Categories: ଅନୁଗୋଳ

‘ସମସ୍ତଙ୍କୁ ନେଇ ବିକାଶମୂଳକ କାର୍ଯ୍ୟ କରିବି’

ଅନୁଗୋଳ ଅଫିସ, ୨୨।୨ – ଦୀର୍ଘ ଦିନ ହେବ ଖାଲି ପଡିଥିବା ଅନୁଗୋଳ ଜିଲା ସଭାପତି ପଦ ପାଇଁ ବରିଷ୍ଠ ଓକିଲ ତଥା ଅନୁଗୋଳ ପୌରପାଳିକା ସଭାପତି ମହେନ୍ଦ୍ର ବସ୍ତିଆଙ୍କ ନାମରେ ମୋହର ବାଜିଛି। ରାଜ୍ୟ ବିଜେଡି ରିଟର୍ନିଂ ଅଫିସର ଏହି ଘୋଷଣା କରିଛନ୍ତି। ଏହି ଦାୟିତ୍ୱ ମିଳିବା ପରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି। ଦଳର ସମସ୍ତ କର୍ମକର୍ତ୍ତାଙ୍କୁ ନେଇ ବିକାଶ ପାଇଁ କାର୍ଯ୍ୟ କରିବେ ବୋଲି ବିଜେଡିର ନୂତନ ଜିଲା ସଭାପତି ପ୍ରକାଶ କରିଛନ୍ତି।
ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ସହ ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରା ଓ ଆଠମଲ୍ଲିକ ବିଧାୟକ ରମେଶ ସାଏଙ୍କ ନାମ ଜିଲା ସଭାପତି ପଦ ପାଇଁ ଚର୍ଚ୍ଚାକୁ ଆସିଥିଲା। ଏପରି କି ଜିଲାର କିଛି ବରିଷ୍ଠ ସଦସ୍ୟଙ୍କ ନାମ ମଧ୍ୟ ଏହି ଚର୍ଚ୍ଚାରେ ସାମିଲ ହୋଇଥିଲା। ହେଲେ ଦଳ ସୁପ୍ରିମୋଙ୍କ ଅନୁମୋଦନ କ୍ରମେ ବସ୍ତିଆଙ୍କୁ ସଭାପତି ଭାବେ ଘୋଷଣା କରାଯାଇଛି। ପ୍ରଥମେ ଅନୁଗୋଳ ସଭାପତି ଭାବେ ସ୍ବର୍ଗତ ଅଦ୍ୱୈତ ପ୍ରସାଦ ସିଂ ଥିବାବେଳେ ତାଙ୍କ ଅନ୍ତେ ଅନୁଗୋଳର ବିଧାୟକ ରଜନୀକାନ୍ତ ସିଂ ଏହି ପଦବୀରେ ଥିଲେ। କିନ୍ତୁ ଗତ ନିର୍ବାଚନ ପରେ ସେ ବିଧାନସଭା ଉପବାଚସ୍ପତି ପଦ ପାଇଥିବାରୁ ଏହି ପଦରୁ ଇସ୍ତଫା ଦେଇଥିଲେ। ଏହାପରଠାରୁ ଜିଲା ସଭାପତି ପଦ ଖାଲି ପଡ଼ିଥିଲା। ଗୁରୁବାର ବିଧାୟକଙ୍କ ପୁଅ ଅରୁନାଭ ସିଂ ନୂତନ ସଭାପତିଙ୍କୁ ଫୁଲତୋଡ଼ା ଦେଇ ଶୁଭେଚ୍ଛା ଦେବା ଫଟୋ ସାମାଜିକ ଗଣମାଧ୍ୟମରେ ଛାଡ଼ିବା ପରେ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଥିଲା।
ମହେନ୍ଦ୍ର ଛାତ୍ର ଜୀବନରୁ ଜନତା ଦଳ ସହ ରାଜନୀତି ଆରମ୍ଭ କରିଥିଲେ। ୧୯୭୯ରୁ ୧୯୮୪ ପର୍ଯ୍ୟନ୍ତ ଛାତ୍ର ସଭାପତି ଭାବେ ଅବିଭକ୍ତ ଢେଙ୍କାନାଳ ଜିଲାରେ ଅନୁଗୋଳ ୟୁନିଟ୍‌ ଦାୟିତ୍ୱରେ ଥିଲେ। ପରେ ୧୯୮୪ରୁ ୧୯୮୮ ପର୍ଯ୍ୟନ୍ତ ଢେଙ୍କାନାଳ ଜିଲା ଜନତା ଦଳର ଯୁବ ଉପସଭାପତି ଦାୟିତ୍ୱ ନେଇଥିଲେ। ୧୯୮୮ରୁ ୧୯୯୦ ପର୍ଯ୍ୟନ୍ତ ସେ ସାଧାରଣ ସମ୍ପାଦକ ଦାୟିତ୍ୱ ମଧ୍ୟ ତୁଲାଇଥିଲେ। ପରେ ଢେଙ୍କାନାଳ ଜିଲା ଯୁବ ଜନତା ଦଳ ସଭାପତି ଭାବେ ୧୯୯୦ରୁ ୧୯୯୩ ପର୍ଯ୍ୟନ୍ତ ରହିଥିଲେ। ଅନୁଗୋଳ ଜିଲା ହେବା ପରେ ୨୦୧୦ ପର୍ଯ୍ୟନ୍ତ ଅନୁଗୋଳ ଜିଲାର ଯୁବ ଜନତା ଦଳର ସଭାପତି ଭାବେ କାର୍ଯ୍ୟଭାର ସମ୍ଭାଳି ଥିଲେ। ୨୦୧୦ରୁ ବର୍ତ୍ତମାନ ସୁଦ୍ଧା ଅନୁଗୋଳ ପୌରପାଳିକା ସଭାପତି ଭାବେ ସେ କାର୍ଯ୍ୟ କରୁଥିବାବେଳେ ତାଳଚେର ପୌରପାଳିକାର ପର୍ଯ୍ୟବେକ୍ଷକ ଦାୟିତ୍ୱରେ ମଧ୍ୟ ରହିଛନ୍ତି।
ଅନୁଗୋଳ ବିଜୁ ଜନତା ଦଳ କାର୍ଯ୍ୟାଳୟଠାରେ ନଗର ବିଜେଡି ପକ୍ଷରୁ ନୂତନ ଜିଲା ସଭାପତି ମହେନ୍ଦ୍ର କୁମାର ବସ୍ତିଆଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି। ନଗର ବିଜେଡି ଉପସଭାପତି ସତ୍ୟାନନ୍ଦ ସାହୁଙ୍କ ସଭାପତିତ୍ୱରେ ଏକ ସଭା ଆୟୋଜିତ ହୋଇଥିଲା। ସଭାରେ ବିଧାୟକଙ୍କ ପୁଅ ଅନୁରଭ ସିଂ, ଅଜିତ ବିଶୋଇ, ସୁନୀଲ କୁମାର ସାହୁ, ବୃନ୍ଦାବନ ସ୍ବାଇଁ, ବାଉରୀବନ୍ଧୁ ମହାପାତ୍ର, ସୌରଭ କୈଳାସ ଅଗ୍ରୱାଲା, ଅଜିତ ଦ୍ୱିବେଦୀ, ରାଜୀବ ଲୋଚନ ଦାସ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ବରିଷ୍ଠ ସଦସ୍ୟ ପରମାନନ୍ଦ ଧନ୍ୟବାଦ ଦେଇଥିଲେ। ସତ୍ୟାନନ୍ଦ ଦଳବେହେରା ସଭା କାର୍ଯ୍ୟ ଶେଷ କରିଥିଲେ।