ସୁଷମା ସ୍ବରାଜଙ୍କ ପରଲୋକ

ନୂଆଦିଲ୍ଲୀ,୭ା୮(ପି.ଟି.)- ପୂର୍ବତନ ବହିର୍ବ୍ୟାପାର ମନ୍ତ୍ରୀ ତଥା ବରିଷ୍ଠ ଭାଜପା ନେତା ସୁଷମା ସ୍ବରାଜ ଆଉ ନାହାନ୍ତି। ନୂଆଦିଲ୍ଲୀସ୍ଥିତ ଏମ୍ସରେ ମଙ୍ଗଳବାର ରାତିରେ ହୃଦ୍‌ଘାତରେ ତାଙ୍କର ପରଲୋକ ଘଟିଛି। ୬୭ ବର୍ଷୀୟା ସ୍ବରାଜଙ୍କୁ ଗୁରୁତର ଅବସ୍ଥାରେ ରାତି ୧୦ଟା ୧୫ ମିନିଟରେ ଏମ୍ସର ଏମର୍ଜେନ୍ସସି ଓ୍ବାର୍ଡରେ ଭର୍ତ୍ତି କରାଯାଇଥିଲା। ସେଠାରେ ବରିଷ୍ଠ ଡାକ୍ତରମାନେ ତାଙ୍କୁ ଚିକିତ୍ସା କରୁଥିବାବେଳେ ସୁଷମା ଆଖି ବୁଜିଦେଇଥିଲେ।
ଏହା ପୂର୍ବରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ଏବଂ ଜମ୍ମୁ-କଶ୍ମୀରକୁ ଦୁଇଭାଗ କରି ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରିବା ନେଇ ସୁଷମା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଭିନନ୍ଦନ ଓ ଧନ୍ୟବାଦ ଜଣାଇଥିଲେ। ଏହି ଦିନକୁ ଦେଖିବା ପାଇଁ ସେ ଅପେକ୍ଷା କରିଥିଲେ ବୋଲି ସୁଷମା ଟୁଇଟ୍‌ କରିଥିଲେ। ୨୦୧୬ରେ ସୁଷମାଙ୍କ କିଡ୍‌ନୀ ପ୍ରତିରୋପଣ କରାଯାଇଥିଲା।
ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପରେ ଦେଶର ଦ୍ୱିତୀୟ ମହିଳା ଭାବେ ସେ ବହିର୍ବ୍ୟାପାର ମନ୍ତ୍ରଣାଳୟ ସମ୍ଭାଳିବାର ସୌଭାଗ୍ୟ ଅର୍ଜନ କରିଥିଲେ। ପାର୍ଲାମେଣ୍ଟକୁ ସେ ୭ ଥର ଓ ବିଧାନସଭାକୁ ୩ ଥର ନିର୍ବାଚିତ ହୋଇଥିଲେ। ସୁପ୍ରିମକୋର୍ଟର ପୂର୍ବତନ ଓକିଲ ସୁଷମା ମାତ୍ର ୨୫ ବର୍ଷ ବୟସରେ ଦେଶର ସର୍ବକନିଷ୍ଠ କ୍ୟାବିନେଟ ମନ୍ତ୍ରୀ (ହରିୟାଣା) ହେବାର କୀର୍ତ୍ତି ଅର୍ଜନ କରିଥିଲେ। ଦିଲ୍ଲୀର ୫ମ ମୁଖ୍ୟମନ୍ତ୍ରୀଭାବେ ସେ ଦାୟିତ୍ୱ ଗ୍ରହଣ କରିଥିଲେ। ୨୦୧୪ ସାଧାରଣ ନିର୍ବାଚନରେ ସେ ମଧ୍ୟପ୍ରଦେଶର ବିଦିଶା ଆସନରୁ ୪ ଲକ୍ଷରୁ ଊର୍ଦ୍ଧ୍ୱ ଭୋଟରେ ବିଜୟୀ ହୋଇଥିଲେ ହେଁ ସ୍ବାସ୍ଥ୍ୟଗତ ସମସ୍ୟା ଯୋଗୁ ସେ ୨୦୧୯ ଲୋକ ସଭା ନିର୍ବାଚନ ନ ଲଢ଼ିବା ପାଇଁ ନିଜଆଡ଼ୁ ନିଷ୍ପତ୍ତି ନେଇଥିଲେ। ୧୯୫୩ ଫେବୃୟାରୀ ୧୪ରେ ହରିୟାଣାର ଅମ୍ବାଲାରେ ଜନ୍ମଗ୍ରହଣ କରିଥିବା ସୁଷମାଙ୍କ ବାପା ହରଦେବ ଶର୍ମା ଆର୍‌ଏସ୍‌ଏସ୍‌ର ଜଣେ ପ୍ରମୁଖ ସଦସ୍ୟ ଥିଲେ।

Share