ହାତୀ ଆକ୍ରମଣରେ ଜଣେ ମୃତ: ଉତ୍ତେଜନା, ବନ ବିଭାଗ ଗାଡ଼ି ଭଙ୍ଗାରୁଜା

ବନ୍ତଳା, ୩ା୫(ଡି.ଏନ.ଏ.)- ଅନୁଗୋଳ ଜିଲା ବନ୍ତଳା ଥାନା ତଳଗଡ଼ ନୂଆଁଭୂଇଁ ସାହିର କାଳିଆ ବେହେରା (୩୦)ଙ୍କ ରବିବାର ହାତୀ ଆକ୍ରମଣରେ ମୃତ୍ୟୁ ଘଟିଛି। ସେ ସୁମିତ୍ରା ପାହାଡ ତଳେ ଥିବା ମିରିଗେଇ ଜଙ୍ଗଲକୁ ସକାଳେ ଛେଳି ଚରାଇବା ପାଇଁ ଯାଇଥିବାବେଳେ ଏକ ଦନ୍ତା ହାବୁଡରେ ପଡିଯାଇଥିଲେ।  ଖବର ଜଣାପଡିବା ପରେ ସ୍ଥାନୀୟ ଗ୍ରାମବାସୀ ସେଠାରେ ପହଞ୍ଚିବା ସହ ଉତ୍ତେଜନା ଦେଖାଦେଇଥିଲା। ଘଟଣାସ୍ଥଳରେ ବନ୍ତଳା ରେଞ୍ଜର ବିନ୍ଦୁ ପ୍ରସାଦ ପ୍ରଧାନ, ଦୁଇ ଜଣ ଫରେଷ୍ଟର, ଗାର୍ଡ, ଓ୍ବାଚରଙ୍କ ସହିତ ବନ୍ତଳା ଥାନା ଏଏସଆଇ ଏସ ବି ଥେମେରିଆ ଓ ପୋଲିସ କର୍ମଚାରୀ ପହଞ୍ଚିଥିଲେ। ସେଠାରେ ଉତ୍ତ୍ୟକ୍ତ ଲୋକେ ବଚସା କରିବା ସହ ବନ ଓ ପୋଲିସ କର୍ମଚାରୀଙ୍କୁ ମାଡ଼ ମାରିବା, ବନ ବିଭାଗର ଦୁଇଟି ଗାଡ଼ି ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ଅନୁଗୋଳରୁ ପୋଲିସ ଫୋର୍ସ ପହଞ୍ଚି ମୃତଦେହ ଜବତ କରିବା ସହ ରେଞ୍ଜର ଓ ପୋଲିସ ଅଧତ୍କାରୀଙ୍କୁ ଉଦ୍ଧାର କରିଥିଲେ।  ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ସମସ୍ତ ଘଟଣାର ତଦନ୍ତ ଚାଲିଥିବା ପୋଲିସ କହିଛି।

Share