Categories: Home Leftଖେଳ

ଶ୍ରୀଲଙ୍କା କିମ୍ବଦନ୍ତୀଙ୍କୁ ଭାରତୀୟ ମହିଳା ଦଳର ଉପହାର

ମେଲବୋର୍ନ,୨ା୩- ଚଳିତ ମହିଳା ଟି୨୦ ବିଶ୍ୱକପ୍‌ରେ ସୋମବାର ଅନୁଷ୍ଠିତ ଗ୍ରୁପ୍‌ ଏ’ର ଲିଗ୍‌ ମ୍ୟାଚ୍‌ରେ ଶ୍ରୀଲଙ୍କା ୯ ଉଇକେଟରେ ବାଂଲାଦେଶକୁ ହରାଇ ଦେଇଛି। ଏହି ବିଜୟ ସତ୍ତ୍ୱେ ଶ୍ରୀଲଙ୍କା ଦଳ ଟୁର୍ନାମେଣ୍ଟରୁ ବିଦାୟ ନେଇଛି। ଏଥିସହ ଦଳର ସବୁଠୁ ସିନିୟର ଖେଳାଳି ଶଶିକଳା ସିରିଓ୍ବର୍ଦନେଙ୍କ ଅନ୍ତର୍ଜାତୀୟ କ୍ୟାରିୟର ଶେଷ ହୋଇଛି। ଟୁର୍ନାମେଣ୍ଟ ପୂର୍ବରୁ ଅବସର ଘୋଷଣା କରିଥିବା ୩୫ ବର୍ଷୀୟା ଖେଳାଳି କ୍ୟାରିୟର ଅନ୍ତିମ ମ୍ୟାଚ୍‌ରେ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର ଜିତିଛନ୍ତି। ଏହି କିମ୍ବଦନ୍ତୀ ଖେଳାଳିଙ୍କ ପାଇଁ ଭାରତୀୟ ମହିଳା ଦଳର ଖେଳାଳିମାନେ ଏକ ସ୍ବତନ୍ତ୍ର ଉପହାର ଦେଇଛନ୍ତି। ଦଳର ସମସ୍ତ ଖେଳାଳିଙ୍କ ହସ୍ତାକ୍ଷର ଥିବା ଅଧିନାୟିକା ହରମନପ୍ରୀତ କୌରଙ୍କ ଜର୍ସି ଉପହାର ସ୍ବରୂପ ପ୍ରଦାନ କରିଛନ୍ତି। ଟୁଇଟରରେ ଏକ ଫଟୋ ପୋଷ୍ଟ ଜରିଆରେ ଟିମ୍‌ ଇଣ୍ଡିଆ ଏହି ସୂଚନା ଦେଇଛି। ଉକ୍ତ ଫଟୋରେ ସ୍ମୃତି ମନ୍ଧାନା, ଜେମିମା ରୋଡ୍ରିଗୁଏଜ ଓ ଶିଖା ପାଣ୍ଡେ ଜର୍ସି ଧରି ଛିଡ଼ା ହାଇଛନ୍ତି। ସିରିଓ୍ବର୍ଦନେ ଅନ୍ତର୍ଜାତୀୟ ସ୍ତରରେ ୧୧୮ ଦିନିକିଆ ଓ ୮୦ ଟି୨୦ ମ୍ୟାଚ୍‌ ଖେଳିଛନ୍ତି।