People wearing protective masks wait to board a bus at a terminal amid coronavirus fears, in Kochi, India, March 11, 2020. REUTERS/Sivaram V
ନୂଆଦିଲ୍ଲୀ,୧୮।୪: କରୋନା ଭାଇରସର ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସରକାର ସମଗ୍ର ଦେଶରେ ମେ’ ୩ ପର୍ଯ୍ୟନ୍ତ ଲକ୍ଡାଉନ ଘୋଷଣା କରିଛନ୍ତି। ପୂର୍ବରୁ ଏହା ଏପ୍ରିଲ ୧୪ ପର୍ଯ୍ୟନ୍ତ ଥିବା ବେଳେ ପରେ ଏହା ମେ’୩କୁ ବୃଦ୍ଧି କରାଯାଇଛି। ଏବେ ସମସ୍ତଙ୍କର ଅପେକ୍ଷା କେବେ ଖୋଲିବ ଲକ୍ଡାଉନ। ତେବେ ଭାରତର ୨ ଜିଲାରେ ପ୍ରଥମେ ଲକ୍ଡାଉନ ଖୋଲିବ ବୋଲି କୁହାଯାଉଛି। ଏହି ୨ ଜିଲା ହେଉଛି କେରଳର। କେରଳ ସରକାର ମେ’ ୩ ପୂର୍ବରୁ ୨ଟି ଜିଲାର ଲକ୍ଡାଉନକୁ ଖୋଲିଦେବେ ବୋଲି ଶୁକ୍ରବାର ସ୍ଥିର କରିଥିବା ଜଣାପଡିଛି। ତେବେ ଅରେଞ୍ଜ-ଏ ଓ ଅରେଞ୍ଜ-ବି ଜୋନରେ ଥିବା ଜିଲା ଗୁଡିକୁ କ୍ରମଶଃ ଏପ୍ରିଲ ୨୦ ଓ ୨୩ରେ ଲକ୍ଡାଉନ ନିୟମରେ କୋହଳ କରାଯିବ ବୋଲି ଜଣାପଡିଛି। କେନ୍ଦ୍ର ସରକାରଙ୍କର ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜ୍ୟୁୟର ଆଧାରରେ କେରଳ ସରକାର ୨ ଜିଲାରେ ୨୦ ଏପ୍ରିଲ ପରେ ଲକ୍ଡାଉନ ହଟାଇ ଦେବାକୁ ନିଷ୍ପତ୍ତି ନେଇଥିବା ଜଣାପଡିଛି। ତେବେ ଲକ୍ଡାଉନ ହଟିବା ପରେ କେଉଁ ସବୁ କାମ ଉପରେ ପ୍ରତିବନ୍ଧକ ରହିବ ତାହା ମଧ୍ୟ ଘୋଷଣା କରାଯିବ। କେରଳ ହେଉଛି ପ୍ରଥମ ରାଜ୍ୟ ଯେଉଁଠାରେ ଜାନୁୟାରୀ ୨୯ରେ ପ୍ରଥମ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିଲା। ବ୍ୟକ୍ତି ଜଣକ ଚାଇନାର ଉହାନରୁ ଫେରିଥିଲେ। ତେବେ ଏଠାରେ ଏପର୍ଯ୍ୟନ୍ତ ୩୯୬ ପଜିଟିଭଙ୍କୁ ଚିହ୍ନଟ କରାଯାଇଥିବା ବେଲେ ମାତ୍ର ୩ ଜଣଙ୍କ ମୃତ୍ୟୁ ହେବା ସହ ଏପର୍ଯ୍ୟନ୍ତ ୨୫୫ ଜଣ ସୁସ୍ଥ ହୋଇଥିବା ଖବର ରହିଛି। ପୁଣି କେରଳର କୌଣସି ଜିଲାରେ ସଂକ୍ରମିତଙ୍କ ସଂଖ୍ୟା ୧୦୦ ଛୁଇଁନାହିଁ। ସବୁଠାରୁ ଅଧିକ ପ୍ରଭାବିତ ଜିଲାକୁ ରେଡ୍ ଜୋନ୍ରେ ରଖାଯାଇଥିବା ବେଳେ ସେଠାରେ ଲକ୍ଡାଉନର ସମୟ ସୀମା ମେ’ ୩ ପର୍ଯ୍ୟନ୍ତ ବଲବତ୍ତର ରହିବ। ସେହିପରି ଅରେଞ୍ଜ-ଏ ଅର୍ଥାତ୍ ଯେଉଁ ଜିଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫-୬ ଥିବ ସେଠାରେ ଏପ୍ରିଲ ୨୪ ପରେ ଲକ୍ଡାଉନରେ ଆଉ କିଛିଟା କୋହଳ କରାଯିବ। ସେହିପରି ଯେଉଁ ଜିଲାରେ ୨-୩ ଜଣ ସଂକ୍ରମିତ ରହିଛନ୍ତି ତାକୁ ଅରେଞ୍ଜ-ବି କାଟାଗୋରୀରେ ଅନ୍ତର୍ଭୁକ୍ତ କରାଯାଇଛି। ଏସବୁ ଜିଲାରେ ଏପ୍ରିଲ ୨୦ପରେ ଲକ୍ଡାଉନରେ ସୀମିତ କଟକଣାକୁ ହଟାଇ ଦିଆଯିବ। ତେବେ କେରଳର ୨ ଜିଲା କୋଟ୍ଟୟମ ଓ ଇଦ୍ଦୁକିରେ ଏପର୍ଯ୍ୟନ୍ତ ଜଣେ ହେଲେ କରୋନା ପଜିଟିଭ ଚିହ୍ନଟ ହୋଇ ନ ଥିବାରୁ ଏହାକୁ ଗ୍ରୀନ୍ କାଟାଗୋରୀରେ ରଖାଯାଇଛି। ତେଣୁ ୨୦ ଏପ୍ରିଲ ପରେ ଏଠାରେ ଲକ୍ଡାଉନକୁ ଖୋଲି ଦିଆଯାଇପାରେ ବୋଲି କେରଳ ସରକାର କହିଛନ୍ତି। ହେଲେ ଏଥିରେ ସମାନ୍ୟ କଟକଣା ରହିବ।