Manchester: Australia's Steve Smith celebrates after scoring a century, applauded by captain Tim Paine during day two of the fourth Ashes Test cricket match between England and Australia at Old Trafford in Manchester, England, Thursday, Sept. 5, 2019. AP/PTI(AP9_5_2019_000115B)
ମାଞ୍ଚେଷ୍ଟର, ୬ା୯ (ଏଏଫ୍ପି)-ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥ୍ ଅନ୍ତର୍ଜାତୀୟ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିବା ପରେ ଇଂଲଣ୍ଡ ବିପକ୍ଷ ଚଳିତ ଆଶେସ ସିରିଜରେ ତାଙ୍କ ପ୍ରଭାବୀ ବ୍ୟାଟିଂ ଜାରି ରଖିଛନ୍ତି। ଓଲ୍ଡ ଟ୍ରାଫୋର୍ଡଠାରେ ଚାଲିଥିବା ଚତୁର୍ଥ ଟେଷ୍ଟରେ ସ୍ମିଥଙ୍କ ଦ୍ୱିଶତକ ସହାୟତାରେ ଅଷ୍ଟ୍ରେଲିଆ ୮ ଉଇକେଟ ବିନିମୟରେ ୪୯୭ ରନ କରି ଏହାର ପ୍ରଥମ ଇନିଂସ ଘୋଷଣା କରିଛି। ସ୍ମିଥ୍ ୨୧୧ ରନ କରି ଜୋ ରୁଟ୍ଙ୍କ ବଲ୍ରେ ଜୋ ଡେନ୍ଲିଙ୍କ ଦ୍ୱାରା କ୍ୟାଚ ଆଉଟ ହୋଇଯାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ମାର୍ନସ ଲବୁସ୍କେନ ୬୭, ଉଇକେଟକିପର ଅଧିନାୟକ ଟିମ୍ ପେନ୍ ୫୮ ରନ କରିଥିବାବେଳେ ମିଚେଲ ଷ୍ଟାର୍କ ୫୪ ରନ କରି ଅପରାଜିତ ରହିଥିଲେ। ଇଂଲଣ୍ଡ ପକ୍ଷରୁ ଷ୍ଟୁଆର୍ଟ ବ୍ରଡ୍ ୩ ଉଇକେଟ ନେଇଥିବାବେଳେ ଜ୍ୟାକ୍ ଲିଚ୍ ଓ କ୍ରେଗ୍ ଓଭରଟନ ୨ଟି ଲେଖାଏଁ ଉଇକେଟ ଅକ୍ତିଆର କରିଥିଲେ। ଜବାବରେ ଘରୋଇ ଦଳ ୧ ଉଇକେଟ ବିନିମୟରେ ୨୩ ରନ କରିଛି।
ଫାଷ୍ଟ ବୋଲର ଜୋଫ୍ରା ଆର୍ଚର ସ୍ମିଥ୍ଙ୍କୁ କଟ୍ ଆଣ୍ଡ୍ ବୋଲ୍ଡର ଏକ ସୁଯୋଗ ପାଇ ହାତଛଡ଼ା କରିଥିଲେ। ସେ ସଫଳ ହୋଇଥିଲେ ହୁଏତ ମ୍ୟାଚର ସ୍ଥିତି ଭିନ୍ନ ହୋଇଥାନ୍ତା। ବର୍ତ୍ତମାନ ବିଶ୍ୱର ନମ୍ବର ଓ୍ବାନ ଟେଷ୍ଟ ର଼୍ୟାଙ୍କିଙ୍ଗ ବ୍ୟାଟ୍ସମ୍ୟାନ ସେତେବେଳେ ୬୫ ରନ କରି ଖେଳୁଥିଲେ। ଲଡର୍ସ ଟେଷ୍ଟରେ ଆର୍ଚରଙ୍କ ବାଉନ୍ସରରେ ଆଘାତପ୍ରାପ୍ତ ସ୍ମିଥ୍ ତୃତୀୟ ଟେଷ୍ଟ ଖେଳିବାରୁ ବଞ୍ଚତ୍ତ ହୋଇଥିଲେ। ସ୍ମିଥ୍ ଏଠାରେ ତାଙ୍କ କ୍ୟାରିୟରର ତୃତୀୟ ଦ୍ୱିଶତକ ହାସଲ କରିଛନ୍ତି। କୌତୂହଳର ବିଷୟ ଏହି ସମସ୍ତ ଦ୍ୱିଶତକ ସେ ଇଂଲଣ୍ଡ ବିପକ୍ଷରେ ହାସଲ କରିଛନ୍ତି।
ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ବଲ୍ ଟ୍ୟାମ୍ପରିଂ ଅଭିଯୋଗରେ ୧୨ ମାସ ବାସନ୍ଦ ଦଣ୍ଡ ଭୋଗି ସାରିବା ପରେ ଏଜବାଷ୍ଟନଠାରେ ଖେଳାଯାଇଥିବା ସିରିଜର ପ୍ରଥମ ଟେଷ୍ଟ ଦୁଇଟି ଇନିଂସରେ ଯଥାକ୍ରମେ ୧୪୪ ଏବଂ ୧୪୨ ରନ କରିଥିଲେ। ଅଷ୍ଟ୍ରେଲିଆ ଏହି ମ୍ୟାଚରେ ୨୫୧ ରନରେ ବିଜୟ ଲାଭ କରିଥିଲା। ଗୁରୁବାର ବର୍ଷାରେ ବାଧାପ୍ରାପ୍ତ ପ୍ରଥମ ଦିବସ ଖେଳର ଅସମାପ୍ତ ସ୍କୋର ୧୭୦/୩ରୁ ଅଷ୍ଟ୍ରେଲିଆ ଖେଳ ଆରମ୍ଭ କରିଥିଲା। ସ୍ମିଥ୍ ଅପରାଜିତ ୬୦ ରନ ସ୍କୋରରୁ ବ୍ୟାଟିଂ କରିଥିଲେ।
ସଂକ୍ଷିପ୍ତ ସ୍କୋର
ଅଷ୍ଟ୍ରେଲିଆ ପ୍ରଥମ ଇନିଂସ: ୪୯୭/୮, ଘୋଷଣା (ଷ୍ଟିଭ ସ୍ମିଥ୍-୨୧୧, ମାର୍ନସ ଲବୁସ୍କେନ୍-୬୭, ଟିମ୍ ପେନ୍-୫୮, ମିଚେଲ ଷ୍ଟାର୍କ-୫୪*, ଷ୍ଟୁଆର୍ଟ ବ୍ରଡ୍-୩/୯୭, ଜ୍ୟାକ୍ ଲିଚ୍-୨/୮୩, କ୍ରେଗ୍ ଓଭରଟନ-୨/୮୫)।