Dublin , Ireland - 16 September 2019; Kyle Coetzer, left, and George Munsey of Scotland celebrate a partnership of 100 runs during the T20 International Tri Series match between Scotland and Netherlands at Malahide Cricket Club in Dublin. (Photo By Sam Barnes/Sportsfile via Getty Images)
ଲଣ୍ଡନ, ୧୭।୯ (ଏଏଫ୍ପି)- ଏଠାରେ ଚାଲିଥିବା ତ୍ରି-ରାଷ୍ଟ୍ରୀୟ ଟି୨୦ ସିରିଜର ଏକ ମ୍ୟାଚ୍ରେ ସ୍କଟ୍ଲାଣ୍ଡ୍ ୫୮ ରନରେ ନେଦରଲାଣ୍ଡ୍ସକୁ ପରାସ୍ତ କରିଛି। ଏହି ମ୍ୟାଚ୍ରେ ସ୍କଟ୍ଲାଣ୍ଡ ଓପନର୍ ଜର୍ଜ ମୁନ୍ସୀ ଓ କେଏଲ୍ କୋଏଟଜର୍ଙ୍କ ମଧ୍ୟରେ ଓପନିଂ ଯୋଡ଼ିରେ ୨୦୦ ରନର ପାର୍ଟନରଶିପ୍ ହୋଇଥିଲା। ଟି୨୦ କ୍ରିକେଟ୍ ଇତିହାସରେ ଏହା ରେକର୍ଡ ୩ୟ ବୃହତ୍ ପାଟନରଶିପ୍ର ମାନ୍ୟତା ପାଇଛି।
ଦି ଭିଲେଜ୍ ଗ୍ରାଉଣ୍ଡରେ ଅନୁଷ୍ଠିତ ଏହି ମ୍ୟାଚ୍ରେ ଟସ୍ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ସ୍କଟ୍ଲାଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୩ ଉଇକେଟ୍ ହରାଇ ୨୫୨ ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଓପନର୍ ମୁନ୍ସୀ ୫୬ ବଲରୁ ୧୨୭ ରନର ଅପରାଜିତ ବିସ୍ଫୋରକ ଶତକୀୟ ଇନିଂସରେ ଖେଳିଥିଲେ। ଏହା ମଧ୍ୟରେ ୫ ଚୌକା ଓ ୧୪ ଛକା ସାମିଲ ରହିଥିଲା। ଟି୨୦ କ୍ରିକେଟ୍ରେ ଏହା ତାଙ୍କର ପ୍ରଥମ ଶତକ ଥିଲା। ସେହିଭଳି ଗୋଟିଏ ଓଭରରେ ସେ ୩୨ ରନ୍ ସଂଗ୍ରହ କରିଥିଲେ। ଏହିକ୍ରମରେ ଟି୨୦ରେ ଗୋଟିଏ ଓଭରରେ ସେ ୨ୟ ସର୍ବାଧିକ ରନ୍ ସଂଗ୍ରହକାରୀ ବ୍ୟାଟ୍ସମ୍ୟାନ ହୋଇଛନ୍ତି। ୨୦୦୭ରେ ଯୁବରାଜ ସିଂ ଇଂଲଣ୍ଡର ଷ୍ଟୁଆର୍ଟ ବ୍ରଡ୍ଙ୍କୁ ଗୋଟିଏ ଓଭରରେ ୬ ଛକା ମାରି ୩୬ ରନ କରି ତାଲିକାର ଶୀର୍ଷରେ ରହିଛନ୍ତି। ମୁନ୍ସୀଙ୍କ ସାଥୀ ଓପନର୍ ତଥା ଅଧିନାୟକ କୋଏଟଜର ୫୦ ବଲରୁ ୮୯ ରନ କରି ପ୍ରଥମେ ଆଉଟ୍ ହୋଇଥିଲେ। ତେବେ ଆଉଟ୍ ହେବା ପୂର୍ବରୁ ମୁନ୍ସୀ ଓ କୋଏଟଜରଙ୍କ ମଧ୍ୟରେ ଓପନିଂ ଯୋଡ଼ିରେ ୯୧ ବଲରୁ ୨୦୦ ରନର ପାର୍ଟନରଶିପ୍ ହୋଇଥିଲା। ନେଦରଲାଣ୍ଡ୍ସ ପକ୍ଷରୁ ଶେନ୍ ସାନ୍ତରଙ୍କୁ ୩ଟି ଯାକ ଉଇକେଟ୍ ମିଳିଥିଲା। ଜବାବରେ ନେଦରଲାଣ୍ଡ୍ସ ଅଧିନାୟକ ପିଟର୍ ସିଲର୍ଙ୍କ ଅପରାଜିତ ୯୬ ରନ (୪୯ ବଲ୍) ସତ୍ତ୍ୱେ ୨୦ ଓଭରରେ ୭ ଉଇକେଟ୍ ହରାଇ ୧୯୪ ରନ କରିବାକୁ ସମର୍ଥ ହୋଇଥିଲା। ପ୍ରଥମ ବିଜୟ ସହ ୪ ପଏଣ୍ଟ ପାଇ ସ୍କଟଲାଣ୍ଡ ତାଲିକାର ଶୀର୍ଷରେ ରହିଥିବାବେଳେ ଆୟର୍ଲାଣ୍ଡ (୨) ଓ ନେଦରଲାଣ୍ଡ୍ସ (୨) ଯଥାକ୍ରମେ ୨ୟ ଓ ୩ୟ ସ୍ଥାନରେ ରହିଛନ୍ତି।
ଜାଜାଇ-ଘାନିଙ୍କ ନାମରେ ରେକର୍ଡ:- ଟି୨୦ କ୍ରିକେଟ୍ରେ ରେକର୍ଡ ପାର୍ଟନରଶିପ୍ ଆଫଗାନିସ୍ତାନର ହଜରତୁଲ୍ଲା ଜାଜାଇ ଓ ଉସମାନ ଘାନୀଙ୍କ ନାମରେ ରହିଛି। ୨୦୧୯ରେ ଆୟର୍ଲାଣ୍ଡ ବିପକ୍ଷ ମ୍ୟାଚ୍ରେ ଜାଜାଇ ଓ ଘାନୀ ଯୋଡ଼ି ପ୍ରଥମ ଉଇକେଟ୍ରେ ୨୩୬ ରନ୍ ସଂଗ୍ରହ କରିଥିଲେ। ସେହିଭଳି ୨୦୧୮ରେ ଅଷ୍ଟ୍ରେଲିଆର ଆରୋନ୍ ଫିଞ୍ଚ୍ ଓ ଡି ଆର୍ସି ସର୍ଟ ଯୋଡ଼ି ଜିମ୍ବାଓ୍ବେ ବିପକ୍ଷରେ ପ୍ରଥମ ଉଇକେଟ୍ରେ ୨୨୩ ରନ ସଂଗ୍ରହ କରି ଏହି ତାଲିକାର ୨ୟ ସ୍ଥାନରେ ରହିଛନ୍ତି।