨୦୧୮ରେ ବୁର୍ଲାରେ ଗୋଟିଏ ଦିନରେ ୬୨୨ ମିଲିମିଟର ବର୍ଷା ହୋଇଥିବା ବେଳେ ଚଳିତ ବର୍ଷ ଅଗଷ୍ଟ ୧୪ ତାରିଖରେ ବଲାଙ୍ଗୀରରେ ୫୫୫ ମିଲିମିଟର ବର୍ଷା ହୋଇଥିବା ରେକର୍ଡ ହୋଇଛି। ଓଡ଼ିଶାରେ ବର୍ଷକୁ ହାରାହାରି ୧୪୦୦ ମିଲିମିଟର ବର୍ଷା ହୋଇଥାଏ। ଏଥିରୁ ଅନୁମାନ କରାଯାଇପାରେ ଯେ ଗତବର୍ଷ ବୁର୍ଲା ଓ ଏ ବର୍ଷ ବଲାଙ୍ଗୀରରେ ହୋଇଥିବା ବର୍ଷା କେତେ ଭୟଙ୍କର ଥିଲା। କେବେ କେମିତି ଏମିତି ନିଶ୍ଚୟ ବରଷିବ, କିନ୍ତୁ ଚିନ୍ତାର ବିଷୟ ହେଲା ଯେ ଲାଗଲାଗ ଦୁଇବର୍ଷରେ ବର୍ଷାର ଏମିତି ପ୍ରାବଲ୍ୟ ଦେଖାଦେଇଛି। ଏମିତି ବର୍ଷା ଯଦି ପୁଣି ହୁଏ ଓ ଏକ ବଡ଼ ଅଞ୍ଚଳରେ ହୁଏ, ତେବେ ଅବସ୍ଥା ଅସମ୍ଭାଳ ହୋଇଯିବ। ବଲାଙ୍ଗୀର ଓ କଳାହାଣ୍ଡି ଜିଲାର ଏକ ଛୋଟ ଅଞ୍ଚଳରେ ହୋଇଥିବା ବର୍ଷାରେ କେବଳ ବଲାଙ୍ଗୀର ଭଳି ମାଳ ଅଞ୍ଚଳରେ ଥିବା ଏକ ସହର ଖାଲି ଉବୁଟୁବୁ ହୋଇ ନ ଥିଲା ମହାନଦୀର ପ୍ରମୁଖ ଉପନଦୀ ତେଲନଦୀରେ ପ୍ରାୟ ଗୋଟିଏ ଦିନଧରି ୯ଲକ୍ଷ କ୍ୟୁସେକ୍‌ ଜଳ ପ୍ରବାହିତ ହୋଇଥିଲା।
ସାଧାରଣ ପାଠକଟିଏ ଜାଣିବାକୁ ଚାହିଁବ ଯେ, ଏତିକି କ୍ୟୁସେକ୍‌ କହିଲେ ତାହା କେତେ ଓ କାହିଁକି ଭୟାନକ। ହୀରାକୁଦ ଜଳଭଣ୍ଡାର ପୂର୍ଣ୍ଣ ଥିବାବେଳେ ବନ୍ଧରେ ଥିବା ସମସ୍ତ ଗେଟ୍‌ ଖୋଲିଦେଲେ ସର୍ବାଧିକ ୧୫ ଲକ୍ଷ କ୍ୟୁସେକ୍‌ ଜଳ ହିଁ ନିଷ୍କାସିତ ହୋଇପାରିବ। ୧୯୮୨ ମସିହାର ପ୍ରଳୟଙ୍କରୀ ବନ୍ୟାରେ କଟକର ଉପର ମୁଣ୍ଡରେ ଥିବା ନରାଜଠାରେ ସର୍ବାଧିକ ୧୫.୮ ଲକ୍ଷ କ୍ୟୁସେକ୍‌ ବନ୍ୟାଜଳ ପ୍ରବାହିତ ହୋଇଥିଲା। ସେଠାରେ ୧୧ ଲକ୍ଷ କ୍ୟୁସେକ୍‌ରୁ ଅଧିକ ଜଳ ପ୍ରବାହିତ ହେଲେ ମହାନଦୀର ତ୍ରିକୋଣଭୂମି ଅଞ୍ଚଳରେ ବନ୍ୟା ପରିସ୍ଥିତି ସଙ୍ଗିନ ହୋଇଯାଏ। ଏଥିରୁ ୧୧ ଲକ୍ଷ କ୍ୟୁସେକ୍‌ କେତେ ଅଧିକ ବା କମ୍‌ ତାହାର ଅନୁମାନ କରିହେବ। ଚଳିତବର୍ଷ ତେଲନଦୀରେ ଏତେ ପାଣି ଆସି ମଧ୍ୟ ମହାନଦୀରେ ଅଧିକ ବିପଦ ଘଟିଲା ନାହିଁ କାରଣ ହୀରାକୁଦ ଖାଲିଥିଲା, ତଳମୁଣ୍ଡ ପ୍ରାୟତଃ ଶୁଖିଲା ଥିଲା ଓ ସମୁଦ୍ର ଶାନ୍ତ ଥିଲା। ଅନ୍ୟ ଭାବରେ କହିଲେ ଭାଗ୍ୟ ଭଲ ଥିଲା। ଚଳିତ ବର୍ଷ ଓ ଗତ ବର୍ଷର ସେହି ଗୋଟିଏ ଗୋଟିଏ ଦିନର ବର୍ଷା ଆମକୁ ହୀରାକୁଦ ନଦୀବନ୍ଧ ପ୍ରତି ଥିବା ବିପଦ ତଥା ମହାନଦୀରେ ଭୟଙ୍କର ବନ୍ୟା ଆଶଙ୍କାର ପୁନଃ-ଆକଳନ ପାଇଁ ବାଧ୍ୟ କରେ ।
ତେଲନଦୀର ସମସ୍ତ ଅବବାହିକାରେ ବଲାଙ୍ଗୀର ଭଳି ବର୍ଷା ହୋଇ ନ ଥିଲା। କେବଳ ଅଳ୍ପ କିଛି ଅଞ୍ଚଳରେ ଅତି ପ୍ରବଳ ବର୍ଷା ହୋଇଥିଲା। ସେତିକି ବର୍ଷାରେ ତେଲ ନଦୀରେ ୯ଲକ୍ଷ କ୍ୟୁସେକ୍‌ ବନ୍ୟାଜଳ ପ୍ରବାହିତ ହୋଇଥିଲା। ସେଥିରୁ ଜଣେ ଅନୁମାନ କରିପାରିବ ଯଦି ଅଧିକ ଅଞ୍ଚଳରେ ସେମିତି ବର୍ଷା ହୋଇଥାନ୍ତା ବା ଆଉ ଟିକେ ଅଧିକ ବର୍ଷା ହୋଇଥାନ୍ତା ଅବସ୍ଥା କ’ଣ ହୋଇଥାନ୍ତା! ଯେତିକି ଅଞ୍ଚଳରେ ବର୍ଷା ହେଲେ ବର୍ଷାଜଳ ତେଲନଦୀରେ ପ୍ରବାହିତ ହୋଇଥାଏ ତାହାର ପାଖାପାଖି ୩.୬ ଗୁଣ ଅଞ୍ଚଳର ବର୍ଷାଜଳ ହୀରାକୁଦ ଦେଇ ମହାନଦୀରେ ପ୍ରବାହିତ ହୋଇଥାଏ। ଅନ୍ୟ ଭାବରେ କହିଲେ ତେଲନଦୀର ସମୁଦାୟ ଅବବାହିକା ଯେତେ ବଡ, ହୀରାକୁଦ ଯାଏ ଥିବା ମହାନଦୀର ଅବବାହିକା ତାହାର ପ୍ରାୟ ଚାରିଗୁଣ ଅଧିକ। ଏବେ ଦେଖିବା ହୀରାକୁଦର କ୍ଷମତା କେତେ। ବିଶାଳ ହୀରାକୁଦ ଜଳଭଣ୍ଡାରରେ ଏବେ କେବଳ ପ୍ରାୟ ୩୬ ଲକ୍ଷ ଏକର ଫୁଟ ପାଣି ହିଁ ରହି ପାରିବ ବୋଲି ଆକଳନ ହୋଇଛି। ଏହା କେତେ ଅଧିକ ବା କମ୍‌ ବୋଲି କିଛି ପାଠକଙ୍କ ମନରେ ଜିଜ୍ଞାସା ଜାତ ହେଉଥିବ। ଧରନ୍ତୁ ହୀରାକୁଦ ସମ୍ପୂର୍ଣ୍ଣ ଖାଲି ଅଛି ଓ ଏହାର ସବୁ ଗେଟ୍‌ ବନ୍ଦ ଅଛି। ଏମିତି ସ୍ଥିତିରେ ତେଲନଦୀରେ ଏଥର ଯେତିକି ଜଳ ପ୍ରବାହିତ ହେଉଥିଲା ସେତିକି ଜଳ ଏକ ସମ୍ପୂର୍ଣ୍ଣ ଖାଲି ହୀରାକୁଦକୁ ପ୍ରବେଶ କରିବା ଆରମ୍ଭ କଲେ ହୀରାକୁଦ ଜଳଭଣ୍ଡାରକୁ ତାହାର ସର୍ବୋଚ୍ଚ ଜଳସ୍ତରକୁ ପହଞ୍ଚି ଯିବାକୁ ମାତ୍ର ୪୮ଘଣ୍ଟା ହିଁ ଲାଗିବ। ହୀରାକୁଦ ଜଳଭଣ୍ଡାର କୌଣସି ସମୟରେ ପୂରା ଖାଲି ନ ଥାଏ। ଅଧା ମୌସୁମୀ ଋତୁ ବେଳକୁ ତ ଅନେକ ସମୟରେ ଜଳଭଣ୍ଡାର ଖୁବ୍‌ ଉଚ୍ଚ ସ୍ତରରେ ଥାଏ। ଏହା ଜଳଭଣ୍ଡାରର ବନ୍ୟା ସମ୍ଭାଳିବା କ୍ଷମତା ବାହାରେ।
ଇଞ୍ଜିନିୟର ଏ.ଏନ୍‌. ଖୋସ୍‌ଲା ପ୍ରସ୍ତୁତ କରିଥିବା ହୀରାକୁଦର ମୂଳ ଯୋଜନାରେ ଆକଳନ କରାଯାଇଥିଲା ଯେ ହୀରାକୁଦଠାରେ ସର୍ବାଧିକ ୯.୪୨ଲକ୍ଷ କ୍ୟୁସେକ୍‌ ବନ୍ୟାଜଳ ପ୍ରବାହିତ ହେବ। ଏହାଠାରୁ ଯଥେଷ୍ଟ ଅଧିକ ବନ୍ୟାଜଳ ଅନେକଥର ହୀରାକୁଦ ଜଳଭଣ୍ଡାରକୁ ପ୍ରବେଶ କରିବାର ଭୀତିପ୍ରଦ ନଜିର ରହିଛି। ୨୦୧୫ ଜୁଲାଇରେ ହୀରାକୁଦକୁ ୧୧ଲକ୍ଷ କ୍ୟୁସେକ୍‌ ପାଣି ପ୍ରବେଶ କରୁଥିଲା। ସେତେବେଳେ ଛତିଶଗଡ଼ରେ ଥିବା ମିନିମାତାବାଙ୍ଗୋରୁ ହଠାତ୍‌ ଅତିରିକ୍ତ ବନ୍ୟାଜଳ ନିଷ୍କାସନକୁ ଅନେକ ମାତ୍ରାରେ ଦାୟୀ କରାଯାଇଥିଲା। ଛତିଶଗଡ଼ରେ ଏବେ ଛୋଟବଡ଼ ଜଳଭଣ୍ଡାର ଭରିଗଲାଣି, ଆହୁରି ବି ହେବ। ସେସବୁ ଜଳଭଣ୍ଡାରର ପ୍ରମୁଖ ଲକ୍ଷ୍ୟ ହେଲା ଯେତେ ଶୀଘ୍ର ପୂର୍ଣ୍ଣ ହେବ, ବନ୍ୟା ପ୍ରଶମନ ଲକ୍ଷ୍ୟ ନୁହେଁ। ଜଳଭଣ୍ଡାର ସବୁ ପୂର୍ଣ୍ଣ ଥିବା ଅବସ୍ଥାରେ ଅଧିକ ବର୍ଷା ହେଲେ ସେସବୁ ବନ୍ଧକୁ ସୁରକ୍ଷିତ ରଖିବା ପାଇଁ ସେଠାରୁ ଅଧିକ ଜଳ ନିଷ୍କାସିତ ହେବ ଯାହା ହୀରାକୁଦ ସମେତ ତଳମୁଣ୍ଡରେ ଥିବା ବନ୍ଧଗୁଡ଼ିକ ପାଇଁ ଅତିରିକ୍ତ ବିପଦ ସୃଷ୍ଟି କରିବ।
ହୀରାକୁଦର ସର୍ବୋଚ୍ଚ ଜଳ ନିଷ୍କାସନ କ୍ଷମତା ହେଲା ମାତ୍ର ୧୫ଲକ୍ଷ କ୍ୟୁସେକ୍‌। ବର୍ଷାର ପରିବର୍ତ୍ତିତ ରୂପ ଓ ହୀରାକୁଦ ଉପରମୁଣ୍ଡରେ ନଦୀ ଓ ଅବବାହିକାର ପରିବର୍ତ୍ତିତ ଚରିତ୍ରକୁ ହିସାବକୁ ନେଇ ହୀରାକୁଦଠାରେ ସର୍ବାଧିକ ବନ୍ୟାଜଳ ପ୍ରବାହ ୨୪.୫୯ ଲକ୍ଷ କ୍ୟୁସେକ୍‌ ହେବ ବୋଲି କେନ୍ଦ୍ରୀୟ ଜଳ ଆୟୋଗ ଅନୁମାନ କରିଛନ୍ତି। ଏହା ହୀରାକୁଦ ମୂଳ ଯୋଜନାର ଆକଳନଠାରୁ ୨.୬ଗୁଣ ଅଧିକ। ଦୈବାତ୍‌ ଏମିତି ପାଣି ଆସିଗଲେ ହୀରାକୁଦ ଓଡ଼ିଶାକୁ ଧ୍ବଂସ କରିଦେବ, କାରଣ ଏତିକି ବନ୍ୟାଜଳ ନିଷ୍କାସନ କରିବା କ୍ଷମତା ତା’ର ନାହିଁ। ୨.୩ ଲକ୍ଷ ଲୋକଙ୍କ ମୃତ୍ୟୁର କାରଣ ହୋଇଥିବା ବେନକ୍ୟୁଓ ଡ୍ୟାମ୍‌କୁ ମାତ୍ର ୭୪୬ ବର୍ଗକିଲୋମିଟର ଅଞ୍ଚଳରୁ ଜଳ ଆସୁଥିଲା। ସେତିକି ଅଞ୍ଚଳର ବର୍ଷା ସେହି ଡ୍ୟାମ୍‌କୁ ଉଜାଡି ଦେଇଥିଲା। ହୀରାକୁଦକୁ ତା’ର ୧୦୮ଗୁଣ ଅଧିକ ଅଞ୍ଚଳରୁ ପାଣି ଆସେ। ତେଣୁ ହୀରାକୁଦ ଯେ ଏବେ ଏକ ବଡ଼ ବିପଦ, ତାହା ଆମେ ହେଜିବା ଦରକାର।