ସମୁଦ୍ରରେ ଗାଁ : ୧୩ଶହ ବର୍ଷ ହେଲା ଭୂପୃଷ୍ଠରେ ପାଦ ରଖିନାହାନ୍ତି ଏଠାକାର ଲୋକେ

ସାଧାରଣତଃ ଭୂପୃଷ୍ଠରେ ଲୋକମାନେ ଘର କରି ବସବାସ କରିଥା’ନ୍ତି। ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ଦୁନିଆରେ ଏଭଳି ବି ଜନଜାତି ଅଛନ୍ତି, ଯେଉଁମାନେ ୧୩ଶହ ବର୍ଷରୁ ଊର୍ଦ୍ଧ୍ୱ ହେବ ଭୂପୃଷ୍ଠରେ ପାଦ ରଖିନାହାନ୍ତି। ତେବେ ଏହା ପଛରେ ଏକ ବଡ଼ ଧରଣର କାରଣ ନିହିତ ଅଛି। ଚାଇନାରେ ବସବାସ କରୁଥିବା ଏହି ଜନଜାତି ସମ୍ପ୍ରଦାୟର ନାଁ ହେଉଛି ଟାଙ୍କା। ସେଠାକାର ଲୋକେ ଭୂପୃଷ୍ଠରେ ନୁହେଁ, ବରଂ ସମୁଦ୍ରରେ ରହିବା ପାଇଁ ବେଶ୍‌ ପସନ୍ଦ କରନ୍ତି। ପାଣି ହିଁ ତାଙ୍କ ସଂସାର। ଟାଙ୍କା ଜନଜାତିର ପ୍ରାୟ ୭ହଜାର ଲୋକ ସମୁଦ୍ରରେ ଭାସୁଥିବାର ଏକ ଗାଁ ତିଆରି କରିିଛନ୍ତି। ଚାଇନାର ଦକ୍ଷିଣ-ପୂର୍ବାଞ୍ଚଳରେ ପ୍ରାୟ ୭ହଜାର ମତ୍ସ୍ୟଜୀବୀଙ୍କ ପରିବାର ନିଜ ପରମ୍ପରାଗତ ଡଙ୍ଗାରେ ଘର କରି ରହୁଥିବା ବେଳେ ଏହି ଘରସବୁ ସମୁଦ୍ରରେ ଭାସୁଥିବା ଦେଖାଯାଏ। ସେଠାରେ ଏହି ବିଚିତ୍ର ଘରଗୁଡ଼ିକର ଏକ ବସ୍ତି ସୃଷ୍ଟି ହୋଇଯାଇଛି। ମତ୍ସ୍ୟଜୀବୀଙ୍କ ଏହି ବସ୍ତି ଫୁଜିଆନ ରାଜ୍ୟର ଦକ୍ଷିଣ-ପୂର୍ବର ନିନ୍‌ଗଡେ ସହର ନିକଟରେ ଥିବା ସମୁଦ୍ରରେ ଦେଖାଯାଏ। ଏଭଳି ଘରଗୁଡ଼ିକୁ ‘ଜିପସିଜ୍‌ ଅଫ୍‌ ଦ ସି’ କୁହାଯାଏ। ସୂଚନାଯୋଗ୍ୟ, ୭ଶହ ଶତାବ୍ଦୀ ତଳେ ଚାଇନାରେ ତାଙ୍ଗ ରାଜବଂଶର ଶାସନ ଚାଲିଥିଲା। ସେହି ସମୟରେ ଟାଙ୍କା ସମ୍ପ୍ରଦାୟର ଲୋକେ ଯୁଦ୍ଧରୁ ରକ୍ଷା ପାଇବା ପାଇଁ ସମୁଦ୍ରରେ ନିଜ ଡଙ୍ଗାରେ ରହୁଥିଲେ। ବୋଧହୁଏ ଏମାନେ କ୍ୱଚିତ୍‌ ଭୂପୃଷ୍ଠରେ ପାଦ ରଖୁଥିବା ବେଳେ ସେହି ଦିନଠାରୁ ସେମାନଙ୍କୁ ‘ଜିପସିଜ୍‌ ଅଫ୍‌ ଦ ସି’ ବୋଲି କୁହାଯାଏ।

 

Share