ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ

ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି ରହିଛି। ଛୋଟପିଲାଙ୍କ ଖେଳକୁଦ ପାଇଁ ସ୍ଥାନ ସହ ସକାଳ ଏବଂ ସାନ୍ଧ୍ୟ ଭ୍ରମଣର ଉତ୍ତମ ପରିବେଶ ରହିଛି।

ବୁଦ୍ଧ ପାର୍କ

ଚନ୍ଦ୍ରଶେଖରପୁରସ୍ଥିତ ନୀଳାଦ୍ରି ବିହାରଠାରେ ଏହି ପାର୍କ ଅବସ୍ଥିତ। ପାର୍କର ମଧ୍ୟଭାଗରେ ବୁଦ୍ଧ ସ୍ତୂପ ରହିଛି। ଏଥି ସହିତ ଛୋଟ ହ୍ରଦ ମଧ୍ୟ ରହିଛି, ଯେଉଁଥି ପାଇଁ ସନ୍ଧ୍ୟା ସମୟରେ ସନ୍ଧ୍ୟା ଭ୍ରମଣ ଅତ୍ୟନ୍ତ ଆନନ୍ଦମୟ ହୋଇଥାଏ। ପାର୍କଟି ଛୋଟପିଲାଙ୍କ ଖେଳିବା ପାଇଁ ବେଶ୍‌ ଉପଯୋଗୀ। ବିଭିନ୍ନ ପ୍ରକାରର ଖେଳ ରହିଛି। ଏଠାରେ ମଧ୍ୟ ଛୁଟିଦିନମାନଙ୍କରେ ଭିଡ଼ ଜମିଥାଏ।

ଏକାମ୍ର ପାର୍କ

ଆଇଆର୍‌ସି ଭିଲେଜଠାରେ ଅବସ୍ଥିତ ଏହି ପାର୍କ ଆୟତନରେ ସବୁଠାରୁ ବଡ଼। ଏହି ପାର୍କରେ ବିଭିନ୍ନ ପ୍ରକାର ଗୋଲାପ ଫୁଲର ଏକ ବଗିଚା, କାକଟସ୍‌ ହାଉସ୍‌, ପ୍ଲେ ଗ୍ରାଉଣ୍ଡ କର୍ନର ରହିଛି। ତେବେ ପାର୍କରେ ଥିବା ଛୋଟ ହ୍ରଦ ପର୍ଯ୍ୟଟକଙ୍କ ଭିଡ଼ ବଢ଼ାଇ ଦେଇଥାଏ। ହ୍ରଦରେ ବୋଟିଂ ସୁବିଧା ମଧ୍ୟ ରହିଛି। ଏହି ପାର୍କରେ ପ୍ରତିବର୍ଷ ପୁଷ୍ପ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥାଏ।

ବିଜୁ ପଟ୍ଟନାୟକ ପାର୍କ

ଏହି ପାର୍କଟି କ୍ୟାପିଟାଲ ହସ୍ପିଟାଲ ଛକ ନିକଟରେ ଅବସ୍ଥିତ। ୭ ଏକର ପରିମିତ ଏହି ପାର୍କରେ ସବୁ ପ୍ରକାର ସୁବିଧା ରହିଛି। ଏଠାରେ ରହିଛି ଜିମ୍‌ର ବ୍ୟବସ୍ଥା। ପାର୍କର ମଧ୍ୟଭାଗରେ ଏକ ଜଳ ଫୁଆରା ରହିଛି। ଛୋଟ ପିଲାମାନଙ୍କ ଖେଳକୁଦ ପାଇଁ ଏହି ପାର୍କ ରାଜଧାନୀରେ ବେଶ୍‌ ପରିଚିତ। ପାର୍କ ଭିତରକୁ ପଶିବା ମାତ୍ରେ ପିଲାମାନଙ୍କ ଖେଳ ପାଇଁ ରହିଛି ଏକ ସ୍ବତନ୍ତ୍ର କର୍ନର, ଯେଉଁଥିରେ ବିଭିନ୍ନ ପ୍ରକାରର ଖେଳ ରହିଛି। ଛୁଟିଦିନ ଗୁଡ଼ିକରେ ପାର୍କରେ ପ୍ରବଳ ଭିଡ଼ ଜମିଥାଏ।

ଇନ୍ଦିରା ଗାନ୍ଧୀ ପାର୍କ

ସଚିବାଳୟ ସମ୍ମୁଖରେ ଅବସ୍ଥିତ ଏହି ପାର୍କ। ୧୦.୬ ଏକର ପରିମିତ ଏହି ପାର୍କକୁ ସବୁ ବର୍ଗର ଲୋକ ଯାଇଥାଆନ୍ତି। ବିଶେଷକରି ବୟସ୍କ ଲୋକଙ୍କ ସକାଳ ସନ୍ଧ୍ୟାରେ ସମାଗମ ହୋଇଥାଏ। ସକାଳ ସମୟରେ ହାସ୍ୟ ଯୋଗ ହୋଇଥାଏ। ସବୁଜିମା ଭରା ପାର୍କରେ ଯୁବପିଢ଼ିଙ୍କ ପାଇଁ ଓପନ ଜିମ୍‌ର ବ୍ୟବସ୍ଥା ମଧ୍ୟ ରହିଛି। ପାର୍କର ମଧ୍ୟଭାଗରେ ଇନ୍ଦିରା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ରହିଛି।

Share