ସରକାରୀ କର୍ମଚାରୀ ଯାଉଥିବା ବସ୍‌କୁ ଟାର୍ଗେଟ କଲେ ଆତଙ୍କବାଦୀ

କାବୁଲ,୨୭।୫: ଆଫଗାନୀସ୍ତାନର କାବୁଲ ସହର ଦେଇ ସରକାରୀ କର୍ମଚାରୀଙ୍କୁ ନେଇ ଯାଉଥିବା ଏକ ବସ୍‌କୁ ଟାର୍ଗେଟ କରିଛନ୍ତି ଆତଙ୍କବାଦୀ। ଏହି ବସ୍‌କୁ ଟାର୍ଗେଟ କରି ସେମାନେ ଇମ୍ପ୍ରୋଭାଇଜ୍ଡ ଏକ୍ସପ୍ଲୋସିଭ୍‌ ଡିଭାଇସ୍‌(ଆଇଇଡି) ବିସ୍ଫୋରଣ କରିଛନ୍ତି। ଏଥିରେ ୧୦ ଜଣ ଆହତ ହୋଇଥିବା ସୂଚନା ମିଳିଛି। ସିହ୍ନୁଆ ନ୍ୟୁଜର ସୂଚନା ଅନୁଯାୟୀ, ମିନି ବସ୍‌ଟି ସୋମବାର ସକାଳ ପ୍ରାୟ ୭ଟା ୪୫ ମିନିଟ୍‌ ସମୟରେ ମିନିଷ୍ଟ୍ରି ଅଫ୍‌ ହଜ୍‌ ଆଣ୍ଡ ରିଲିଜିୟସ ଆଫେୟାର୍ସର କର୍ମଚାରୀଙ୍କୁ ନେଇ ଯାଉଥିବା ସମୟରେ ବିସ୍ଫୋରଣ ହୋଇଥିଲା। ଏଥିପାଇଁ କୌଣସି ସଙ୍ଗଠନ ନିଜକୁ ଦାୟୀ କରି ନ ଥିବା ବେଳେ ଘଟଣାର ତଦନ୍ତ ଚାଲିଛି।