ସରକାରୀ ଦେଶୀମଦ ଭାଟିରେ ବେଆଇନ ମଦ ପ୍ରସ୍ତୁତ ଘଟଣାରେ ୩ ଗିରଫ: ୭୨୦ ଲିଟର ଦେଶୀମଦ ଜବତ

ଦିଗପହଣ୍ଡି,୭।୫(ଡି.ଏନ୍‌.ଏ.): ଦିଗପହଣ୍ଡିରୁ ୨୦ କିଲୋମିଟରରେ ଦୂରରେ ଥିବା କଳବାଡ ଗ୍ରାମ ନିକଟ ସରକାରୀ ଦେଶୀ ମଦଭାଟି ଉପରେ କେ. ନୂଆଗାଁ ପୋଲିସ ବୁଧବାର ଅତର୍କିତ ଚଢ଼ାଉ କରିଛି। ଏହି ଚଢ଼ାଉରେ ପୋଲିସ ୭୨୦ ଲିଟର ଦେଶୀମଦ ଜବତ କରିଥିବା ଜଣାପଡ଼ିଛି। ଏଥିସହ ମଦଭାଟିରେ କାର୍ଯ୍ୟ କରୁଥିବା ୩ଜଣ କର୍ମଚାରୀଙ୍କୁ ଗିରଫ କରାଯାଇଛି ବୋଲି ଥାନା ଏସ୍‌ଆଇ ଜ୍ଞାନରଞ୍ଜନ ସେଠୀ ସୂଚନା ଦେଇଛନ୍ତି। ଅଭିଯୁକ୍ତମାନେ ହେଲେ କେ. ନୂଆଗାଁ ଥାନା କୋଟିଲିଙ୍ଗି ଗାଁର ରତ୍ନାକର ସାହୁ, ଧାନ୍ୟରାଶି ଗାଁର ଗଣେଶ ନାଇକ ଓ ଗୋଳନ୍ଥରା ଥାନା ଲିମକୁଡିଆ ଗାଁର ପି. ସୋମନାଥ। ଗୁରୁବାର ଏହି ଅଭିଯୁକ୍ତଙ୍କୁ ପାତ୍ରପୁର କୋର୍ଟକୁ ଚାଲାଣ କରାଯାଇଛି ବୋଲି ତଦନ୍ତକାରୀ ଅଧିକାରୀ ଏସ୍‌ଆଇ ରିତାଞ୍ଜଳୀ ନାୟକ କହିଛନ୍ତି। ସୂଚନାଯୋଗ୍ୟ, କରୋନା ପାଇଁ ଗଞ୍ଜାମ ଜିଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ଅବକାରୀ ବିଭାଗ ପକ୍ଷରୁ ଉକ୍ତ ସରକାରୀ ମଦଭାଟିକୁ ସିଲ କରାଯାଇଥିଲା। ମଦଭାଟି ପଟ୍ଟାଦାରଙ୍କ ନିର୍ଦ୍ଦେଶକ୍ରମେ ଅଭିଯୁକ୍ତମାନେ ତାଲାରେ ପକାଯାଇଥିବା ସିଲ୍‌କୁ ଟ୍ୟାମ୍ପରିଂ କରି ବେଆଇନ ଭାବେ ଦେଶୀମଦ ପ୍ରସ୍ତୁତ ଓ ଚୋରା ଚାଲାଣ କରୁଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା ବୋଲି ଥାନା ଆଇଆଇସି ମାଧବାନନ୍ଦ ନାୟକଙ୍କ ପକ୍ଷରୁ ସୂଚନା ମିଳିଛି। ଏହାପରେ ଉକ୍ତ ମଦଭାଟି ଉପରେ ଅତର୍କିତ ଭାବେ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉ ସମୟରେ ଚିକିଟି ତହସିଲଦାର ତଥା ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ଓ ଚିକିଟି ଏସ୍‌ଡିପିଓଙ୍କ ଉପସ୍ଥିତିରେ ୧୮ଟି ପ୍ଲାଷ୍ଟିକ ଜାର୍କିନରେ ଥିବା ଦେଶୀମଦ ଓ ଭଙ୍ଗା ଯାଇଥିବା ସିଲ୍‌ ତାଲାକୁ ଜବତ କରାଯାଇଛି।