Categories: ଅନୁଗୋଳ

ସୁରକ୍ଷାକର୍ମୀ ନିୟୋଜିତ କରୁନି ଠିକାସଂସ୍ଥା

ଅନୁଗୋଳ ଅଫିସ, ୧୧।୬- ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ସୁରକ୍ଷା କର୍ମୀ ନିୟୋଜିତ କରିବାକୁ ଏକ ଠିକାସଂସ୍ଥା ଦୁଇବର୍ଷ ତଳୁ ଟେଣ୍ଡର ନେଇଥିଲେ ବି ଏଯାଏ ଜଣକୁ ହେଲେ ନିଯୁକ୍ତି ଦେଇନାହିଁ। ଫଳରେ ନିଜ ତରଫରୁ ସୁରକ୍ଷା କର୍ମୀ ମୁତୟନ ସହ ଅନ୍ୟ ଫଣ୍ଡରୁ ଅର୍ଥ ଆଣି ମେଡିକାଲ କର୍ତ୍ତୃପକ୍ଷ ଏ ବାବଦରେ ଖର୍ଚ୍ଚ କରୁଛନ୍ତି। ବାରମ୍ବାର ନୋଟିସ୍‌ ସତ୍ତ୍ୱେ କୌଣସି ପଦକ୍ଷେପ ନେଉ ନ ଥିଲେ ବି ଉକ୍ତ ଠିକା ସଂସ୍ଥା ବିରୋଧରେ ମେଡିକାଲ କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ପ୍ରକାଶ ଯେ, ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିର୍ମଳ ଯୋଜନାରେ ସୁରକ୍ଷାକର୍ମୀ ଯୋଗାଇ ଦିଆଯିବ ବୋଲି ନିଷ୍ପତ୍ତି ହୋଇଥିଲା। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶ କ୍ରମେ ଟେଣ୍ଡର ମାଧ୍ୟମରେ ସୁରକ୍ଷାକର୍ମୀ ନିୟୋଜିତ କରିବାକୁ ମେଡିକାଲ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିଲେ। ଏକ ଠିକା ସଂସ୍ଥା ୨୦୧୮ରୁ ଏହି ଟେଣ୍ଡର ହାତେଇ ସାରିଛି। କିନ୍ତୁ ସୁରକ୍ଷାକର୍ମୀ ନିଯୁକ୍ତି ପାଇଁ ଲାଇସେନ୍ସ ପ୍ରଦାନ କରିପାରୁ ନାହିଁ। ଏପରି କି ଟେଣ୍ଡର ବେଳେ ବୈଧତା ନ ଥିବା ଲାଇସେନ୍ସ ଦେଇ ପରେ ବୈଧ ଲାଇସେନ୍ସ ପ୍ରଦାନ ନିମନ୍ତେ ଉକ୍ତ ସଂସ୍ଥା ଅଣ୍ଡରଟେକିଂ ଲେଖି ଦେଇଥିଲା। କିନ୍ତୁ ଅଦ୍ୟାବଧି ନିଯୁକ୍ତି କି ଲାଇସେନ୍ସ ପ୍ରଦାନ କରିବାରେ ସଂସ୍ଥା ବିଫଳ ହୋଇଥିବାରୁ ମେଡିକାଲ କର୍ତ୍ତୃପକ୍ଷ ଦୁଇ ଥର ଚିଠି କରିସାରିଲେଣି। କିନ୍ତୁ ଖୁବ୍‌ଶୀଘ୍ର ଲାଇସେନ୍ସ ପ୍ରଦାନ କରାଯିବ ବୋଲି କହି ଉକ୍ତ ସଂସ୍ଥା କର୍ତ୍ତୃପକ୍ଷଙ୍କୁ ଭୂଆଁ ବୁଲାଉଛି। ଏପରି ସ୍ଥଳେ ଉକ୍ତ ସଂସ୍ଥାର ଟେଣ୍ଡର ରଦ୍ଦ କରିବାକୁ ସାଧାରଣରେ ଦାବି ହେଉଛି। ଏ ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ (ସିଡିଏମ୍‌ଓ) ପ୍ରତାପ ବେହେରା କହିଛନ୍ତି, ଠିକା ସଂସ୍ଥା ଲାଇସେନ୍ସ ପ୍ରଦାନ କରିନାହିଁ। ତେବେ ଟେଣ୍ଡର ରଦ୍ଦ କରିବାକୁ କିଛି ନିୟମ ରହିଛି। ମୁଖ୍ୟତଃ ଜିଲା ସ୍ବାସ୍ଥ୍ୟ ସମିତି ସାଧାରଣ ପରିଷଦ ବୈଠକ ବସିପାରୁ ନ ଥିବାରୁ ଏହି ସମସ୍ୟା ଦେଖାଦେଇଛି। ଜୁନ୍‌ ୩୦ ପରେ ଏହି ବୈଠକ ବସିବା ସହ ଜିଲାପାଳ ଓ ସାଧାରଣ ପରିଷଦକୁ ଅବଗତ କରାଯାଇ ଟେଣ୍ଡର ରଦ୍ଦ ନିମନ୍ତେ ସୁପାରିଶ କରାଯିବ ବୋଲି ସିଡିଏମ୍‌ଓ ବେହେରା ସୂଚନା ଦେଇଛନ୍ତି।
ଫଟୋ- ଅନୁଗୋଳ ମେଡିକାଲ।