Categories: Home Leftଖେଳ

ହରମନପ୍ରୀତ୍‌ ଆନ୍ତର୍ଜାତିକ କ୍ରିକେଟରୁ ବ୍ରେକ୍‌ ନେବାକୁ ଚାହୁଁଥିଲେ

ନୂଆଦିଲ୍ଲୀ,୨୪।୫(ପି.ଟି.)- ଓ୍ବେଷ୍ଟଇଣ୍ଡିଜ୍‌ରେ ଖେଳାଯାଇଥିବା ବିଶ୍ୱକପ୍‌ ଟି୨୦ ବିବାଦ ପରେ ଆନ୍ତର୍ଜାତିକ କ୍ରିକେଟରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବ୍ରେକ୍‌ ବା ବିଶ୍ରାମ ନେବାକୁ ଚାହୁଁଥିଲେ ବୋଲି ଭାରତୀୟ ଅଧିନାୟିକା ହରମନପ୍ରୀତ କୌର କହିଛନ୍ତି। ଇଂଲଣ୍ଡ ବିପକ୍ଷ ସେମିଫାଇନାଲରେ ସିନିୟର ଖେଳାଳି ମିଥାଲି ରାଜଙ୍କୁ ବାଦ ଦେବାକୁ ଟିମ୍‌ ମ୍ୟାନେଜମେଣ୍ଟ ଓ ହରମନପ୍ରୀତ ମିଳିତ ଭାବେ ନିଷ୍ପତ୍ତି ନେଇଥିଲେ। ସେମିଫାଇନାଲରେ ଭାରତ ପରାସ୍ତ ହେବା ପରେ ବିବାଦ ସୃଷ୍ଟି ହୋଇଥିଲା। ଫଳରେ ଭାରତୀୟ ଦଳ ଦୁଇ ଭାଗରେ ବିଭକ୍ତ ହୋଇଥିଲା। ଶେଷରେ କୋଚ୍‌ ରମେଶ ପାଓ୍ବାରଙ୍କୁ ପଦରୁ ବହିଷ୍କୃତ ହେବାକୁ ପଡିଥିଲା। ଦିନିକିଆ ଅଧିନାୟକ ମିଥାଲିଙ୍କ ସହ ହରମନପ୍ରୀତଙ୍କ ମଧ୍ୟରେ ସମ୍ପର୍କ ମଧ୍ୟ ସେତେଟା ଭଲ ହୋଇପାରି ନ ଥିଲା। ଆଘାତ ସମସ୍ୟାରୁ ମଧ୍ୟ ହରମନପ୍ରୀତ କ୍ରିକେଟରୁ ବେଶ୍‌ କିଛିଦିନ ଦୂରେଇ ରହିଥିଲେ। ଟି୨୦ ବିଶ୍ୱକପ୍‌ର ପରାଜୟ ପରେ ଅବଶ୍ୟ ନିରାଶ ହୋଇଥିଲେ। ତେବେ ବିବାଦ ମୋତେ ଅଧିକ କଷ୍ଟ ଦେଇଥିଲା ବୋଲି ହରମନପ୍ରୀତ କହିଛନ୍ତି। ଉଲ୍ଲେଖଥାଉ କି, ୩୦ ବର୍ଷୀୟା ମହିଳା ଅଲରାଉଣ୍ଡର ହରମନପ୍ରୀତ ୨ଟି ଟେଷ୍ଟ, ୯୩ଟି ଦିନିକିଆ ଓ ୯୬ଟି ଟି୨୦ ମ୍ୟାଚ୍‌ ଖେଳି ବେଶ୍‌ ସଫଳତା ହାସଲ କରିଛନ୍ତି।