Berlin: Sachin Tendulkar poses with the 'Best Sporting Moment Award' during the 2020 Laureus World Sports Awards in Berlin, Germany, Monday, Feb. 17, 2020.AP/PTI(AP2_18_2020_000011B)
ବର୍ଲିନ, ୧୮।୨ (ପି.ଟି.)- ବ୍ୟାଟିଂ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ବିଶ୍ୱର ସମ୍ମାନଜନକ କ୍ରୀଡ଼ା ସମ୍ମାନ ‘ଲୌରିୟସ ବିଶ୍ୱ କ୍ରୀଡ଼ା ପୁରସ୍କାର’ ଜିତିଛନ୍ତି। ଘରୋଇ ମାଟିରେ ଭାରତକୁ ୨୦୧୧ ଆଇସିସି ବିଶ୍ୱକପ୍ ଜିତାଇବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥଲେ। ବିଶ୍ୱକପ୍ ଜିତିବାପରେ ସାଥୀ ଖେଳାଳିମାନେ ସଚିନଙ୍କୁ କାନ୍ଧରେ ବସାଇ ପଡ଼ିଆ ଚାରିପଟେ ବୁଲାଥିଲେ। ଗତ ୨୦ ବର୍ଷ ମଧ୍ୟରେ ଏହାକୁ ବିଶ୍ୱର ଶ୍ରେଷ୍ଠ କ୍ରୀଡ଼ା ମୁହୂର୍ତ୍ତ ଭାବେ ସର୍ବାଧିକ ଭୋଟ୍ ମିଳିଛି। ଏଥିଲାଗି ତେନ୍ଦୁଲକରଙ୍କୁ ‘ଲୌରିୟସ ବେଷ୍ଟ ସ୍ପୋର୍ଟିଂ ମୋମେଣ୍ଟ’ ପୁରସ୍କାର ପ୍ରଦାନ କରାଯାଇଛି। ଭାରତୀୟ କ୍ରିକେଟ୍ପ୍ରେମୀଙ୍କ ସମର୍ଥନ ଯୋଗୁ ସଚିନଙ୍କୁ ସର୍ବାଧିକ ଭୋଟ୍ ମିଳିଥିଲା।
୨୪ ବର୍ଷର କ୍ରିକେଟ୍ କ୍ୟାରିୟରରେ ସଚିନ ସର୍ବାଧିକ ୬ଟି ବିଶ୍ୱକପ୍ ଖେଳିଥିଲେ। ୨୦୧୧ରେ ଭାରତରେ ଅନୁଷ୍ଠିତ ବିଶ୍ୱକପ୍ ତାଙ୍କର ଅନ୍ତିମ ବିଶ୍ୱ ପ୍ରତିଯୋଗିତା ଥିଲା। ଶ୍ରୀଲଙ୍କା ବିପକ୍ଷ ଫାଇନାଲ ମ୍ୟାଚ୍ରେ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ନୁଆନ୍ କୁଳଶେଖରାଙ୍କ ବଲକୁ ଛକା ମାରି ଭାରତକୁ ଚାମ୍ପିୟନ କରାଇଥିଲେ। ଏହାପରେ ଭାରତୀୟ କ୍ରିକେଟର୍ମାନେ ଓ୍ବାଙ୍ଖେଡେ ଷ୍ଟାଡିୟମ ମଧ୍ୟକୁ ଦୌଡ଼ିଯାଇ ବିଜୟ ଉତ୍ସବ ପାଳନ କରିଥିଲେ। ଏହି ଅବସରରେ ସଚିନଙ୍କୁ କାନ୍ଧରେ ବସାଇ ସାଥୀ ଖେଳାଳିମାନେ ପଡ଼ିଆର ଚାରିପାଖେ ବୁଲାଇଥିଲେ। ସେଦିନର ଏହି ମୁହୂର୍ତ୍ତ ଆଜି ମଧ୍ୟ କୋଟି କୋଟି ପ୍ରଶଂସକଙ୍କ ମନରେ ସତେଜ ରହିଛି। ଏହାକୁ ଗତ ୨୦ ବର୍ଷର ଶ୍ରେଷ୍ଠ କ୍ରୀଡ଼ା ମୁହୂର୍ତ୍ତ ଭାବେ ସର୍ବାଧିକ ଭୋଟି ମିଳିଥିବାରୁ ସଚିନଙ୍କୁ ‘ଲୌରିୟସ ବେଷ୍ଟ ସ୍ପୋର୍ଟିଂ ମୋମେଣ୍ଟ’ ପୁରସ୍କାର ପ୍ରଦାନ କରାଯାଇଛି। ବର୍ଲିନରେ ଅନୁଷ୍ଠିତ ଏକ ରଙ୍ଗାରଙ୍ଗ ଉତ୍ସବ ଅବସରରେ ଟେନିସ କିମ୍ବଦନ୍ତୀ ବୋରିସ୍ ବେକର୍ ବିଜେତାଙ୍କ ନାମ ଘୋଷଣା କରିଥିଲେ। ଏହାପରେ ସଚିନଙ୍କୁ ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟିଭ୍ ଓ୍ବ ଏହି ସମ୍ମାନଜନକ ଟ୍ରଫି ପ୍ରଦାନ କରିଥିଲେ। ‘ଏହା ଚମତ୍କାର ଥିଲା। ବିଶ୍ୱକପ୍ ଜିତିବାର ଅନୁଭୂତିକୁ ଶଦ୍ଦରେ ବର୍ଣ୍ଣନା କରିହେବ ନାହିଁ। ଗୋଟିଏ ଖେଳ କେତେ ଶକ୍ତିଶାଳୀ ତାହା ମନେପକାଇ ଦେଉଛି। ଏବେବି ଯେତେବେଳେ ସେହି ମ୍ୟାଚ୍ ଦେଖୁଛି ମୋ ସାଥୀରେ ଏହା ରହୁଛି’ ବୋଲି ଟ୍ରଫି ଜିତିବା ପରେ ସଚିନ କହିଛନ୍ତି।