Categories: ଅନୁଗୋଳ

ସହାୟତା ମିଳିବ କହି ନେଇଗଲେ ୨ ହଜାର

ଅନୁଗୋଳ ଅଫିସ, ୧।୯ – ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ରୋଗୀଙ୍କ ସମ୍ପର୍କୀୟଙ୍କଠାରୁ ଶନିବାର ଜଣେ ଦଲାଲ ୨ ହଜାର ଟଙ୍କା ଲୁଟି ନେଇଛନ୍ତି। ଏ ନେଇ ଅନୁଗୋଳ ଥାନାରେ ଅଭିଯୋଗ ହୋଇଛି।
ଅଭିଯୋଗ ମୁତାବକ, ପାଲଲହଡା ବନ୍ଧାଭୂଇଁ ପଞ୍ଚାୟତ ସିଆରିଆ ଗ୍ରାମର ସିଙ୍ଗା ମୁଣ୍ଡା(୩୦) ଅସୁସ୍ଥ ଥିବାରୁ ତାଙ୍କୁ ଧରି ସ୍ତ୍ରୀ ଗୁରୁବାରୀ ମୁଣ୍ଡା ଚିକିତ୍ସାଳୟକୁ ଆସିଥିଲେ। ସେଠାରେ ଡାକ୍ତର ତାଙ୍କୁ ମେଡିସିନ ଓ୍ବାର୍ଡରେ ଭର୍ତ୍ତି କରାଇଥିଲେ। ସେଠାରେ ଜଣେ ଦଲାଲ ପହଞ୍ଚି ଉଭୟଙ୍କ ସହ କଥା ହୋଇ ସ୍ବାସ୍ଥ୍ୟାବସ୍ଥା ପଚାରିଥିଲେ। ଚିକିତ୍ସା ବାବଦକୁ ସରକାରୀ ସହାୟତା ରାଶି ଭାବେ ତାଙ୍କୁ ୧୨ ହଜାର ଟଙ୍କା ମିଳିପାରିବ ବୋଲି ଦଲାଲ ଜଣକ କହିଥିଲେ। ଏଥିସହ ଗୁରୁବାରୀଙ୍କୁ ଧରି ଦଲାଲ ଜଣକ ମେଡିକାଲ ବାହାରକୁ ଯାଇଥିଲେ। କିଛି ବାଟ ଗଲାପରେ ଗୁରୁବାରୀଙ୍କୁ ଅଭିଯୁକ୍ତ ୫ ଶହ ଟଙ୍କା ମାଗିଥିଲେ। ଟଙ୍କା ଦେଲେ ହିଁ ସରକାରୀ ସହାୟତା ମିଳିବ ବୋଲି ସେ କହିଥିଲେ। ହେଲେ ପାଖରେ ଟଙ୍କା ନ ଥିବା ଗୁରୁବାରୀ କହିବା ପରେ ତାଙ୍କୁ ସେଠାରେ ଛାଡି ଦଲାଲ ଜଣକ ସିଙ୍ଗାଙ୍କ ନିକଟରୁ ୨ ହଜାର ଟଙ୍କା ଆଣି ଫେରାର ହୋଇଯାଇଥିଲେ। ସେଠାରେ କିଛି ସମୟ ଅପେକ୍ଷା କରି ଗୁରୁବାରୀ ଡାକ୍ତରଖାନା ଫେରିବା ପରେ ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ। ଏ ନେଇ ଅନୁଗୋଳ ଥାନାରେ ସେ ଅଭିଯୋଗ କରିଛନ୍ତି। ଥାନା ଅଧିକାରୀ ରମେଶ ଚନ୍ଦ୍ର ବିଶୋୟୀ କହିଛନ୍ତି, ଘଟଣା ସମ୍ପର୍କରେ ଜଣାନାହିଁ। ଏକ ଗଣ୍ଡଗୋଳକୁ ନେଇ ଥାନା ବାହାରେ ଅଛି। ଫେରିଲା ପରେ ଏହାର ଅନୁଧ୍ୟାନ କରାଯିବ।