Categories: Home Leftଖେଳ

ହାମିଲଟନ ଜିତିଲେ କାନାଡିଆନ୍‌ ଗ୍ରାଁପ୍ରି

ମଣ୍ଟ୍ରିଲ, ୧୦ା୬ (ଏଏଫ୍‌ପି)-ମର୍ସିଡିଜ୍‌ର ଲୁଇସ୍‌ ହାମିଲଟନ କନାଡିଆନ୍‌ ଫର୍ମୁଲା ଓ୍ବାନ୍‌ ମୋଟର ରେସ୍‌ ଗ୍ରାଁ ପ୍ରି ଟାଇଟଲ ଜିତିଛନ୍ତି। ରବିବାର ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ୫ ସେକେଣ୍ଡ ପେନାଲ୍ଟି ଯୋଗୁ ଫେରାରିର ସେବାଷ୍ଟିଆନ ଭେଟେଲ ବିଜୟରୁ ବଞ୍ଚତ୍ତ ହୋଇଥିଲେ। ୫୦ତମ ଲାପ୍‌ରେ ଏହି ଦୁଇ ଡ୍ରାଇଭରଙ୍କ ମଧ୍ୟରେ ଜୋର୍‌ଦାର ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା। ଦୁହିଁଙ୍କ ମଧ୍ୟରେ ଦୁର୍ଘଟଣା ପରିସ୍ଥିତି ସୃଷ୍ଟି ହୋଇଥିଲା। ଭେଟେଲ ରେସ୍‌ର ଅଧିକାଂଶ ସମୟ ଅଗ୍ରଣୀ ରହିଥିଲେ। କିନ୍ତୁ ତାଙ୍କ ବିପଜ୍ଜନକ ଡ୍ରାଇଭିଂ ଯୋଗୁ ହାମିଲଟନଙ୍କ କାର୍‌ ବ୍ୟାରିକେଡ୍‌ରେ ପିଟି ହୋଇଯିବା ଆଶଙ୍କା ସୃଷ୍ଟି ହୋଇଥିଲା। ଏହି କାରଣରୁ ଭେଟେଲଙ୍କୁ ୫ ସେକେଣ୍ଡ ଟାଇମ୍‌ ପେନାଲ୍ଟି ହୋଇଥିଲା। ଯାହାଫଳରେ ହାମିଲଟନଙ୍କୁ ବିଜୟୀ ଘୋଷଣା କରାଯାଇଥିଲା। ଏହି ବିଜୟ ଦ୍ୱାରା ଡ୍ରାଇଭର୍ସ ଚାମ୍ପିୟନଶିପ୍‌ରେ ତାଙ୍କ ଅଗ୍ରଣୀ ବ୍ୟବଧାନ ୨୯ ପଏଣ୍ଟକୁ ବୃଦ୍ଧି କରିପାରିଛନ୍ତି। ଫେରାରିର ଚାର୍ଲସ ଲେକ୍‌ରେକ୍‌ ତୃତୀୟ ଏବଂ ମର୍ସିଡିଜର ଭାଲଟେରି ବୋଟାସ ଚତୁର୍ଥ ହୋଇଥିଲେ। ଟପ୍‌ ୧୦ରେ ଯଥାକ୍ରମେ ସ୍ଥାନ ପାଇଥିବା ଅନ୍ୟ ଡ୍ରାଇଭରମାନେ ହେଲେ ମାକ୍ସ ଭର୍ଷ୍ଟାପେନ (ରେଡ୍‌ବୁଲ), ଡାନିଏଲ ରିକାର୍ଡୋ(ରେନଲ୍ଟ), ନିକୋ ହକେନବର୍ଗ (ରେନଲ୍ଟ), ପିଏରେ ଗାସ୍‌ଲି (ରେଡ୍‌ବୁଲ୍‌), ଲାନ୍ସ ଷ୍ଟ୍ରୋଲ (ରେସିଂ ପଏଣ୍ଟ) ଏବଂ ଡାନିଲ କ୍ୟାତ୍‌(ଟୋରୋ ରୋସୋ)।