ଶ୍ରେଷ୍ଠ ପାଞ୍ଚ ଷ୍ଟାଡିୟମ

ଡ୍ରିମ୍ସ ଗ୍ରାଉଣ୍ଡ

କଟକର ଟାଙ୍ଗୀଠାରେ ରହିଛି ଡ୍ରିମ୍‌ସ ଷ୍ଟାଡିୟମ। ଏଠାରେ ବିସିସିଆଇର ଅନେକ ଘରୋଇ କ୍ରିକେଟ ଟୁର୍ନାମେଣ୍ଟ ଖେଳାଯାଇଛି। ଗତ ୨୦୧୩ ମସିହାରେ ଭାରତରେ ହୋଇଥିବା ମହିଳା କ୍ରିକେଟ ବିଶ୍ୱକପ୍‌ର ୩ଟି ମ୍ୟାଚ୍‌ ଏଠାରେ ହୋଇଥିଲା। ନ୍ୟୁଜିଲାଣ୍ଡ, ଦକ୍ଷିଣଆଫ୍ରିକା ଓ ଅଷ୍ଟ୍ରେଲିଆ ମହିଳା ଦଳ ଏଠାରେ ମ୍ୟାଚ୍‌ ଖେଳିଥିଲେ। ଏଠାରେ ୫ହଜାର ଦର୍ଶକ ଦେଖିବା ଭଳି ସୁବିଧା ରହିଛି।

ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମ

ସମ୍ବଲପୁରର ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମ ୧୯୯୮ରେ ପ୍ରତିଷ୍ଠା ହୋଇଥିଲା। ୨୦ ହଜାର ଦର୍ଶକ ବସିବାର କ୍ଷମତା ରହିଥିବା ଏହି ଷ୍ଟାଡିୟମ ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ମାଲିକାନାରେ ରହିଛି। ୧୯୭୩ରେ ଏହି ଗ୍ରାଉଣ୍ଡରେ ଓଡ଼ିଶା ଓ ବେଙ୍ଗଲ ମଧ୍ୟରେ ପ୍ରଥମ ପ୍ରଥମଶ୍ରେଣୀ ମ୍ୟାଚ୍‌ ଖେଳାଯାଇଥିଲା।

କିଟ୍‌ ଗ୍ରାଉଣ୍ଡ

ଭୁବନେଶ୍ୱରର କିଟ୍‌ ଷ୍ଟାଡିୟମ ୨୦୦୪ରେ ଉଦ୍‌ଘାଟିତ ହୋଇଥିଲା। ଏହି ଷ୍ଟାଡିୟମ କିଟ୍‌ ବିଶ୍ୱବିଦ୍ୟାଳୟ ପରିସରରେ ରହିଛି। ଏଠାରେ ଏକ କାଳୀନ ୪୦ ହଜାର ଦର୍ଶକ କ୍ରୀଡ଼ା ଉପଭୋଗ କରିପାରିବେ। ଷ୍ଟାଡିୟମରେ କ୍ରିକେଟ୍‌, ହକି, ଫୁଟ୍‌ବଲ, ବାସ୍କେଟବଲ, ଲନ୍‌ ଟେନିସ ଖେଳ ସମେତ ଦୌଡ଼ ପାଇଁ ୪୦୦ ମିଟରର ଟ୍ରାକ୍‌ ଉପଲବ୍ଧ ରହିଛି।

ବାରବାଟୀ ଷ୍ଟାଡିୟମ

ରାଜ୍ୟର ଏକମାତ୍ର ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ କଟକର ବାରବାଟୀ ଷ୍ଟାଡିୟମ। ଅଦ୍ୟାବଧି ଏଠାରେ ୨୪ଟି ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳାଯାଇଛି। ବାରବାଟୀରେ ଏକ ସମୟରେ ୪୫ହଜାରରୁ ଉର୍ଦ୍ଧ୍ୱ ଦର୍ଶକ ମ୍ୟାଚ୍‌ ଦେଖିପାରିବେ। ଫୁଟବଲ ଓ ହକି ପ୍ରତିଯୋଗିତା ଆୟୋଜନ କରିବାରେ ବାରବାଟୀ ସଫଳ ହୋଇଛି। ଚଳିତବର୍ଷ ଫେଡେରେଶନ କପ୍‌ ଫୁଟବଲ ବାରବାଟୀରେ ଅନୁଷ୍ଠିତ ହୋଇଥିଲା। ଏହି ଷ୍ଟାଡିୟମ ୧୯୫୮ରେ ପ୍ରତିଷ୍ଠା ହୋଇଥିଲା।

କଳିଙ୍ଗ ଷ୍ଟାଡିୟମ

କଳିଙ୍ଗ ଷ୍ଟାଡିୟମ ଆମ ରାଜ୍ୟର ପ୍ରମୁଖ ଷ୍ଟାଡିୟମ । ୧୯୭୮ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଏହାର ଶିଳାନ୍ୟାସ କରିଥିଲେ। ଏଠାରେ ଆଥ୍‌ଲେଟିକ, ଫୁଟ୍‌ବଲ, ହକି, ବାସ୍କେଟବଲ, ଟେନିସ, ଟେବୁଲ ଟେନିସ ଓ ସନ୍ତରଣ ପାଇଁ ସୁଯୋଗ ରହିଛି। ଷ୍ଟାଡିୟମରେ ୮ ଲେନ୍‌ ବିଶିଷ୍ଟ ସିନ୍ଥେଟିକ୍‌ ଆଥ୍‌ଲେଟିକ ଟ୍ରାକ୍‌, ସ୍ପୋଟର୍‌ସ ହଷ୍ଟେଲ, ଜିମ୍ନାସିୟମ ରହିଥିବାବେଳେ ଏହାର ଦର୍ଶକ କ୍ଷମତା ୫୦,୦୦୦। ଏଠାରେ ହକି ଇଣ୍ଡିଆ ଲିଗ୍‌ ଏବଂ ଅନ୍ତର୍ଜାତୀୟ ହକି ଓ ଆଥଲେଟିକ୍ସ ଚାମ୍ପିୟନଶିପ୍‌ ଅନୁଷ୍ଠିତ ହୋଇ ଯାଇଛି।

Share