ସ୍ତ୍ରୀଙ୍କୁ ଭରଣପୋଷଣ ଆଦେଶ ଦେଲେ ଅଦାଲତ: ୫ ବସ୍ତା କଏନ୍‌ ନେଇ କୋର୍ଟରେ ପହଞ୍ଚିଲେ ସ୍ବାମୀ

ସ୍ତ୍ରୀଙ୍କୁ ଭରଣପୋଷଣ ଦେବା ପାଇଁ ଏକ ପରିବାର ଅଦାଲତଙ୍କ ରାୟ ପରେ ସ୍ବାମୀ କୋର୍ଟରେ ୫ ବସ୍ତା କଏନ୍‌ ନେଇ ପହଞ୍ଚିଛନ୍ତି। ଏଭଳି ଏକ ରୋଚକ ଘଟଣା ଛତିଶଗଡ଼ରେ ଘଟିଛି। ସ୍ଥାନୀୟ ପାମ୍‌ଗଢ଼ ଥାନା ଅଞ୍ଚଳରେ ବାସକରୁଥିବା ପୁନିରାମ ସାହୁ ଏବଂ ତାଙ୍କ ସ୍ତ୍ରୀ ଯଶୋଧାରାଙ୍କ ମଧ୍ୟରେ ଛାଡ଼ପତ୍ର ମାମଲାର ବିଚାର ଦୀର୍ଘ ୨୦ ବର୍ଷ ଧରି ଚାଲିଛି। ପୁନିରାମ ଜଣେ ପରିବା ବେପାରି। ପରିବାର କୋର୍ଟ ପକ୍ଷରୁ ଯଶୋଧାରାଙ୍କୁ ୩୩ ହଜାର ୮ଶହ ଟଙ୍କା ଭରଣପୋଷଣ ଦେବାକୁ ପୁନିରାମଙ୍କୁ ଆଦେଶ ଦିଆଯାଇଥିଲା। ପୁନିରାମ ନିଜ ପାଖରେ ଥିବା ଟଙ୍କିକିଆ, ୨ ଟଙ୍କିଆ, ୫ ଟଙ୍କିଆ ତଥା ୧୦ ଟଙ୍କିଆ କଏନ୍‌ ଥିବା ୫ଟି ବସ୍ତା ନେଇ ପହଞ୍ଚିଥିଲେ। ତେବେ ବିଚାରପତି କିରଣ ଚତୁର୍ବେଦୀ ଏହାକୁ ଗଣିବାକୁ ପୁନିରାମଙ୍କୁ କହିଥିଲେ। ସେ କୋର୍ଟ ଚଟାଣରେ ବସି ୩୩ ହଜାର ଟଙ୍କାର କଏନ୍‌ ଗଣିଗଣି ଯଶୋଧାରାଙ୍କୁ ଦେଇଥିଲେ। ଅବଶିଷ୍ଟ ୮ଶହ ଟଙ୍କା ୨୨ ଜୁଲାଇରେ ଦେବାକୁ କୋର୍ଟ ପୁନିରାମଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି କଏନ୍‌ ବସ୍ତା ଯଶୋଧାରା ନେବାକୁ ମନା କରିବାରୁ ପୁନିରାମ ଏହାକୁ ବୋହି ବୋହି ନେଇ ତାଙ୍କ ଘରେ ଦେଇଥିବା କୁହାଯାଉଛି। ଏହି ଘଟଣା ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।