ସିଜେଆଇଙ୍କ ମନ୍ତବ୍ୟକୁ ନେଇ ଉପରାଷ୍ଟ୍ରପତିଙ୍କ ଜବାବ: ରାୟରେ ବିଳମ୍ବ ଗ୍ରହଣୀୟ ନୁହେଁ

ପୁଣେ,୯ା୧୨: ନ୍ୟାୟ ପ୍ରଦାନ ସମ୍ପର୍କିତ ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଏସ୍‌.ଏ. ବୋବ୍‌ଡେଙ୍କ ମନ୍ତବ୍ୟରେ ଉପରାଷ୍ଟ୍ରପତି ଏମ୍‌. ଭେଙ୍କାୟା ନାଇଡୁ ପୂର୍ଣ୍ଣ ସହମତ ହୋଇନାହାନ୍ତି। ତତ୍କାଳନ ନ୍ୟାୟ ପ୍ରଦାନ କରାଯାଇପାରିବ ନାହିଁ ବୋଲି ସିଜେଆଇ କହିଥିବାବେଳେ ନାଇଡୁ ସେଥିରେ ଏକମତ ହୋଇଛନ୍ତି। ତେବେ କ୍ରମାଗତ ବିଳମ୍ବକୁ ନେଇ ସେ ଚିନ୍ତାପ୍ରକଟ କରିଛନ୍ତି। ନ୍ୟାୟ ବ୍ୟବସ୍ଥା ସହ ସମ୍ପୃକ୍ତ ସମସ୍ତେ ଦକ୍ଷତାପୂର୍ବକ ସେମାନଙ୍କ କର୍ତ୍ତବ୍ୟ ନିର୍ବାହ କରିବାକୁ ସେ ଆହ୍ବାନ ଦେଇଛନ୍ତି। ବଳତ୍କାର ମାମଲାଗୁଡିକୁ କ୍ରମାଗତ ଭାବେ ବିଳମ୍ବ ନ କରି ସେଗୁଡିକର ତ୍ୱରିତ ବିଚାର କରିବାକୁ ନାଇଡୁ ପରାମର୍ଶ ଦେଇନ୍ତି।
ଯୌନ ଅପରାଧ ମାମଲାଗୁଡିକରେ ପୀଡ଼ିତାଙ୍କୁ ନ୍ୟାୟ ମିଳିବାରେ ବିଳମ୍ବକୁ ନେଇ ଦେଶବ୍ୟାପୀ ଉତ୍ତେଜନା ପ୍ରକାଶ ପାଇଛି। ଶନିବାର ଯୋଧପୁରରେ ରାଜସ୍ଥାନ ହାଇକୋର୍ଟର ନୂଆ ବିଲ୍ଡିଂ ଉଦ୍‌ଘାଟନ ଅବସରରେ ଉଦ୍‌ବୋଧନ ଦେଇ ସିଜେଆଇ କହିଥିଲେ, ନ୍ୟାୟ କେବେ ପ୍ରତିଶୋଧ ହୋଇପାରିବ ନାହିଁ। ଫୌଜଦାରୀ ମାମଲାଗୁଡିକ ବିଚାର ଲାଗି ସମୟ ଲାଗିବ। ନ୍ୟାୟ ତତ୍କାଳ ହେବା ଉଚିତ ନୁହେଁ। ଯଦି ନ୍ୟାୟ ପ୍ରତିଶୋଧ ହୋଇଯାଏ ତେବେ ତାହା ନିଜର ବିଶେଷତ୍ୱ ହରାଇବ ବୋଲି ସିଜେଆଇ ମତ ଦେଇଥିଲେ।
ଉପରାଷ୍ଟ୍ରପତି କହିଛନ୍ତି, କେବଳ ଆଇନ ଆଣିଲେ ମହିଳାଙ୍କ ବିରୋଧରେ ଅତ୍ୟାଚାର ବନ୍ଦ ହୋଇଯିବ ନାହିଁ। ଏଥିପାଇଁ ରାଜନୈତିକ ଇଚ୍ଛାଶକ୍ତି ଏବଂ ପ୍ରଶାସନିକ ଦକ୍ଷତାର ଆବଶ୍ୟକତା ରହିଛି। ନିକଟରେ ଘଟିଥିବା ଉନ୍ନାଓ ଏବଂ ହାଇଦ୍ରାବାଦ ଘଟଣାକୁ ନିନ୍ଦା କରିବା ସହ ଉପରାଷ୍ଟ୍ରପତି କହିଥିଲେ, ଭାରତୀୟ ସଂସ୍କୃତିରେ ନାରୀଙ୍କୁ ମାଆ ଓ ଭଉଣୀ ଭାବେ ଦେଖାଯାଇଥାଏ। ଆଜିକାଲି ଯାହା ଘଟୁଛି ତାହା ବାସ୍ତବରେ ଲଜ୍ଜାଜନକ ଓ ଆମ ସମସ୍ତଙ୍କ ପାଇଁ ଚ୍ୟାଲେଞ୍ଜ। ମହିଳାଙ୍କ ପ୍ରତି ପକ୍ଷପାତିତା ଓ ଅତ୍ୟାଚାରକୁ ତୁରନ୍ତ ବନ୍ଦ କରିବା ଲାଗି ଆମକୁ ପ୍ରତିଜ୍ଞା କରିବାକୁ ହେବ ବୋଲି ସିମ୍ବିଓସିସ୍‌ ଅନ୍ତର୍ଜାତୀୟ ବିଶ୍ୱବିଦ୍ୟାଳୟର ଦୀକ୍ଷାନ୍ତ ସମାରୋହରେ ଉଦ୍‌ବୋଧନ ଦେଇ ଉପରାଷ୍ଟ୍ରପତି କହିଛନ୍ତି। ଆଇନ ଆଣିବା ସମସ୍ୟାର ସମାଧାନ ନୁହେଁ। ନିର୍ଭୟା ଘଟଣା ପରେ ବିଲ୍‌ ଆସିଥିଲା। ସମସ୍ୟାର ସମାଧାନ ହୋଇପାରିଲା କି ବୋଲି ଭେଙ୍କାୟା ପ୍ରଶ୍ନ କରିଥିଲେ। ତେବେ ସେ ନୂଆ ଆଇନର ବିରୋଧୀ ନୁହନ୍ତି ବୋଲି କହିଛନ୍ତି।