ସ୍ବଚ୍ଛତା ପାଇଁ ପ୍ଲାଷ୍ଟିକ ପ୍ରତିବନ୍ଧକ

ଡ. ଆଶୁତୋଷ ଦେବତା
ସ୍ବଚ୍ଛତା ହିଁ ସୁସ୍ଥତାର ହେତୁ। ବିଶ୍ୱରେ ଆବର୍ଜନାର ପରିମାଣ ଗତ ୨୦ ବର୍ଷ ମଧ୍ୟରେ ୫ ଗୁଣରୁ ଅଧିକ ହୋଇଯାଇଛି। ମହାତ୍ମା ଗାନ୍ଧୀ ଯଥାର୍ଥରେ କହିଛନ୍ତି ଯେ, ଦେଶର ସ୍ବାଧୀନତାର ସୁରକ୍ଷା ଯେପରି ଆବଶ୍ୟକ ସେହିପରି ସ୍ବଚ୍ଛତା ପ୍ରତି ସଯତ୍ନ ପ୍ରଚେଷ୍ଟା ଆବଶ୍ୟକ। ତାଙ୍କ ମତରେ ଯେ ପର୍ଯ୍ୟନ୍ତ ଆମେ ଝାଡୁ ଓ ବାଲ୍‌ଟି ଧରି ନିଜ ନିଜର ଗୃହ, ଗ୍ରାମ ଓ ସହର ସଫା କରିବା ପାଇଁ ଆଗଭର ନ ହୋଇଛେ ଏକ ଶାନ୍ତ, ସ୍ବଚ୍ଛ, ସବୁଜ, ସୁନ୍ଦର ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଜ ଗଠନ ଅସମ୍ଭବ। ମୁଖ୍ୟତଃ ଆବର୍ଜନା ମଧ୍ୟରେ କଠିନ, ତରଳ, ଗ୍ୟାସୀୟ, ଇଲେକ୍ଟ୍ରୋନିକ୍‌, କୃଷିଜାତ ଓ ବିଶେଷତଃ ପ୍ଲାଷ୍ଟିକ ଅନ୍ତର୍ଭୁକ୍ତ। ସମ୍ପ୍ରତି ଜୀବନ ଜୀବିକାରେ ପ୍ଲାଷ୍ଟିକର ବ୍ୟବହାର ଅପରିହାର୍ଯ୍ୟ ହୋଇଯାଇଛି। ଖ୍ରୀଷ୍ଟପୂର୍ବ ୧୬୬୦ରେ ଉତ୍ତର ଆମେରିକାର କିଛି ଅଞ୍ଚଳର ଅଧିବାସୀ ରବରରୁ ଚୁଇଙ୍ଗମ ପରି ପ୍ରାକୃତିକ ପଲିମର ପ୍ରସ୍ତୁତ କରିଥିଲେ। ଓ୍ବାଲେସ୍‌ ଏଚ୍‌. କାରୋଥର୍ସ ନାମକ ଜଣେ ରସାୟନବିତ୍‌ ପ୍ଲାଷ୍ଟିକକୁ ଲୋକଲୋଚନକୁ ଆଣିଥିଲେ। ପ୍ଲାଷ୍ଟିକ ‘ପଲିମର’ ପରିବାରର ଅନ୍ତର୍ଭୁକ୍ତ। ଯେଉଁ ପଲିମରଗୁଡ଼ିକ ନମନୀୟତା ଗୁଣ ଧାରଣ କରନ୍ତି ସେଗୁଡ଼ିକୁ ଆମେ ପ୍ଲାଷ୍ଟିକ କହିଥାଉ। ଏଥିରେ ଦୈନନ୍ଦିନ ଜୀବନରେ ବ୍ୟବହୃତ ସୁନ୍ଦର, ସହଜ ଓ ସୁଲଭ ମୂଲ୍ୟର ପଦାର୍ଥ ଉପଲବ୍ଧି ହୁଏ। ପଲିଥିନ ନାମକ ପଲିମର ୧୯୩୩ ମସିହାରେ ଇଂଲଣ୍ଡର ନର୍ଥ ଉଇଚର ନାମକ ରସାୟନିକ କାରଖାନାରେ ଆବିଷ୍କୃତ ହୋଇଥିଲା। ବ୍ରିଟିଶ ସୈନିକମାନେ ଏହି ପଲିମରକୁ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ବ୍ୟବହାର କରିଥିଲେ। ପ୍ରଥମେ ସିନ୍ଥେଟିକ ପ୍ଲାଷ୍ଟିକକୁ ବେକେଲାଇଟ କୁହାଯାଉଥିଲା ଏବଂ ଏହାକୁ ଜୀବାଶ୍ମ ଇନ୍ଧନରୁ ବାହାର କରାଯାଇଥିଲା। ବିଭିନ୍ନ ପ୍ରକାର ପ୍ଲାଷ୍ଟିକ ବଜାରରେ ଉପଲବ୍ଧ ହେଉଛି।
ପ୍ଲାଷ୍ଟିକ ସାମଗ୍ରୀ ଦୈନନ୍ଦିନ ଜୀବନରେ ଜାଲ ବିସ୍ତାର କରିସାରିଛି। ପ୍ଲାଷ୍ଟିକର ବ୍ୟବହାର ବୃଦ୍ଧିପାଇବା ଜୀବଜଗତ ପ୍ରତି ବିପଜ୍ଜନକ। ୧୯୬୦ରେ ବିଶ୍ୱରେ ୫୦ ଲକ୍ଷ ଟନ୍‌ ପ୍ଲାଷ୍ଟିକ ପ୍ରସ୍ତୁତ କରାଯାଇଥିଲା। ଏବେ ଏହା ୪୦୦ ମିଲିଅନ୍‌ ଟନ୍‌ରେ ପହଞ୍ଚିଛି। ଅର୍ଥାତ୍‌ ସମସ୍ତ ଲୋକଙ୍କ ପାଇଁ ପ୍ରତ୍ୟେକ ବର୍ଷ ବିଶ୍ୱରେ ୨୮କି.ଗ୍ରା. ଓ ଭାରତରେ ବାର୍ଷିକ ୧୧ କି.ଗ୍ରା. ପ୍ଲାଷ୍ଟିକ୍‌ ପ୍ରସ୍ତୁତ କରାଯାଉଛି। ଇକୋନୋମିକ୍‌ ଫୋରମର ଏକ ରିପୋର୍ଟ ଅନୁଯାୟୀ ଭାରତରେ ପ୍ରତିଦିନ ୧୬ ହଜାର ଟନ୍‌ ପ୍ଲାଷ୍ଟିକ୍‌ ଆବର୍ଜନା ସୃଷ୍ଟି ହେଉଛି। ପୃଥିବୀରେ ଏକ ମିନିଟ୍‌କୁ ପ୍ରାୟ ଏକ ମିଲିୟନ ପ୍ଲାଷ୍ଟିକ୍‌ ପାଣିବୋତଲ ଓ ପ୍ରତିବର୍ଷ ୫ ଟ୍ରିଲିଅନ୍‌ ପ୍ଲାଷ୍ଟିକ ବ୍ୟାଗ ଥରେ ବ୍ୟବହାର କରି ଫୋପାଡି ଦିଆଯାଉଛି। ପଲିଥିନ୍‌ ଆବର୍ଜନାକୁ ଗାଈଗୋରୁ ଖାଇ ମରୁଛନ୍ତି। ଏଣେତେଣେ ପ୍ଲାଷ୍ଟିକ୍‌ ଓ ପଲିଥିନ ଗଦାହୋଇ ରହିବାରୁ ମଶାମଂଶ ବୃଦ୍ଧି ପାଇ ଡେଙ୍ଗୁ, ଚିକୁନଗୁନିଆ, ମ୍ୟାଲେରିଆ ପ୍ରଭୃତି ମାରାତ୍ମକ ରୋଗ ସୃଷ୍ଟି ହେଉଛି। ଆମ ଶରୀରରେ ପ୍ଲାଷ୍ଟିକ ବର୍ଜ୍ୟର ପରିମାଣ ବଢ଼ିବାରେ ଲାଗିଛି। ଫଳରେ ଆମେ ଏକ ନୀରବ ମୃତ୍ୟୁ ଆଡକୁ ଅଗ୍ରସର ହେଉଛେ। ନିକଟରେ ପ୍ରକାଶିତ ବିଶ୍ୱ ବନ୍ୟଜନ୍ତୁ ପାଣ୍ଠି (ଡବ୍ଲ୍ୟୁଡବ୍ଲ୍ୟୁଏଫ୍‌)ର ଏକ ରିପୋର୍ଟ ଅନୁଯାୟୀ ଜଣେ ବ୍ୟକ୍ତି ଶରୀରରେ ସପ୍ତାହକୁ ୨ ହଜାର ଅତି କ୍ଷୁଦ୍ର ପ୍ଲାଷ୍ଟିକ୍‌ ଖଣ୍ଡ ପ୍ରବେଶ କରୁଛି। ବଡ଼ ବଡ଼ ପ୍ଲାଷ୍ଟିକ ଖଣ୍ଡ ଉତ୍ତାପ ଓ ବାୟୁ ଦ୍ୱାରା ଛୋଟ ଛୋଟ ମାଇକ୍ରୋପ୍ଲାଷ୍ଟିକରେ ପରିଣତ ହୋଇ ନାଳ ନର୍ଦ୍ଦମା ଓ ସମୁଦ୍ରରେ ମିଶୁଛି। ସମୁଦ୍ର ଜଳରେ ଛୋଟ ଛୋଟ ଭାସୁଥିବା ପ୍ଲାଷ୍ଟିକ ଖଣ୍ଡ ଦେଖିବାକୁ ‘ଜୁ ପ୍ଲାଙ୍କଟନ୍‌’ ଭଳି। ଏହାକୁ ଖାଦ୍ୟ ବୋଲି ଭାବି ଜେଲି ଫିସ୍‌ମାନେ ଗିଳିଦିଅନ୍ତି। ସର୍ବେକ୍ଷଣରୁ ଜଣାପଡ଼ିଛି ୨୦୫୦ ମସିହା ସୁଦ୍ଧା ସମୁଦ୍ରରେ ମାଛ ଅପେକ୍ଷା ପ୍ଲାଷ୍ଟିକ୍‌ ଖଣ୍ଡର ସଂଖ୍ୟା ଅଧିକ ହେବ। ସମୁଦ୍ରର ପ୍ରତି ବର୍ଗ ମାଇଲ ପରିସୀମାରେ ପ୍ରାୟ ୪୬ ଲକ୍ଷ ହଜାର ପ୍ଲାଷ୍ଟିକ୍‌ ଭାସୁଛି। ଆମେ ନିୟମିତ ଖାଉଥିବା ଲୁଣ, ଚାଉଳ ଓ ଅଣ୍ଡାରେ ବି ପ୍ଲାଷ୍ଟିକର ଅଂଶ ଥିବା ଚର୍ଚ୍ଚାରେ ଆସୁଛି। ଏସିଆ ମହାଦେଶ ହିଁ ପ୍ଲାଷ୍ଟିକ୍‌ ପ୍ରଦୂଷଣର ଅନ୍ତୁଡ଼ିଶାଳ କହିଲେ ଅତ୍ୟୁକ୍ତି ହେବନାହିଁ। ଏସିଆ ମହାଦେଶର ବୃହତ୍ତମ ନଦୀ ଚାଇନାର ଚ୍ୟାଙ୍ଗ୍‌ଜିଆଙ୍ଗରେ ସର୍ବାଧିକ ଚଉଦ ଲକ୍ଷ ଟନ୍‌ରୁ ଅଧିକ ପ୍ଲାଷ୍ଟିକ୍‌ ରହିଛି। ବୈଜ୍ଞାନିକମାନେ ମାରିନା ଟ୍ରେଞ୍ଜରେ ସମୁଦ୍ର ପତ୍ତନର ୩୬ ହଜାର ଫୁଟ ତଳେ ପ୍ଲାଷ୍ଟିକ୍‌ ଆବର୍ଜନା ଠାବ କରିଛନ୍ତି। ସମୁଦ୍ର ବେଳାଭୂମିରେ ପ୍ଲାଷ୍ଟିକ୍‌ମୟ ଆବର୍ଜନା ଠୁଳ ଯୋଗୁ ପର୍ଯ୍ୟଟକମାନଙ୍କ ସଂଖ୍ୟା କମିଯାଉଛି। ପ୍ଲାଷ୍ଟିକ୍‌ ଆବର୍ଜନାରୁ ପାଖାପାଖି ୮୫୦ ମିଲିଅନ୍‌ ଟନ୍‌ ଅଙ୍ଗାରକାମ୍ଳ ବାୟୁମଣ୍ଡଳକୁ ପ୍ରବେଶ କରି ସବୁଜ ଗୃହକୁ ବହୁମାତ୍ରାରେ ପ୍ରଭାବିତ କରୁଛି। କ୍ଲୋରିନେଟେଡ୍‌ ପ୍ଲାଷ୍ଟିକ୍‌ ପାରିପାର୍ଶ୍ୱିକ ମୃତ୍ତିକାରେ କ୍ଷତିକାରକ ରାସାୟନିକ ପଦାର୍ଥ ନିର୍ଗତ କରିଥାଏ, ଯାହା ଭୂତଳ ଜଳକୁ ପ୍ରଦୂଷଣ କରୁଛି। ଏହାକୁ ପାନ କରି ପ୍ରାଣୀମାନଙ୍କର ସ୍ବାସ୍ଥ୍ୟହାନି ହେଉଛି। ଯେହେତୁ ପଲିମର ଜୈବ ବିଘଟନଯୋଗ୍ୟ ନୁହେଁ, ଶତକଡା ପ୍ରାୟ ୮୦ ଭାଗ ପ୍ଲାଷ୍ଟିକ୍‌ ବା ପଲିଥିନ ଆବର୍ଜନା ସହର ଓ ଗ୍ରାମ ଉପକଣ୍ଠରେ ଇତସ୍ତତଃ ଗଦାହୋଇ ରହେ। ସେଥିରୁ ଶତକଡା ୧୨ ଭାଗ ଆମେ ପୋଡ଼ି ନଷ୍ଟ କରି ଦେଉଛେ, ଯାହାଫଳରେ ଡାଇଓକ୍ସିନ ଓ ବେଞ୍ଜିନ୍‌ ଭଳି ବିଷାକ୍ତ ବାଷ୍ପ ବାୟୁମଣ୍ଡଳରେ ମିଶି ପ୍ରତିକୂଳ ପ୍ରଭାବ ପକାଏ। ମାତ୍ର ଶତକଡା ୧୦ ଭାଗ ପ୍ଲାଷ୍ଟିକର ବିଘଟନ ହୋଇପାରୁଛି। ଏତଦ୍‌ବ୍ୟତୀତ ପ୍ରକାରାନ୍ତରେ ପ୍ଲାଷ୍ଟିକ୍‌ ପ୍ରଦୂଷଣ ଯୋଗୁ ବିଶ୍ୱତାପନ, ଜଳବାୟୁ ପରିବର୍ତ୍ତନ, ବାୟୁମଣ୍ଡଳ, ଜଳମଣ୍ଡଳ ଓ ମୃତ୍ତିକା ପ୍ରଦୂଷଣ, ଭୂତଳ ଜଳ ପ୍ରଦୂଷଣ, ଶ୍ୱାସରୋଗଠାରୁ ଥାଇରଏଡ୍‌ ହରମୋନ୍‌ ବୃଦ୍ଧି, କର୍କଟ ଭଳି ମାରାତ୍ମକ ରୋଗ ହେଉଥିବା ପ୍ରମାଣିତ। ୨୦୧୬ ଗାନ୍ଧୀ ଜୟନ୍ତୀରେ କେନ୍ଦ୍ର ସରକାର ‘ପ୍ୟାରିସ ପରିବେଶ ଚୁକ୍ତି’କୁ ସମର୍ଥନ କରି ଗ୍ରାମ ଓ ସହରରୁ ପ୍ଲାଷ୍ଟିକ୍‌ ବର୍ଜନ ଅଧିନିୟମ କରିଛନ୍ତି। ଓଡ଼ିଶା ସରକାର ୨୦୧୮ ଅକ୍ଟୋବର ୨ରୁ ରାଜ୍ୟରେ ୫ ମହାନଗର ନିଗମ ଓ ପୁରୀ ପୌରପରିଷଦ ଅଞ୍ଚଳରେ ପଲିଥିନ ବ୍ୟବହାରକୁ ସମ୍ପୂର୍ଣ୍ଣ ବର୍ଜନ କରିଛନ୍ତି। ଚଳିତବର୍ଷ ରାଜ୍ୟର ସବୁ ମ୍ୟୁନିସିପାଲିଟି, ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ଗ୍ରାମାଞ୍ଚଳରେ ଏହାକୁ କଡ଼ାକଡ଼ି ଲାଗୁ କରାଯିବା ପାଇଁ ସିଦ୍ଧାନ୍ତ ନେଇଛନ୍ତି। ୫୦ ମାଇକ୍ରନରୁ କମ୍‌ ମୋଟେଇବିଶିଷ୍ଟ ପ୍ଲାଷ୍ଟିକ୍‌ ବା ପଲିଥିନ୍‌, ୨୦୦ମିଲିମିଟରରୁ କମ୍‌ ପାଣି ବୋତଲ, ଥର୍ମୋକୁଲ, ପ୍ଲାଷ୍ଟିକ୍‌ ଚାମଚ, କପ୍‌, ପ୍ଲେଟ୍‌, ଗ୍ଲାସ୍‌, ଥାଳିଆ, ପାଣି ପାଉଚ୍‌ ଆଦି ସାମଗ୍ରୀ ବ୍ୟବହାର ଉପରେ କଟକଣା ଜାରିହେବା ସହ ଉଲ୍ଲଂଘନକାରୀଙ୍କ ପାଇଁ ଦଣ୍ଡବିଧାନର ମଧ୍ୟ ବ୍ୟବସ୍ଥା ରହିଛି। ଗ୍ରାମ ଓ ସହରାଞ୍ଚଳରେ ଏ ଦିଗରେ ଜନସାଧାରଣଙ୍କ ମାନସିକତାରେ ପରିବର୍ତ୍ତନ ପାଇଁ ଜଙ୍ଗଲ ଓ ପରିବେଶ ବିଭାଗର ସେଣ୍ଟର ଫର୍‌ ଏନ୍‌ଭାଇରନମେଣ୍ଟାଲ ଷ୍ଟଡିଜ୍‌ ତରଫରୁ ଇକୋ-କ୍ଲବ୍‌ ଦ୍ୱାରା ୨୦୧୭ ମସିହାରୁ ବିବିଧ ସଚେତନତା କାର୍ଯ୍ୟକ୍ରମ ଗ୍ରହଣ କରାଯାଉଛି। ପ୍ରତି ଇକୋ-କ୍ଲବ୍‌କୁ ପ୍ଲାଷ୍ଟିକ୍‌ମୁକ୍ତ ଅନୁଷ୍ଠାନରେ ପରିଣତ କରିବାକୁ ପରାମର୍ଶ ଦିଆଯାଉଛି। ବୈଜ୍ଞାନିକମାନେ ସମ୍ପ୍ରତି ଏକପ୍ରକାର ଅଣୁଜୀବ ଉଦ୍ଭାବନ କରିଛନ୍ତି, ଯାହାଦ୍ୱାରା ପ୍ଲାଷ୍ଟିକ୍‌ ବିଘଟିତ ହେବ। ଜାପାନର ବୈଜ୍ଞାନିକମାନେ ପ୍ଲାଷ୍ଟିକ କ୍ଷୟ ପାଇଁ DPETASE ଅଣୁଘଟକ ଉଦ୍ଭାବନ କରିଛନ୍ତି। ଅପରନ୍ତୁ ପଲିମରର ବିକଳ୍ପ ରୂପେ ଝୋଟ, କାଚ, ବାଉଁଶ, ଆଲୁମିନିୟମ୍‌ ଇତ୍ୟାଦି ପଦାର୍ଥରେ ପ୍ରସ୍ତୁତ ଜିନିଷ ବ୍ୟବହାର ପାଇଁ ପ୍ରୋତ୍ସାହନ ଦିଆଯାଉଛି। ପ୍ଲାଷ୍ଟିକ ଆବର୍ଜନାରୁ ଇନ୍ଧନ, ରାସ୍ତା ପ୍ରସ୍ତୁତି କଙ୍କ୍ରିଟ୍‌, ଗୃହନିର୍ମାଣ ଇଟା ପ୍ରସ୍ତୁତି ପାଇଁ ଶିଳ୍ପୋଦ୍ୟୋଗୀମାନଙ୍କୁ ପ୍ରୋତ୍ସାହନ ଦିଆଯାଉଛି।
ନିର୍ଦ୍ଦେଶକ, ସେଣ୍ଟର ଫର୍‌ ଏନ୍‌ଭାଇରନମେଣ୍ଟାଲ ଷ୍ଟଡିଜ୍‌, ଜଙ୍ଗଲ ଓ ପରିବେଶ ବିଭାଗ,
ମୋ-୯୯୩୮୯୩୨୬୭୧