Inside pictures of Puri Jagannath Temple go viral again
ପୁରୀ ଅଫିସ, ୨୦ା୧୦: ଶ୍ରୀମନ୍ଦିରରେ ଶନିବାର ନିର୍ଘଣ୍ଟ ସମୟରେ ନୀତି ଅନୁଷ୍ଠିତ ହୋଇ ଠାକୁରଙ୍କ ଦିବା ପହୁଡ଼ ସମ୍ପନ୍ନ ହୋଇଛି। ଅପରାହ୍ନ ୩ଟା ୩୫ରେ ପହୁଡ଼ ହୋଇ ୫ଟା ୪୫ରେ ଦ୍ୱାର ଫିଟା ଯାଇଥିଲା। ଫଳରେ ମହାପ୍ରଭୁ ଦିନରେ ୨ ଘଣ୍ଟା ୧୦ ମିନିଟ୍ ଶୋଇଥିଲେ। ଏହି ସମୟରେ ଦର୍ଶନ ବନ୍ଦ ରହିଥିଲା। ଶ୍ରୀମନ୍ଦିରରେ ଠାକୁରଙ୍କ ଦିବା ପହୁଡ଼ ନୀତି ରହିଛି। କିନ୍ତୁ କୌଣସି କାରଣକୁ ନେଇ ଯଦି ନୀତି କାନ୍ତି ବିଳମ୍ବ ହୁଏ କିମ୍ବା ଭକ୍ତଙ୍କ ଅଧିକ ଗହଳି ଥାଏ ତେବେ ଦିବା ପହୁଡ଼ ହୋଇ ନ ଥାଏ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କାର୍ତ୍ତିକ ମାସ ବାଳ ଧୂପ ନୀତି ଲାଗି ହୋଇଥିବା ସ୍ବତନ୍ତ୍ର ନୀତି ନିର୍ଘଣ୍ଟରେ ଦିବା ପହୁଡ଼ କରାଯିବା ଲାଗି ଧାର୍ଯ କରାଯାଇଛି। ଅପରାହ୍ନ ୩ଟାରୁ ୫ଟା ଦିବା ପହୁଡ଼ ଲାଗି ସ୍ଥିର ହୋଇଥିଲେ ମଧ୍ୟ ଭକ୍ତଙ୍କ ଗହଳି ଯୋଗୁ ଏହା ସମ୍ଭବ ହେଉ ନ ଥିଲା। କିନ୍ତୁ ଶନିବାର ନୀତିକାନ୍ତି ନିର୍ଘଣ୍ଟ ଅନୁସାରେ ଚାଲିଥିବାରୁ ଭକ୍ତମାନେ ଶୃଙ୍ଖଳିତ ଭାବେ ଦର୍ଶନ କରିିଥିଲେ। ଫଳରେ ଗହଳି ଜଣାପଡି ନ ଥିଲା। ତେଣୁ ଦିବା ପହୁଡ଼ କରାଯାଇଥିବା ଶ୍ରୀମନ୍ଦିରର ଲୋକ ସମ୍ପର୍କ ଅଧିକାରୀ ଲକ୍ଷ୍ମୀଧର ପୂଜାପଣ୍ଡା କହିଛନ୍ତି। ସୂଚନାଥାଉ କି, ଶନିବାର ଭୋର ୪ଟା ୧୦ରେ ଦ୍ୱାର ଫିଟା ଯାଇଥିବାବେଳେ ମଧ୍ୟାହ୍ନ ୧୨ଟା ୨୫ରେ ଭୋଗମଣ୍ଡପ ବଢ଼ିଥିଲା। ସାଢେ ଗୋଟାଏରେ ମଧ୍ୟାହ୍ନ ଧୂପ ସରିଥିବା ବେଳେ ଅପରାହ୍ନ ୩ଟାରେ ଦ୍ୱିତୀୟ ଭୋଗ ମଣ୍ଡପ ବଢ଼ିଥିଲା। ଏହାପରେ ୩ଟା ୩୫ରେ ଦିବା ପହୁଡ଼ ହୋଇଥିଲା।