New Zealand's batsman Tom Latham celebrates reaching his century, 100 runs, on day one of the second cricket Test between England and New Zealand at Seddon Park in Hamilton on November 29, 2019. (Photo by Peter PARKS / AFP) (Photo by PETER PARKS/AFP via Getty Images)
ହାମିଲଟନ,୩୦।୧୧(ଏଏଫ୍ପି)- ସ୍ଥାନୀୟ ସେଡନ ପାର୍କ ଗ୍ରାଉଣ୍ଡରେ ନ୍ୟୁଜିଲାଣ୍ଡ ଓ ଭ୍ରମଣକାରୀ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଆରମ୍ଭ ହୋଇଛି। ଓପନର ଟମ୍ ଲଥାମଙ୍କ ଅପରାଜିତ ଶତକ ସହାୟତାରେ ନ୍ୟୁଜିଲାଣ୍ଡ ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ୫୪.୩ ଓଭରରେ ୩ ଉଇକେଟ ହରାଇ ୧୭୩ ରନ ସଂଗ୍ରହ କରିଛି। ଷ୍ଟମ୍ପ ଅପସାରଣ ବେଳକୁ ଲଥାମ ୧୦୧ ଏବଂ ହେନେରି ନିକୋଲ୍ସ ୫ ରନ କରି ଅପରାଜିତ ରହିଛନ୍ତି। ବର୍ଷା କାରଣରୁ ଖେଳ ଶୀଘ୍ର ସମାପ୍ତ ହୋଇଥିଲା। ଚା’ପାନ ବିରତି ପରେ ମାତ୍ର ୩ଟି ବଲ୍ ଖେଳା ଯିବାପରେ ପ୍ରଥମ ଦିନର ଖେଳ ସମାପ୍ତ ହୋଇଥିଲା।
ଟସ୍ ଜିତି ଇଂଲଣ୍ଡ ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୧୬ ରନରେ ଓପନର ଜିତ ରାଭାଲଙ୍କୁ ହରାଇ ପ୍ରାରମ୍ଭିକ ଝଟ୍କା ଖାଇଥିଲା। ରାଭାଲ ମାତ୍ର ୫ ରନକରି ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡଙ୍କ ବଲ୍କୁ ଖେଳିବାକୁ ଯାଉଥିଲେ ଓ ବଲ୍ ବ୍ୟାଟ୍ର ଏଜ୍ ନେଇଥିଲା। ଫଳରେ ସେ ପ୍ରଥମ ସ୍ଲିପ୍ରେ ଜୋ ରୁଟଙ୍କୁ କ୍ୟାଚ୍ ଦେଇ ପ୍ୟାଭିଲିୟନ ଫେରିଥିଲେ। ଏହାପରେ ଇନ୍ଫର୍ମ ଅଧିନାୟକ କେନ୍ ଓ୍ବିଲିୟମସନ ମାତ୍ର ୪ ରନ କରି ଆଉଟ ହୋଇଥିଲେ। କ୍ରସି ଓ୍ବକ୍ସଙ୍କ ବଲ୍ ତାଙ୍କ ବ୍ୟାଟ୍ର ଏଜ୍ ନେଇଥିଲା। ଫଳରେ ସେ ସ୍ଲିପ୍ରେ ରୁଟ୍ଙ୍କ ହାତରେ ଧରାପଡି ପ୍ୟାଭିଲିୟନ ଫେରିଥିଲେ। ଏହା ପରେ ଅଭିଜ୍ଞ ରସ୍ ଟେଲରଙ୍କ ପାଳି ପଡିଥିଲା। ଆଉଟ ହେବା ପୂର୍ବରୁ ସେ ୫୩ ରନର ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ସେ କ୍ୟାରିୟର ୩୨ତମ ଟେଷ୍ଟ ଅର୍ଦ୍ଧଶତକ ଅର୍ଜନ କରିଛନ୍ତି। ଦ୍ରୁତ ବୋଲର ଓ୍ବକ୍ସଙ୍କ ବଲରେ ସେ ସମାନ ଢଙ୍ଗରେ ସ୍ଲିପ୍ରେ ରୁଟଙ୍କୁ କ୍ୟାଚ୍ ଦେଇଥିଲେ। ତୃତୀୟ ଉଇକେଟରେ ଟେଲର ଓ ଲଥାମ ୧୧୬ ରନର ଶତକୀୟ ଭାଗୀଦରି ସ୍ଥାପନ କରି ସ୍ଥିତି ସମ୍ଭାଳିଥିଲେ। ଏହା ପରେ ୧୬୪ଟି ବଲର ସମ୍ମୁଖୀନ ହୋଇ ୧୫ଟି ଚୌକା ସହ ଲଥାମ ଶତକ ପୂରଣ କରିଥିଲେ। ଏଥି ସହିତ ସେ କ୍ୟାରିୟରର ୧୧ତମ ଶତକ ହାସଲ କରିଛନ୍ତି। ୬୬ ରନରେ ସେ ଅବଶ୍ୟ ଏକ ଜୀବନଦାନ ପାଇଥିଲେ। ଗତ ୧୦ଟି ଟେଷ୍ଟରେ ଲଥାମ ୫ଟି ଶତକ ଅର୍ଜନ କରିଛନ୍ତି। ବୋଲିଂରେ ଇଂଲଣ୍ଡ ତରଫରୁ ଓ୍ବକ୍ସ ୨ଟି ଓ ବ୍ରଡ ଗୋଟିଏ ଉଇକେଟ ହାସଲ କରିଛନ୍ତି। ପୂର୍ବରୁ ପ୍ରଥମ ଟେଷ୍ଟ ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ଏକ ଇନିଂସ ୬୫ ରନରେ ବିଜୟୀ ହୋଇ ୨ ମ୍ୟାଚ୍ ବିଶିଷ୍ଟ ଏହି ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଥିଲା।
ସଂକ୍ଷିପ୍ତ ସ୍କୋର:
ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସ- ୫୪.୩ ଓଭରରେ ୧୭୩/୩
(ଟମ୍ ଲଥାମ- ୧୦୧*, ରସ୍ ଟେଲର- ୫୩, କ୍ରିସ୍ ଓ୍ବକ୍ସ- ୨/୪୧, ଷ୍ଟୁଆର୍ଟ ବ୍ରଡ- ୧/୩୩)।