Categories: Home Leftଖେଳ

ସେପ୍ଟେମ୍ବରରେ ସମୀକ୍ଷା ହେବ ଓଭର ଥ୍ରୋ ନିୟମ

ଲଣ୍ଡନ,୧୩।୮- ବିଶ୍ୱକପ୍‌ ଫାଇନାଲରେ ଡିପ୍‌ ଅଞ୍ଚଳରୁ ଯେଉଁ ଥ୍ରୋ ବେନ ଷ୍ଟୋକ୍ସଙ୍କ ବ୍ୟାଟରେ ବାଜି ବାଉଣ୍ଡ୍ରି ଲାଇନ ଅତିକ୍ରମ କରିଥିଲା, ତାହା ଆସନ୍ତା ସେପ୍ଟେମ୍ବରରେ ସମୀକ୍ଷା ହେବ। ଏ ନେଇ ମାରିଲେବୋନ କ୍ରିକେଟ କ୍ଲବ ପକ୍ଷରୁ କୁହାଯାଇଛି। ଉକ୍ତ ଓଭର ଥ୍ରୋ ଯୋଗୁ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍‌କୁ ଇଂଲଣ୍ଡ ସୁପର ଓଭରକୁ ନେବା ପରେ ବିଶ୍ୱକପ୍‌ ହାତେଇଥିଲା। ଡବ୍ଲ୍ୟୁସିସି (ବିଶ୍ୱ କ୍ରିକେଟ କମିଟି) ଓଭର ଥ୍ରୋ ସମ୍ବନ୍ଧୀୟ ନିୟମ ୧୯.୮ ବିଷୟରେ ଆଲୋଚନା କରିଛି। କମିଟି ଅନୁଭବ କରିଛି ଯେ, ନିୟମରେ ସ୍ପଷ୍ଟତା ରହିଛି। ହେଲେ ଘଟଣାକୁ ସବ୍‌ କମିଟି ଆସନ୍ତା ସେପ୍ଟେମ୍ବରରେ ସମୀକ୍ଷା କରିବ ବୋଲି କୁହାଯାଇଛି। ନ୍ୟୁଜିଲାଣ୍ଡ ପକ୍ଷରୁ ଧାର୍ଯ୍ୟ ୨୪୧ ରନ୍‌ର ବିଜୟଲକ୍ଷ୍ୟକୁ ପିଛା କରୁଥିବାବେଳେ ଇଂଲଣ୍ଡ ଅନ୍ତିମ ୩ ବଲରେ ୯ ରନ୍‌ ଦରକାର କରୁଥିଲା। ଡିପ୍‌ ଅଞ୍ଚଳରେ ଗୁପଟିଲଙ୍କ ଥ୍ରୋ ଷ୍ଟୋକ୍ସ ଡାଇଭ ମାରିଥିବାବେଳେ ତାଙ୍କ ବ୍ୟାଟରେ ବାଜି ବଲ ବଉଣ୍ଡ୍ରି ଚାଲିଯାଇଥିଲା। ଏହାକୁ ଅନ୍‌ ଫିଲ୍ଡ ଅମ୍ପାୟର ଅଲିମ ଦାର ଓ ମାରିଅସ ଇରାମୁସ ୬ ରନ୍‌ ଦେଇଥିଲେ। ବ୍ୟାଟ୍ସମ୍ୟାନ ଦୁଇ ରନ୍‌ ନେଇଥିବାବେଳେ ଓଭର ଥ୍ରୋ ବାବଦକୁ ୪ ମିଳିଥିଲା। କିନ୍ତୁ ନିୟମ ଅନୁଯାୟୀ, ଅମ୍ପାୟର ଉକ୍ତ ଥ୍ରୋ ଲାଗି ମୋଟ ୫ ରନ୍‌ ଦେବା କଥା ବୋଲି ପୂର୍ବତନ ଆଇସିସି ଏଲାଇଟ୍‌ ପ୍ୟାନେଲ ଅମ୍ପାୟର ସାଇନ ଟଫେଲ କହିଥିଲେ।